ଦାମଙ୍କୁ ପୂର୍ବ ଦୁର୍ନୀତି ମନେ ପକାଇଲେ ବିଷ୍ଣୁ ଦାସ, ଦାମଙ୍କ ଜବାବ- ୧୯୭୪ରେ ବିଷ୍ଣୁଙ୍କ ନାବାଳିକି ଫିଟି ନଥିଲା
Khabar Odisha:dama-rout-and-bishnu-dash-faced-off-after-suspension
ଭୁବନେଶ୍ୱର, ସେପ୍ଟେମ୍ବର ୧୪ (ଖବର ଓଡିଶା):

ପୁଣି ଚର୍ଚ୍ଚାରେ ଦାମ- ବିଷ୍ଣୁ କଳି । ଆଜି ବି ଦାମଙ୍କ ବହିଷ୍କାରକୁ ନେଇ ରାଜ୍ୟ ରାଜନୀତି ଉଷ୍ମ ରହିଛି । ବିରୋଧୀ ନେତା ଦାମ ରାଉତ କହିଥିବା ଦୁର୍ନୀତି କଥା ତଥା ବିଜେଡିର କାର୍ଯ୍ୟକଳାପକୁ ସମାଲୋଚନା କରୁଥିବା ବେଳେ କିଛି ଦଳୀୟ ନେତାଙ୍କ ମୁହଁ ଫୁଟାଣି ଏବେ ମଧ୍ୟ ଭାଙ୍ଗି ନାହିଁ । ବହିଷ୍କାର ହେବାର ଦୁଇ ଦିନ ପରେ ଦାମଙ୍କ ବିରୋଧରେ ପାଟି ଫିଟାଇଛନ୍ତି ତାଙ୍କର ପାରମ୍ପାରିକ ପ୍ରତିଦ୍ୱନ୍ଦୀ ତଥା ବିଜେଡିର ବରିଷ୍ଠ ନେତା ବିଷ୍ଣୁ ଦାସ । 

ଦାମ ରାଉତ ଦେଇଥିବା ପ୍ରତିଟି ପ୍ରତିକ୍ରିୟାକୁ ତାତ୍ସଲ୍ୟ କରିବା ସହ କଟୁ ସମାଲୋଚନା ମଧ୍ୟ କରିଛନ୍ତି ବିଷ୍ଣୁ  । ସେ କହିଛନ୍ତି କି, ଆନ୍ନା ହାଜାରେ କେଉଁଠି ଦାମ କେଉଁଠି । ଆନ୍ନା କେବେ ଦୁର୍ନୀତି କରି ନାହାନ୍ତି । ଖାଲି ଆନ୍ନାଙ୍କ ନାଁ କାହିଁକି ଜୟପ୍ରକାଶଙ୍କ ନାଁ ମଧ୍ୟ ସେ ନିଅନ୍ତୁ ।  ଆନ୍ନାଙ୍କ ପରି ବୁଲିବା କଥାକୁ ମଧ୍ୟ ସେ ହସରେ ଉଡାଇ ଦେଇଛନ୍ତି । 

ଏହା ସହ ଦାମଙ୍କ ବିରୋଧରେ ସାଙ୍ଘାତିକ ଦୁର୍ନୀତି ଅଭିଯୋଗ ଆଣିଛନ୍ତି ଶ୍ରୀ ଦାସ । ତାଙ୍କ କହିବାନୁସାରେ, ଶ୍ରୀ ରାଉତ ୧୯୭୪ ମସିହାରେ ଡାକ୍ତର ଥିବା ବେଳେ ଦୁର୍ନୀତି କରିଥିଲେ । ଷ୍ଟୋର ଦାୟିତ୍ୱରେ ଥିବା ସମୟରେ ସେ ସିମେନ୍ ଦୁର୍ନୀତିରେ ଫସିଥିଲେ । ପ୍ରତାପ ମହାନ୍ତିଙ୍କ ଜରିଆରେ ବିଜୁ ବାବୁଙ୍କୁ ଭେଟି ଦଳରେ ମିଶିଥିଲେ । 

ଦାମଙ୍କ କାଉଂଟର

ବିଷ୍ଣୁଙ୍କ ଆରୋପ ସାମ୍ନାକୁ ଆସିବା ପରେ ନିଜର ଚିରାତଚରିତ ଢଙ୍ଗରେ କାଉଂଟର କରିଛନ୍ତି ଶ୍ରୀ ରାଉତ । ଏହା ସହ ତାଙ୍କର ସମସ୍ତ ଅଭିଯୋଗର କଡା ଉତର ଦେଇଛନ୍ତି । ଦୁର୍ନୀତି ମନ୍ତବ୍ୟରେ ବିଷ୍ଣୁ ଦାସ କଣ ଭିଜିଲାନ୍ସର ଡାଇରେକ୍ଟର ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ରାଉତ । ସେ କହିଛନ୍ତି କି, ୭୪ ମସିହାରେ ବିଷ୍ଣୁଙ୍କ ନାବାଳିକି ଫିଟି ନଥିଲା । ମୁଁ ୬୮ରେ ଡାକ୍ତରୀ ପାସ୍ କରି ୬ ବର୍ଷ ଇନଫର୍ମେସନ୍ ଥିଲି । କହୁଥିବା କଥା ସେ ନିଜେ କରିଥିବେ । ମୁଁ ୧୯୭୭ରୁ ବିଧାୟକ ହୋଇଛି, ୭୪ ଦୁର୍ନୀତି କଥା ସେ କେମିତି ଜାଣିଲା ବୋଲି ଦାମ ପାଲଟା ପ୍ରଶ୍ନ କରିଛନ୍ତି । 

ଶ୍ରୀ ରାଉତ ଆହୁରି ମଧ୍ୟ କହିଛନ୍ତି କି, ୧୯୮୫ରେ ବିଷ୍ଣୁ ଦାସ ସୋମନାଥ ହାଟରେ ବସି ଗୁଲୁଗୁଲା ଖାଉଥିଲେ । ସେ ତାଙ୍କୁ ସେଠାରୁ ଆଣି ଟିକେଟ୍ ଦେଇଥିଲେ । ୬ ମାସ ମନ୍ତ୍ରୀ ରହି ଭଲ କାମ କରି ପୁରସ୍କାର ମଧ୍ୟ ପାଇଥିଲେ  । ଅଭିଜ୍ଞତା ଅଥବା ବୟସରେ ସେ ତାଙ୍କ ସମାସ୍କନ୍ଧ ନଥିବା ଦାମ କହିଛନ୍ତି । 

  • Tags:

Subscribe

National International State Sports Entertainment