Home >
ବିକାନେର ଜମି ଘୋଟାଲାରେ ରବର୍ଟ ଭଦ୍ରାଙ୍କୁ ୯ ଘଣ୍ଟା ଧରି ଜେରା କଲା ଇଡି, କାଲି ପୁଣି ଥରେ ହେବେ ହାଜର
Khabar Odisha:national-odisha-bikaner-land-scam-ed-will-question-robert-vadra-today
ଜୟପୁର, ଫେବୃଆରୀ ୧୨(ଖବର ଓଡ଼ିଶା):

ରାଜସ୍ଥାନର ଚର୍ଚ୍ଚିତ ବିକାନେର ଜମି ଜାଲିଆତି ମାମଲାରେ କଂଗ୍ରେସ ମହାସଚିବ  ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପତି ରବର୍ବ ଭଦ୍ରାଙ୍କୁ ଇଡି ମଙ୍ଗଳବାର ଜେରା କରିଛି।  ରବର୍ଟ ଭଦ୍ରାଙ୍କ ସହିତ ଏହି ମାମଲାର ତଦନ୍ତକୁ ନେଇ ତାଙ୍କ ମା ମୌରୀନଙ୍କୁ ମଧ୍ୟ ଜେରା କରାଯାଇଛି। ଭଦ୍ରାଙ୍କ ଓକିଲଙ୍କ ମୁତାବକ ଆଜି ଭଦ୍ରାଙ୍କୁ ପାଖାପାଖି ୯ ଘଣ୍ଟା ପର୍ଯ୍ୟନ୍ତ ଇଡି ଜେରା କରିଛି। ଆସନ୍ତାକାଲି ମଧ୍ୟ  ଭଦ୍ରାଙ୍କୁ ଜେରା ଜାରି ରହିବ। ଏଥିପାଇଁ ଆସନ୍ତାକାଲି ଭଦ୍ରାଙ୍କୁ ସକାଳ ୧୦ଟା ୩୦ରେ ଇଡି ଦପ୍ତରରେ ହାଜr ହେବାକୁ ପଡ଼ିବ। ଅନ୍ୟ ପଟେ ଏହି ମାମଲାରେ ଆଜି ତାଙ୍କ ମାକୁ ଜେରା ପୂରା ହୋଇଛି।

ଉଲ୍ଲେଖଯୋଗ୍ୟ,  ମଙ୍ଗଳବାର ସକାଳେ  ଭଦ୍ରା ନିଜର ମା ମୌରିନଙ୍କ ସହିତ ଜୟପୁର ସ୍ଥିତ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ର  ଦପ୍ତରରେ ପହଞ୍ଚିଥିଲେ। ଏହି ସମୟରେ ତାଙ୍କ ସହିତ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉପସ୍ଥିତ ଥିଲେ। ପ୍ରିୟଙ୍କା ଯେବେ ଇଡି ଦପ୍ତର ବାହାରେ ପହଞ୍ଚିଲେ, ସେହି ସମୟରେ ଉପସ୍ଥିତ ସମର୍ଥକ ପ୍ରିୟଙ୍କା ଗାନ୍ଧୀ ଜିନ୍ଦାବାଦ ନାରା ଲଗାଇଥିଲେ। 

ଭଦ୍ରା  ଜମି ଘୋଟାଲା  ମାମଲାରେ ଜୟପୁରରେ ଇଡି ସମ୍ମୁଖରେ ପ୍ରଥମ ଥର ହାଜର ହୋଇଛନ୍ତି। ଏହା ପୂର୍ବରୁ  ଇଡି ତାଙ୍କୁ ଦିଲ୍ଲୀରେ କ୍ରମାଗତ ତିନି ଦିନ ଫେବୃଆରୀ ୭ ରୁ ୯ ପର୍ଯ୍ୟନ୍ତ ଜେରା କରୁଥିଲା। ଇଡି ଭଦ୍ରାଙ୍କୁ ଫେବୃଆରୀ ୭ରେ ପାଞ୍ଚ ଘଣ୍ଟା ଜେରା କରିଥିବା ବେଳେ  ଶୁକ୍ରବାର  ପାଖାପଖି ୯ ଘଣ୍ଟା ଜେରା କରିଥିଲା। ଏହି ପରି ଫେବୃଆରୀ ୯ରେ ଇଡି ଭଦ୍ରାଙ୍କୁ ପ୍ରାୟ ଆଠ ଘଣ୍ଟା ଜେରା କରିଥିଲା। 

କଣ ଏହି ପୂରା ମାମଲା

ଏହି ଜମି ଘୋଟାଲା ମହାଜନ ଫିଲ୍ଡ ଫାୟରିଂ ରେଞ୍ଜ ବିସ୍ଥାପିତଙ୍କ ନାମରେ ହୋଇଥିବା ନକଲି ଆବଣ୍ଟନ ସହିତ ଜଡ଼ିତ ରହିଛି। ନକଲି ଦସ୍ତାବିଜ ତିଆରି କରି ଏହି ଜମିକୁ ଏମିତି ଲୋକ ନିଜ ନାମରେ କରାଇ ନେଇଥିଲେ, ଯେଉଁମାନେ ବାସ୍ତବରେ ବିସ୍ଥାପିତ ଚାଷୀ ନୁହନ୍ତି। ଏହା ପରେ ଏହି ଜମି ବିକ୍ରି ହୋଇ ଚାଲିଥିଲା। ରବର୍ଟ ଭଦ୍ରାଙ୍କ କମ୍ପାନୀ ସ୍କାଇଲାଇଟ ମଧ୍ୟ ଏଠାରେ ୭୪.୮୫ ଏକର ଜମି କିଣିଛି ଏବଂ ଏହାକୁ ଅଧିକ ଦରରେ ବିକ୍ରି କରିଛି। 

କୋର୍ଟରେ ଚାର୍ଜସିଟ୍ ଦାଖଲ କରିବା ପରେ ଇଡି ୨୦୧୫  ସେପ୍ଟେମ୍ବରରେ ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲା। ୨୦୧୬ ମେରେ ଏହି ମାମଲାକୁ ନେଇ କିଛି ଲୋକଙ୍କୁ ଗିରଫ କରାଯାଇଥିଲା। ଯାହା ପରେ ଇଡି ଭଦ୍ରାଙ୍କ କମ୍ପାନୀ ବିରୋଧରେ ନୋଟିସ୍ ଜାରି କରିଥିଲା। ଏହି ନୋଟିସ୍ ବିରୋଧରେ ଭଦ୍ରାଙ୍କ କମ୍ପାନୀ ହାଇକୋର୍ଟର ଦ୍ଵାରସ୍ଥ ହୋଇଥିଲା।  କୋର୍ଟରୁ ଆଶ୍ଵସ୍ତି ନମିଳିବାରୁ ଭଦ୍ରାଙ୍କୁ ଏବେ ଇଡିର ଜେରାର ସମ୍ମୁଖୀନ ହେବାକୁ ପଡ଼ୁଛି। 

  • Tags:

Subscribe

National International State Sports Entertainment