Home >
ଭଣ୍ଡାରୀଙ୍କୁ ଆକ୍ରମଣ କରିଥିବା କ୍ରିକେଟର ଉପରେ ଆଜୀବନ ପ୍ରତିବନ୍ଧକ ଲଗାଇଲା ଡିଡିସିଏ
Khabar Odisha:Sports-cricket-odisha-ddca-impose-life-ban-on-cricketer-anuj-dedha
ନୂଆଦିଲ୍ଲୀ, ଫେବୃଆରୀ ୧୨(ଖବର ଓଡ଼ିଶା):

ଦିଲ୍ଲୀ କ୍ରିକେଟର ମୁଖ୍ୟ ଚୟନକର୍ତ୍ତା ତଥା ଭାରତର ପୂର୍ବତନ ଦ୍ରୁତ ବୋଲର  ଅମିତ ଭଣ୍ଡାରୀଙ୍କୁ ନିଜ ସାଥୀଙ୍କ ସହିତ ମାଡ଼ ମାରିଥିବା  ୨୩ ବର୍ଷରୁ କମ କ୍ରିକେଟ୍ ଖେଳାଳି ଅନୁଜ ଡେଢା ଓ  ତାଙ୍କ ଭାଇ ନରେଶଙ୍କୁ କ୍ରିକେଟରୁ ଆଜୀବନ ବାସନ୍ଦ କରିଛି ଦିଲ୍ଲୀ ଡିଷ୍ଟ୍ରିକ୍ କ୍ରିକେଟ୍ ଆସୋସିଏସନ(ଡିଡିସିଏ)।  ଡିଡିସିଏ ଅଧ୍ୟକ୍ଷ ରଜତ ଶର୍ମା ଏହି ଖେଳାଳିଙ୍କ ଉପରେ ପ୍ରତିବନ୍ଧକ ଲଗାଇବା ସହିତ ଭଣ୍ଡାରୀଙ୍କ ଉପରେ କିଛି ଖାସ୍ ଖେଳାଳିଙ୍କ ଚୟନ ନେଇ  ଚାପ ଦିଆଯାଉଥିବା ସମ୍ବନ୍ଧିତ ଅଭିଯୋଗର ତଦନ୍ତ  ଆରମ୍ଭ କରିବାକୁ ମଧ୍ୟ କହିଛନ୍ତି।

ଶର୍ମା ମଙ୍ଗଳବାର କହିଛନ୍ତି ଯେ, ମୁଁ ବୀରେନ୍ଦ୍ର ସେହ୍ଵାଗ ଓ ଗୌତମ ଗମ୍ଭୀରଙ୍କ ପରାମର୍ଶ ସହିତ ସହମତ ଏବଂ ଅନୁଜଙ୍କ ଉପରେ ଆଜୀବନ ପ୍ରତିବନ୍ଧକ ଲଗାଉଛି। ଏହା ସହିତ ଶର୍ମା ଦିଲ୍ଲୀର ଉପରାଜ୍ୟପାଳ ଅନିଲ ବୈଜଲଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି। ବୈଜଲଙ୍କୁ ସେ ଅନୁରୋଧ କରିଛନ୍ତି ଯେ ଦିଲ୍ଲୀ ପୋଲିସଙ୍କୁ ନିଜର ତଦନ୍ତକୁ କେବଳ ଏହି ଦୁଇ ଜଣ ଖେଳାଳିଙ୍କ ମଧ୍ୟରେ  ସୀମିତ ରଖିବା ଉଚିତ୍ ନୁହେଁ। 

ଶର୍ମା କହିଛନ୍ତି ଯେ, ଏଥିରେ କୌଣସି ବଡ଼ ଷଡ଼ଯନ୍ତ୍ରର ତଦନ୍ତ କରିବା ଉଚିତ୍।  ସେହି ଅଭିଯୋଗର ମଧ୍ୟ ତଦନ୍ତ କରିବାକୁ ଆଦେଶ ଦିଆଯାଇଛି, ଯେଉଁଥିରେ କୁହାଯାଇଛି ଯେ ଚୟନକର୍ତ୍ତାଙ୍କୁ କିଛି ଖାସ୍ ଖେଳାଳିଙ୍କ ଚୟନ ପାଇଁ କୁହାଯାଉଛି। ଚଳିତ ବର୍ଷ ଏମିତି ଅନେକ ଅଭିଯୋଗ ଆସିଛି। ଉପରାଜ୍ୟପାଳ ଏହି ମାମଲାରେ ସହଯୋଗ କରିବାକୁ ପୂରା ଆଶ୍ଵାସନ ଦେଇଛନ୍ତି। 

ଉଲ୍ଲେଖଯୋଗ୍ୟ, ସୋମବାର ଭଣ୍ଡାରୀ ସେଣ୍ଟ ଷ୍ଟିଫନ ପଡ଼ିଆରେ ପହଞ୍ଚିଥିଲେ। ଏଠାରେ ସୈୟଦ ମୁସ୍ତାକ ଅଲୀ ରାଷ୍ଟ୍ରୀୟ  ଟି-୨୦ ଟୂର୍ଣ୍ଣାମେଣ୍ଟକୁ ଦୃଷ୍ଟିରେ ରଖି ଦଳର ଚୟନ ପ୍ରକ୍ରିୟା ଚାଲିଥିଲା। ଏଠାରେ ୨୩ ବର୍ଷରୁ କମ ଟୂର୍ଣ୍ଣାମେଣ୍ଟ ପାଇଁ ସମ୍ଭାବିତ ଖେଳାଳିଙ୍କ ଚୟନ କରାଯାଇଥିଲା। ଏଥିରେ ଅନୁଜଙ୍କୁ ଚୟନ କରାଯାଇନଥିଲା। ଦିଲ୍ଲୀ ଟିମରେ ଚୟନ ହୋଇନଥିବାରୁ କ୍ରୋଧିତ ହୋଇ ଅନୁଜ ଡେଢା ନିଜର କିଛି ସାଥୀଙ୍କ ସହ ଭଣ୍ଡାରୀଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମନରେ ଭଣ୍ଡାରୀଙ୍କ ମୁଣ୍ଡ ଓ କାନରେ ଆଘାତ ଲାଗିଛି। 

  • Tags:

Subscribe

National International State Sports Entertainment