Home >
ବାରୁଦ ଗଦାରେ କେନ୍ଦ୍ରାପଡା ବିଜେଡି ! ଅତନୁ ଓ ବୈଜୟନ୍ତଙ୍କ ଶକ୍ତିହରଣ, ପାୱାର କରିଡରରେ ଯୋଡିହେଲା ନୂଆ ଠିକଣା
Khabar Odisha:BJD-Kendrapara-Politics-Baijayanta-Panda-Atanu-Sabyasachi-Nayak-Pratap-Dev

 ରାଜ୍ୟ ରାଜନୀତିରେ ସବୁଠାରୁ ଗୁରୁତ୍ବବହନ କରୁଥିବା କେନ୍ଦ୍ରାପଡାର ବିଜେଡି ରାଜନୀତି ଏବେ ସରଗରମ  । ଦଳରେ ନେତାଙ୍କ ମଧ୍ୟରେ ଦେଖାଦେଇଥିବା ଅସନ୍ତୋଷ ଏବେ ଚରମସୀମାରେ  । ଖୋଲାଖୋଲି ଭାବେ କେହି ନିଜର ଅସନ୍ତୋଷ ନେଇ ମୁହଁ ଖୋଲୁନଥିଲେ ମଧ୍ୟ ପରସ୍ପର ମଧ୍ୟରେ ଏବେ ଗୋଛି କଟାକଟିରେ ଲାଗିପଡିଛନ୍ତି ନେତା  । 2019 ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ଯଦି ଏହିପରି ଚାଲି ରହିବ ତାହାହେଲେ ଏହା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହେବ ବୋଲି ରାଜନୈତିକ ବିଶାରଦ ମାନଙ୍କ ମହଲରେ ଆଲୋଚନାର ବିଷୟ ପାଲଟିଛି  ।

ନିକଟରେ ମନ୍ତ୍ରୀମଣ୍ଡଳର ଅଦଳବଦଳ ସହ ସାଙ୍ଗଠନିକ ସ୍ତରରେ ବଡ ପରିବର୍ତନ ପରେ ବଦଳିଯାଇଛି କେନ୍ଦ୍ରାପଡା ରାଜନୀତିର ଦୃଶ୍ୟପଟ  । ଜିଲାକୁ ଦଳ ଏତେଟା ଗୁରୁତ୍ବ ଦେଇନାହିଁ  । ଜଣଙ୍କୁ ହେଲେ ବି ମନ୍ତ୍ରୀ ପଦ ମିଳିନି  । ଏହି ଘଟଣା ପରେ ନେତାଙ୍କ ମଧ୍ୟରେ ଜାରି ରହିଛି ଛକାପଞ୍ଝା  । ଆରମ୍ଭ ହୋଇଛି ପରସ୍ପରକୁ ନେଇ ଅସନ୍ତୋଷ  । ସତେ ଯେପରି ବାରୁଦ ଗଦା ଉପରେ ଠିଆ ହୋଇ ରହିଛି ବିଜେଡି  । କେତେବେଳେ ଏହା ବିସ୍ପୋରଣ ରୂପ ନେଇପାରେ ବୋଲି ରାଜନୈତିକ ସମୀକ୍ଷକଙ୍କ ମହଲରେ ଆଲୋଚନା ହେବାରେ ଲାଗିଛି  ।

 
ବର୍ଷବର୍ଷ ଧରି ରାଜ୍ୟ ରାଜନୀତିକୁ କେନ୍ଦ୍ରପଡା ଜିଲା ପ୍ରଭାବିତ କରି ଆସିଥିବା ବେଳେ ଚଳିତ ମନ୍ତ୍ରୀମଣ୍ଡଳ ଅଦଳବଦଳ ପରେ ଜିଲା ହୋଇଯାଇଛି ମନ୍ତ୍ରୀଶୂନ୍ୟ  । ବିଜେଡିର ହେବିୱେଟ ଅତନୁ ସବ୍ୟସାଚ୍ଚୀ ନାୟକ, ବେଦପ୍ରକାଶ ଅଗ୍ରୱାଲଙ୍କ ପରି ନେତା ରହିଥିଲେ ମଧ୍ୟ କାହାରିକୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିନଥିଲା  । ସେହିପରି ବାଚସ୍ପତି, ମୁଖ୍ୟସଚେତକ ପରି ପଦବୀରୁ ମଧ୍ୟ ବଂଚିତ ହେଲେ ଦଳର ନେତା  । ତେବେ ଅଚାନକ ବିଷ୍ଣୁ ଦାସଙ୍କ ଇସ୍ତଫା ପରେ ଖାଲି ପଡିଥିବା ରାଜ୍ୟସଭା ପଦବୀ ପାଇଁ ହାଇକମାଣ୍ଡ ଜିଲାର ବରିଷ୍ଠ ନେତା ପ୍ରତାପ ଦେବଙ୍କୁ ଏହି ସ୍ଥାନ ପ୍ରଦାନ କରିଛନ୍ତି  । ଅନ୍ୟପଟେ ଏହି ଜିଲାର ସାଂସଦ ତଥା ବରିଷ୍ଠ ନେତା ବୈଜୟନ୍ତ ପଣ୍ଡାଙ୍କୁ ସଂସଦୀୟ ଦଳ ମୁଖପାତ୍ର ପଦବୀରୁ କାଢି ନିଆଗଲା  । ଜିଲାରେ ଦୁଇଦୁଇ ଜଣଙ୍କୁ ସାଂସଦ ଭାବେ ଦାୟିତ୍ବ ପ୍ରଦାନ କରି ନବୀନ ଏବେ ଖେଳିଛନ୍ତି ତାଙ୍କର ମାଷ୍ଟରଷ୍ଟ୍ରୋକ  ।
 
 
ଏବେ ଚର୍ଚ୍ଚା ହେଉଛି ବୈଜୟନ୍ତ ଓ ଅତନୁଙ୍କ ଶକ୍ତି ହରଣ ପାଇଁ ଏବେ ସେଠାରେ ନୂଆ ପାୱାର କେନ୍ଦ୍ର ଭାବେ ପ୍ରତାପ ଦେବଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି  । ସେହିପରି ନବୀନଙ୍କ 4ର୍ଥ ଥର ମନ୍ତ୍ରୀମଣ୍ଡଳରେ ଗୁରୁତ୍ବପୂର୍ଣ୍ଣ ସ୍ବାସ୍ଥ୍ୟ ଓ ଲୋକସମ୍ପର୍କ ବିଭାଗର ପଦ ପାଇ ବିବାଦରେ ଆସିଥିବା ଅତନୁ ସବ୍ୟସାଚ୍ଚୀ ନାୟକ ଇସ୍ତଫା ଦେଇଥିଲେ ମଧ୍ୟ ତାଙ୍କୁ ପୁଣିଥରେ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିଲାନି  । ଏପରିକି ଦଳରେ ତାଙ୍କର ପୂର୍ବରୁ ବହୁ କାର୍ତ୍ତି ଥିବା ବେଳେ ତାଙ୍କୁ ଏବେ ଦଳରେ କୋଣଠେସା କରାଯାଇଥିବା ନେଇ ଚର୍ଚ୍ଚା ହେଉଛି  । ଏପରିକି ଛାତ୍ର ଓ ଯୁବ ସଙ୍ଗଠନରେ ତାଙ୍କର ପ୍ରଭାବ ରହିଥିଲେ ମଧ୍ୟ ତାଙ୍କୁ ମଧ୍ୟ ଏଥିରେ କୌଣସି ଦାୟିତ୍ବ ପ୍ରଦାନ କରାଗଲା ନାହିଁ  । ତାଙ୍କ ସମସାମୟିକ ନେତାମାନଙ୍କୁ ସାଙ୍ଗଠନିକ ଦାୟିତ୍ବ ପ୍ରଦାନ କରାଯାଇଥିଲେ ମଧ୍ୟ ଅତନୁ ଏକପ୍ରକାର କୋଣଠେସା  । ଏପରିକି ମୁଖିଆଙ୍କ ଗୁଡ ବୁକରେ ଦିନେ ରହିଥିବା ଏହି ନେତା ଏବେ ଏକପ୍ରକାର କୋଣଠେସା  ।
 
 
ଜିଲା ରାଜନୀତିର ଅନ୍ୟଏକ ଦିଗ ଦେଖିଲେ ଗୋଟିଏ ପଟେ ପାରମ୍ପରିକ ବିରୋଧୀ ଭାବେ ପରିଚିତ ସାଂସଦ ବୈଜୟନ୍ତ ପଣ୍ଡା ଓ ବିଧାୟକ ଅତନୁ ସବ୍ୟସାଚ୍ଚୀ ନାୟକଙ୍କର ସବୁବେଳେ ଛକାପଞ୍ଝା ଲାଗିଥିବା ବେଳେ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇବା ପାଇଁ ମୁଖିଆ ଆରମ୍ଭ କରିଛନ୍ତି ପ୍ରୟାସ  । ଉଭୟଙ୍କ କ୍ଷମତାକୁ ସଙ୍କୁଚିତ କରି ତାଙ୍କର ଏକପ୍ରକାର ପକ୍ଷଛେଦନ ହୋଇଛି ବୋଲି ସମଗ୍ର କେନ୍ଦ୍ରାପଡା ଅ଼ଞ୍ଚଳରେ ବେଶ ଚର୍ଟ୍ଟା ଚାଲିଛି  ।
 
 
ଏପରିକି ଏହି ଦୁଇନେତାଙ୍କର ପାୱାର କରିଡରରେ ବେଶ ଦବଦବା ରହିଥିବା ବେଳେ ଏଥିରେ ଏବେ ନୂଆକରି ପ୍ରତାପ ଦେବଙ୍କ ସ୍ଥାନ ପାଇଗଲା ବୋଲି ରାଜନୈତିକ ବିଶାରଦ ମାନେ ମତପ୍ରକାଶ କରିଛନ୍ତି  । ମୋଟ ଉପରେ କେନ୍ଦ୍ରାପଡା ରାଜନୀତିକୁ ଲକ୍ଷ୍ୟକଲେ ଜିଲାରେ ଏବେ ପ୍ରତାପ ଦେବଙ୍କ ଶକ୍ତି ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଅନ୍ୟ ଦୁଇ ନେତାଙ୍କ ପକ୍ଷ ଛେଦନ କରି ଦଳର ରହିଥିବା ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ହାଇକମାଣ୍ଡ ପ୍ରୟାସ ଆରମ୍ଭ କରିଛନ୍ତି ବୋଲି ଏବେ ସବୁରି ମହଲରେ ମୁଖ୍ୟ ଆଲୋଚନାର ବିଷୟ ପାଲଟିଛି  ।
  • Tags:

Subscribe

National International State Sports Entertainment