Home >
ରଙ୍ଗନା ହେରାଥଙ୍କୁ ବିଦାୟୀ ଉପହାର ଦେଇ ପାରିଲାନି ଶ୍ରୀଲଙ୍କା, ପ୍ରଥମ ଟେଷ୍ଟରେ ଇଂଲଣ୍ଡଠୁ ୨୧୧ ରନରେ ପରାଜିତ
Khabar Odisha:england-win-first-test-by-sri-lanka-cricket-team
ଗଲ,ନଭେମ୍ବର୦୯(ଖବର ଓଡ଼ିଶା):

 ଗଲରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ଆୟୋଜକ ଶ୍ରୀଲଙ୍କାକୁ ୨୧୧ରନରେ ପରାସ୍ତ କରିଛି। ବିଦେଶରେ ଖେଳିଥିବା ଗତ ୧୩ଟି ମ୍ୟାଚ୍ ପରେ ଇଂଲଣ୍ଡର ଏହା ହେଉଛି  ପ୍ରଥମ ଟେଷ୍ଟ ବିଜୟ। ଏହି ଟେଷ୍ଟ ଖେଳି ଦୁନିଆର ସବୁଠୁ ସଫଳ ସ୍ପିନର ରଙ୍ଗନା ହେରାଥ କ୍ରିକେଟରୁ ବିଦାୟ ନେଇଛନ୍ତି। ସେ ଅନ୍ତିମ ବ୍ୟାଟସମ୍ୟାନ ଭାବେ ଆଉଟ୍ ହୋଇଛନ୍ତି। ଏହି ପରି ଶ୍ରୀଲଙ୍କା ନିଜର ସଫଳ ବୋଲରଙ୍କୁ ବିଜୟ ସହିତ ବିଦାୟ ଦେବାରେ ବିଫଳ ହୋଇଛି। ଗଲ କ୍ରିକେଟରୁ ନିଜର ପଦାର୍ପଣ ମ୍ୟାଚ୍ ଖେଳିଥିବା ହେରାଥ ସେହି ପଡିଆରେ ନିଜର ଅନ୍ତିମ ମ୍ୟାଚ୍ ଖେଳି କ୍ରିକେଟକୁ ଅଲବିଦା କହିଛନ୍ତି।

ଶ୍ରୀଲଙ୍କା ସମ୍ମୁଖରେ ୪୬୨ ରନର ବିଜୟ ଲକ୍ଷ୍ୟ ଥିଲା। ଜବାବରେ ଘରୋଇ ଦଳ ଚତୁର୍ଥ ଦିନରେ ୨୫୦ ରନରେ ଅଲଆଉଟ୍ ହୋଇଥିଲା। ଇଂଲଣ୍ଡ ପକ୍ଷରୁ ମୋଇନ ଅଲ୍ଲୀ ଚାରୋଟି ଓ ଜ୍ୟାକ ଲିଚ ତିନୋଟି ଓ୍ଵିକେଟ୍ ନେଇଛନ୍ତି। ଇଂଲଣ୍ଡ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଶ୍ରୀଲଙ୍କାଠୁ ୧୩୯ ରନରେ ଆଗୁଆ ଥିଲା। ଗୁରୁବାର ଖେଳର ତୃତୀୟ ଦିନରେ କିଟୋନ ଜୋନିଙ୍ଗ୍ସଙ୍କ ଅପରାଜିତ ୧୪୬ ରନ ବଳରେ ଇଂଲଣ୍ଡ ଦ୍ଵିତୀୟ ଇନିଂସରେ ୬ ଓ୍ଵିକେଟ୍ ହରାଇ ୩୨୨ ରନରେ ପାଳି ସମାପ୍ତି ଘୋଷଣା କରିଥିଲା। 

୪୬୨ ରନର ଲକ୍ଷ୍ୟ ପିଛା କରିଥିବା ଶ୍ରୀଲଙ୍କାର ଦୁଇ ଓପନର ଦିମୁଥ କରୁଣାରତ୍ନେ(୨୬) ଓ କୌଶଲ ସିଲଭା(୩୦) ପ୍ରଥମ ଓ୍ଵିକେଟରେ ୫୧ ରନ ଯୋଡି ଦଳ ପାଇଁ ଆଶା ସଞ୍ଚାର କରିଥିଲେ। ମାତ୍ର ୫୯ ରନ ସ୍କୋର ମଧ୍ୟରେ ଦୁଇ ଓପନର ଆଉଟ୍ ହେବା ପରେ ଶ୍ରୀଲଙ୍କା ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା। ମଧ୍ୟ କ୍ରମରେ ଆଞ୍ଜେଲା ମାଥ୍ୟୁସ୍ ଓ କୁସଲ ମେଣ୍ଡିସଙ୍କୁ ବାଦ୍ ଦେଲେ ବାକି ବ୍ୟାଟସମ୍ୟାନ ଅଧିକ ସମୟ ତିଷ୍ଠି ପାରିନତିଲେ। ଦଳ ପକ୍ଷରୁ ମାଥ୍ୟୁସ୍ ସର୍ବାଧିକ ୫୩ ରନ କରିଥିବା ବେଳେ ମେଣ୍ଡିସ ୪୫ ରନ କରିଥିଲେ। ଶେଷ ଆଡକୁ ଦିଲରୁଓ୍ଵାନା ପେରେରା ୩୦ ରନର ପାଳି ଖେଳିଥିଲେ। 

ଇଂଲଣ୍ଡ ପକ୍ଷରୁ ସଫଳ ବୋଲର ଭାବେ ମୋଇନ ଅଲ୍ଲୀ ୭୧ ରନ ଦେଇ ୪ ସଫଳତା ପାଇଥିବା ବେଳେ  ଜ୍ୟାକ ଲିଚ୍ ୬୦ ରନ ଦେଇ ୩ ଓ୍ଵିକେଟ୍ ନେଇଥିଲେ। ବିଦାୟୀ ମ୍ୟାଚ୍ ଖେଳିଥିବା ଶ୍ରୀଲଙ୍କାର ରଙ୍ଗନା ହେରାଥ ମୋଟ୍ ୩ଟି ଓ୍ଵିକେଟ୍ ନେଇଥିଲେ। 

ରଙ୍ଗନା ହେରାଥଙ୍କ ବିଷୟରେ

ହେରାଥ ଶ୍ରୀଲଙ୍କା ପାଇଁ ୯୩ଟି ଟେଷ୍ଟ ଖେଳି ୨୭.୯୫  ହାରରେ ୪୩୩ଟି ଓ୍ଵିକେଟ୍ ନେଇଛନ୍ତି। ଏହି ବାମହାତୀ ସ୍ପିନର ୩୪ ଥର ଗୋଟିଏ ପାଳିରେ ପାଞ୍ଚଟି ଓ୍ଵିକେଟ୍ ନେବାର ଉପଲବ୍ଧି ହାସଲ କରିଛନ୍ତି। କ୍ୟାରିୟରର ଅନ୍ତିମ ଟେଷ୍ଟରେ ତିନୋଟି ଓ୍ଵିକେଟ୍ ନେଇ ସେ ନ୍ୟୁଜିଲାଣ୍ଡର ମହାନ ବୋଲର ରିଚାର୍ଡ ହେଡଲୀଙ୍କ ରେକର୍ଡକୁ ଭାଙ୍ଗିଛନ୍ତି। ହେଡଲୀ ଟେଷ୍ଟରେ ୪୩୧ଟି ଓ୍ଵିକେଟ୍ ନେଇଛନ୍ତି। ଏହା ସହିତ ଟେଷ୍ଟ କ୍ରିକେଟରେ ସର୍ବାଧିକ ଓ୍ଵିକେଟ୍ ନେବା ମାମଲାରେ ସେ ଅଷ୍ଟମ ସ୍ଥାନରେ ପହଞ୍ଚିଛନ୍ତି।

ହେରାଥ ଶ୍ରୀଲଙ୍କା ପକ୍ଷରୁ ସର୍ବାଧିକ ଓ୍ଵିକେଟ୍ ନେଇଥିବା ମୁଥୈୟା ମୁରଲୀଧରଣଙ୍କ ପରେ ଦ୍ଵିତୀୟ ସର୍ବଶ୍ରେଷ୍ଠ ବୋଲର ଅଟନ୍ତି। ମୂରଲୀଙ୍କ ନାମରେ ୮୦୦ଟି ଟେଷ୍ଟ ଓ୍ଵିକେଟ୍ ରହିଛି। ଉଲ୍ଲେଖନୀୟ ହେରାଥ ୧୯୯୯ରେ ଗଲରେ ହିଁ ଟେଷ୍ଟ ପଦାର୍ପଣ କରିଥିଲେ। ସେ ନିଜ କ୍ୟାରିୟରର ଅନ୍ତିମ ଟେଷ୍ଟ ଗଲରେ  ଖେଳି କ୍ରିକେଟରୁ ବିଦାୟ ନେଇଛନ୍ତି।

Subscribe

National International State Sports Entertainment