Home >
ଲର୍ଡ୍ସ ଟେଷ୍ଟ: ରନ ଆଉଟ୍ ହୋଇ ପୂଜାରା କଲେ ଲଜ୍ଜାଜନକ ରେକର୍ଡ
Khabar Odisha:cheteshwar-pujara-lords-run-out-virat-kohli-records-2nd-test-match-england-vs-india
ନୂଆଦିଲ୍ଲୀ, ଅଗଷ୍ଟ୧୦(ଖବର ଓଡ଼ିଶା):

ପ୍ରଥମ ଦିନର ଖେଳ ବର୍ଷାରେ ଧୋଇ ହୋଇଯିବା ପରେ ଲର୍ଡ୍ସରେ ଆଜି ଦ୍ଵିତୀୟ ଦିନର ଖେଳ ଆରମ୍ଭ ହୋଇଥିଲା। ଗୋଟିଏ ପଟେ  ବର୍ଷାର ଲୁଚକାଳି ଖେଳ ଚାଲିଥିବା ବେଳେ ଅନ୍ୟ ପଟେ ଭାରତର ଓ୍ଵିକେଟ୍ ଖସି ଚାଲିଥିଲା। ଲର୍ଡ୍ସରେ ଟସ୍ ହାରିବା ଭାରତୀୟ ଦଳ ପାଇଁ ମୁସ୍କିଲ ପରିସ୍ଥିତି ସୃଷ୍ଟି କରିଛି। କାରଣ ବର୍ତ୍ତମାନର ଅବସ୍ଥା ଦ୍ରୁତ ବୋଲର ସପକ୍ଷରେ ରହିଛି। 

ପ୍ରଥମେ ଜେମ୍ସ ଆଣ୍ଡରସନ ୭ ଓଭରରେ ହିଁ ଭାରତର ଦୁଇ ଓପନରକୁ ପାଭିଲିୟନର ରାସ୍ତା ଦେଖାଇଥିଲେ। ଏହା ପରେ ଜୋରରେ ବର୍ଷା ଆରମ୍ଭ ହୋଇଥିଲା ଏବଂ ଖେଳ ବନ୍ଦ ରହିଥିଲା। ଯେବେ ବର୍ଷା ଛାଡିଲା ତୁରନ୍ତ ଖେଳ ଆରମ୍ଭ ହୋଇଥିଲା ଏବଂ ଏହାର ଦ୍ଵିତୀୟ ଓଭରରେ ପୂଜାରା ରନ ଆଉଟ୍ ହେବା ଭାରତକୁ ଏବେ ବ୍ୟାକଫୁଟକୁ ଠେଲି ଦେଇଛି। 

ଭାରତୀୟ ପାଳିର ଅଷ୍ଟମ ଓଭରର ତୃତୀୟ ବଲରେ ପୂଜାରା ରିକ୍ସରେ ଏକ ରନ ନେବାକୁ ଉଦ୍ୟମ କରିଥିଲେ ଏବଂ ଅଧିନାୟକ କୋହଲିଙ୍କ ସହିତ ଭୁଲ ବୁଝାମଣାରେ ରନ ଆଉଟ୍ ହୋଇଥିଲେ। ଦଳ ୩ ଓ୍ଵିକେଟ୍ ବିନିମୟରେ ୧୫ ରନ କରିଛି।

ଏହା ସହିତ ପୂଜାରା ଟେଷ୍ଟ କ୍ରିକେଟରେ ରନ ଆଉଟ୍ ହେବାର ଲଜ୍ଜାଜନକ ରେକର୍ଡ କରିଛନ୍ତି। ପୂଜାରା ଟେଷ୍ଟ କ୍ରିକେଟରେ ପଦାର୍ପଣ କରିବା ପରଠୁ ଏ ପର୍ୟ୍ୟନ୍ତ ସର୍ବାଧିକ ୭ ଥର ରନ ଆଉଟ୍ ହୋଇ ସାରିଛନ୍ତି। ରନ ଆଉଟ୍ ହେବାରେ ପୂଜାରା ରେକର୍ଡ କରିଛନ୍ତି। 

ପୂଜାରା ୨୦୧୦ରେ ଟେଷ୍ଟରେ ପଦାର୍ପଣ କରିଥିଲେ ଏବଂ ୮ ବର୍ଷ ମଧ୍ୟରେ ପୂଜାରା ସବୁଠୁ ଅଧିକ ୭ ଥର ରନ ଆଉଟ୍ ହୋଇଛନ୍ତି। ତାଙ୍କ ପଛକୁ ଅଛନ୍ତି ଶ୍ରୀଲଙ୍କାର ସ୍ପିନର ରଙ୍ଗନା ହେରାଥ ଓ ନ୍ୟୁଜିଲାଣ୍ଡର ଅନୁଭବୀ ବ୍ୟାଟସମ୍ୟାନ ରସ ଟେଲର।  ଉଭୟ ଖେଳାଳି ୫ ଥର ଲେଖାଏଁ ରନ ଆଉଟ୍ ହୋଇଛନ୍ତି। ଏହି କ୍ରମରେ ଦକ୍ଷିଣ ଆଫ୍ରିକାର ବଡ଼ ଖେଳାଳି ହାସିମ ଆମଲା ଓ ପାକିସ୍ତାନର ଅଜହର ଅଲୀ ୪ ଥର ଲେଖାଏଁ ରନ ଆଉଟ୍ ହୋଇଛନ୍ତି। 

ଭାରତୀୟ ବ୍ୟାଟସମ୍ୟାନଙ୍କ ଉପରେ ନଜର ପକାଇଲେ ଦେଖାଯିବ ଯେ ପୂଜାରା ୨୦୧୬ରୁ ଏ ପର୍ୟ୍ୟନ୍ତ ୫ ଥର ଟେଷ୍ଟ ମ୍ୟାଚରେ ରନ ଆଉଟ୍ ହୋଇଛନ୍ତି। ଏହି ସମୟରେ ମୁରଲୀ ବିଜୟ, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ ଓ କରୁଣ ନାୟର ଏହି ପାଞ୍ଚ ଖେଳାଳି ମିଶି ୫୪ ଥର ରନ ଆଉଟ୍ ହୋଇଛନ୍ତି। 

  • Tags:

Subscribe

National International State Sports Entertainment