Home >
ଆନ୍ଧ୍ରରୁ ଓଡିଶାକୁ ଆସୁଛି ବିଷ ମାଛ: ଆସାମରେ ବ୍ୟାନ୍, ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ
Khabar Odisha:Odisha-to-probe-presence-of-cancer-causing-Formalin-in-fish-imported-from-Andhra
ଭୁବନେଶ୍ୱର, ଜୁଲାଇ ୧୨(ଖବର ଓଡ଼ିଶା):

 ଆନ୍ଧ୍ରପ୍ରଦେଶ ମାଛକୁ ଆସାମ ସରକାର ବ୍ୟାନ୍ କରିବା ପରେ ଏବେ ଓଡ଼ିଶା ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଆନ୍ଧ୍ର ପ୍ରଦେଶରୁ ଓଡ଼ିଶାକୁ ଆସୁଥିବା ମାଛରେ ରସାୟନଯୁକ୍ତ ଦ୍ରବ୍ୟ ମିଶିବା ଫଳରେ ତାହା କ୍ୟାନସର ରୋଗ ସୃଷ୍ଟି କରୁଥିବା ନେଇ ଅଭିଯୋଗ ହେବା ପରେ ଏହାର ଅନୁଧ୍ୟାନ କରିବା ପାଇଁ କୃଷି ଓ ମତ୍ସ୍ୟ ସମ୍ପଦ ମନ୍ତ୍ରୀ ପ୍ରଦୀପ ମହାରଥୀ ନିର୍ଦ୍ଦେଶ ହୋଇଛନ୍ତି।   

ଶ୍ରୀ ମହାରଥୀ କହିଛନ୍ତି ଯେ, ଆନ୍ଧ୍ରରୁ ଓଡ଼ିଶାକୁ ଆସୁଥିବା ମାଛରେ ରାସାୟନିକ ଅଛି କି ନାହିଁ ତାହାର ଯାଞ୍ଚ କରାଯିବ। ଏହାସହ ବଜାରକୁ ଆସୁଥିବା ମାଛର ମଧ୍ୟ ଅନୁଧ୍ୟାନ ହେବ। ଏନେଇ ମତ୍ସ୍ୟ ସଂପଦ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମତ୍ସ୍ୟ ନିର୍ଦ୍ଦେଶକଙ୍କ ସହ କଥା ହୋଇ ସେମାନେ ତଦନ୍ତ ବ୍ୟବସ୍ଥା କରିବେ । ତଦନ୍ତ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ। ଘଟଣାଟି ସତ୍ୟ ହୋଇଥିଲେ ସରକାରଙ୍କ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶରୁ ଆସୁଥିବା ମାଛକୁ ସତେଜ ରଖିବା ପାଇଁ ଏଥିରେ ମାରାତ୍ମକ ରାସାୟନିକ ଦ୍ରବ୍ୟ ଫାର୍ମାଲିନ ବ୍ୟବହାର  କରାଯାଉଥିବା ଅଭିଯୋଗ ହୋଇଥିଲା। ଏହି ରସାୟନିକ ଦ୍ରବ୍ୟ ଏତେ କ୍ଷତିକାରକ ଯେ, ମନୁଷ୍ୟ ଶରୀରରେ ମିଶଲେ ଏହା କ୍ୟାନସର ପରି ରୋଗ ସୃଷ୍ଟି କରାଇଥାଏ। ଏହି କାରଣରୁ ଆସାମ ସରକାର ଆନ୍ଧ୍ର ମାଛର ଆମଦାନୀ ଓ ବିକ୍ରି ଉପରେ ବ୍ୟାନ୍ ଲଗାଇଛନ୍ତି। ଏହି ଘଟଣା ଜଣାପଡିବା ପରେ ଓଡ଼ିଶାର ଲୋକଙ୍କ ମନରେ ଛନକା ପଶିଛି। ବିଶେଷ କରି ରାଜ୍ୟକୁ ଆନ୍ଧରୁ ଅଧିକାଂଶ ମାଛ ଆସୁଥିବାରୁ  ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପରି ପଦକ୍ଷେପ ନେଇଛନ୍ତି। 

  • Tags:

Subscribe

National International State Sports Entertainment