Home >
କ୍ରାଇମବ୍ରାଂଚ ତଦନ୍ତ କରୁଥିବା ମାମଲାର ଫଳ ଶୁନ, ମୁଖ୍ୟମନ୍ତ୍ରୀ ଜବାବ ଦିଅନ୍ତୁ- ବିଜେପି
Khabar Odisha:politics-odisha-crimebranch-bjp-press-meet
ଭୁବନେଶ୍ୱର, ଜାନୁଆରୀ ୧୨ (ଖବର ଓଡିଶା):

କ୍ରାଇମବ୍ରାଂଚ ସାଜିଛି ବିଜେଡି ନେତାଙ୍କ ପାଇଁ ଢାଲ । ଦୋଷୀଙ୍କୁ ଧରିବାରେ ବିଫଳ ହେଉଛି  । ରାଜ୍ୟ ସରକାରଙ୍କ ପ୍ରମୁଖ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଂଚ   ରେକର୍ଡ କହୁଛି ତାର ପାରିବାପଣିଆ । ୧୦୦ ଜଣେ ଅଭିଯୁକ୍ତଙ୍କ ମଧ୍ୟରେ ୯୦ ଜଣ ଖସିଯିବାକୁ ସକ୍ଷମ ହେଉଛନ୍ତି । ଏପରି ସ୍ଥିତିରେ ପିପିଲି ଗଣଦୁଷ୍କର୍ମ ଓ ଋଷି ହତ୍ୟାକାଣ୍ଡ ମାମଲାରେ ସମ୍ପୃକ୍ତି ଅଭିଯୋଗ ଆସିଥିବା ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନାଙ୍କ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଂଚ କି ପ୍ରକାର ନ୍ୟାୟ ଦେବ ବୋଲି ପ୍ରଶ୍ନ କରିଛି ଭାରତୀୟ ଜନତା ପାର୍ଟି ।

ଦଳର ମୁଖପାତ୍ର ଗୋଲକ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଓଡିଶାରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତରେ ରହିଥିବା ଗୃହ ବିଭାଗ ଦୋଷୀଙ୍କୁ ଧରିବାରେ ବିଫଳ ହେଉଛି । ଏଥିରୁ ମୁଖ୍ୟମନ୍ତ୍ରୀଙ୍କ ପାରିବା ପଣିଆ ଜଣାପଡୁଛି । ବାଡ ଖାଉଛି ଫସଲ, ରକ୍ଷକ ସାଜୁଛି ଭକ୍ଷକ । ତେଣୁ ନିଜକୁ ଶ୍ରେଷ୍ଠ ପ୍ରଶାସକ ବୋଲାଉଥିବା ମୁଖ୍ୟମନ୍ତ୍ରୀ ଏହାର ଜବାବ ଦେବା ଦରକାର । ରାଜ୍ୟ ସରକାରଙ୍କ ଟ୍ରାକ୍ ରେକର୍ଡ କହୁଛି ରାଜ୍ୟରେ କ୍ରାଇମବ୍ରାଂଚ ତଦନ୍ତ କରୁଥିବା ମାମଲାର ଫଳ ଶୂନ ରହିଛି । କ୍ରାଇମବ୍ରାଂଚ ତଦନ୍ତ କରୁଥିବା ମାମଲାର ଦୋଷୀ ସାବ୍ୟସ୍ତ ହାର ୧୦ ପ୍ରତିଶତ ରହିଥିବା ବେଳେ ୯୦ ପ୍ରତିଶତ ଘଟଣାରେ ଅଭିଯୁକ୍ତ ଖସି ପଳାଇବାରେ ସଫଳ ହେଉଛନ୍ତି । ଯାହାକି ଜାତୀୟ ହାର ଠାରୁ ବହୁତ କମ୍ ରହିଛି । 

ସେ ଆହୁରି କହିଛନ୍ତି କି, ପିପିଲି ଓ ବେବିନା ଗଣଦୁଷ୍କର୍ମ ଘଟଣାରେ କ୍ରାଇମବ୍ରାଂଚ ତଦନ୍ତ କଣ  ତାହା ସ୍ପଷ୍ଟ  ବାରି ହୋଇପଡୁଛି । ରାଜ୍ୟରେ ବିଶେଷ କରି ମହିଳା ବିରୋଧୀ ହିସାଂ ମାମଲାରେ କ୍ରାଇମବ୍ରାଂଚ ତଦନ୍ତର ଫଳ ଶୂନ । ପ୍ରକୃତ ଅଭିଯୁକଙ୍କୁ ଧରିବାରେ କ୍ରାଇମବ୍ରାଂଚ ସକ୍ଷମ ହେଉନାହିଁ । ସେହିପରି ମେୟର ଅନନ୍ତ ନାରାୟଣ ଜେନାଙ୍କ ଋଷି ହତ୍ୟାକାଣ୍ଡରେ ସଂପୃକ୍ତି ରହିଥିବା ଅଭିଯୋଗ ହୋଇଥିଲା । ଘଟଣାର କ୍ରାଇମବ୍ରାଂଚ ତଦନ୍ତର ପ୍ରତିଫଳନ ସ୍ପଷ୍ଟ ବାରି ହୋଇପଡୁଛି । ରାଜ୍ୟରେ ଏପରି ସ୍ଥିତି କଣ ପାଇଁ ସୃଷ୍ଟି ହୋଇଛି ଏହାର ଜବାବ ମୁଖ୍ୟମନ୍ତ୍ରୀ ଦେବାକୁ ଶ୍ରୀ ମହାପାତ୍ର ଦାବି କରିଛନ୍ତି ।

Subscribe

National International State Sports Entertainment