କୁଟିଆ କନ୍ଧ ଅଂଚଳରେ ଖାଦ୍ୟ ସୁରକ୍ଷା ଆଇନ୍ ବିଫଳ : ଏବେ ବି ଖାଉଛନ୍ତି ଜଙ୍ଗଲୀ ଫଳ ଓ ଆମ୍ବ ଟାକୁଆ
Khabar Odisha:
ଫୁଲବାଣୀ, ମେ ୧୫(ଖବର ଓଡ଼ିଶା): କନ୍ଧମାଳ ଜିଲ୍ଲା କୁଟିଆ କନ୍ଧଙ୍କ ବିକାଶ ପାଇଁ ସରକାରଙ୍କ କୁଟିଆ କନ୍ଧ ଉନ୍ନୟନଙ୍କ ସଂସ୍ଥା ୨୦ ବର୍ଷ ମଧ୍ୟରେ ୨୦ କୋଟି ଟଙ୍କା ଖର୍ଚ୍ଚ କରି କୁଟିଆଙ୍କୁ ଦୁଇ ଖଣ୍ଡ ଗାମୁଛାରୁ ଲୁଗା ଓ ଚପଲ ପିନ୍ଧାଇବା ପର୍ଯ୍ୟନ୍ତ ପହଂଚିପାରିଛି । ଖାଦ୍ୟ ସୁରକ୍ଷା ଆଇନ୍ ଲାଗୁ ପରେ ମଧ୍ୟ ଏଯାଏଁ ବଦଳିନି ଏମାନଙ୍କ ଖାଦ୍ୟାଭ୍ୟାସ ଏବେବି ଖାଉଛନ୍ତି ଜଙ୍ଗଲୀ କନ୍ଦା ଏବଂ ଜଙ୍ଗଲୀ ଗଛର ଫଳ । ଟଙ୍କିକିଆ ଚାଉଳ ଏମାନଙ୍କ ପାଇଁ ପର୍ଯ୍ୟାପ୍ତ ହୋଇପାରୁନାହିଁ । ଏହି ଆଦିବାସୀଙ୍କୁ ସୁସ୍ଥ ସବଳ ରଖିଥିବା କ୍ଷୁଦ୍ର ଦାନା ଶସ୍ୟ ମଧ୍ୟ ଏବେ ଆବଶ୍ୟକତା ଅନୁସାରେ ନିଅଂଟ । ଏଭଳି ଏକ ଜଙ୍ଗଲୀ ଲତାର ଫଳ ହେଉଛି ଚିଆଡ଼ି ଫଳଏହି ଫଳକୁ ଏ ଅଂଚଳର ଆଦିବାସୀ କିଛି କାଠି କୁଟା ଯୋଗାଡ଼ କରି ଦଶରୁ ପନ୍ଦର ମିନିଟ୍ ପର୍ଯ୍ୟନ୍ତ ପୋଡ଼ିଥାନ୍ତିପୋଡ଼ିଗଲା ପରେ ସେହି ଫଳର ମୋଟା  ଖୋଳପାରୁ ବଳପ୍ରୟୋଗ କରି ଦୁଇଫାଳ କରି ସେହି ଭିତରୁ ବାହାରୁଥିବା ସିଜା ଫଳକୁ ଖାଇ ନିଜ କ୍ଷୁଦା ମେଂଟାଇଥାନ୍ତି ଏହି ଆଦିବାସୀ । ଏହି ଲହ ଜାତୀୟ ଶିଆଳି ଗଛ ପତ୍ରର ଫଳ ହେଉଛି ଚିଆଡ଼ି ଫଳ ବା ଶିଆଳି ଫଳ । ଏହି ଶିଆଳି ଗଛର ପତ୍ରକୁ ଖଲି ଭାବରେ ବ୍ୟବହାର ହେଉଥିବା ବେଳେ ଏହାର ଲତା କୁ ଦଉଡ଼ି ଭାବରେ ବ୍ୟବହାର କରିଥାନ୍ତି । ଏହା ସାଙ୍ଗକୁ ଆମ୍ବ ଟାକୁଆ ଭିତରେ ଥିବା କୋଇଲିକୁ ଶୁଖାଇ ପରବର୍ତୀ ସମୟରେ ଖାଦ୍ୟ ଭାବରେ ବ୍ୟବହାର କରିଥାନ୍ତି । ଏହି କୋଇଲିକୁ  ଜାଉ  କରି ଖାଇବାର ନଜିର ରହିଛି ।
 
ମାତ୍ର ୫୦୦୦ ଲୋକ ସଂଖ୍ୟା ବିଶିଷ୍ଟ କୁଟିଆ କନ୍ଧଙ୍କ ଉନ୍ନୟନ ପାଇଁ ରହିଛି କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ଏବଂ ଯୋଜନା । ପାଣି ଭଳି ଟଙ୍କା ଖର୍ଚ୍ଚ ହେଉଛି ହେଲେ ଏଯାଏଁ ମିଳି ପାରିନାହିଁ ସଫଳତା । ଅଧିକାରୀ ଏବଂ ଯୋଗାଣକାରୀଙ୍କ ଆର୍ଥିକ ସ୍ଥିତି ବଦଳି ଯାଉଥିବାବେଳେବଦଳୁନି କୁଟିଆ କନ୍ଧଙ୍କ ଭାଗ୍ୟ । ସରକାର ଯୋଗାଉଥିବା ସହାୟତାକୁ ଏଯାଏଁ ଏମାନଙ୍କ ଅଧିକାର ଭାବେ ମାନ ନେଇଛନ୍ତି । କୁଟିଆଙ୍କ ଖାଦ୍ୟାଭାସ ପରିବର୍ତନକୁ ନେଇ କନ୍ଧମାଳ ଜିଲ୍ଲାପାଳ କ୍ଷୁଦ୍ର ଦାନାଶସ୍ୟର ଅଧିକ ଉତ୍ପାଦନ,ହଜିଯାଇଥିବା ବିହନର ପୁନଃରୁଦ୍ଧାର କଥା କହିଥିବା ବେଳେ ଜିଲ୍ଲାପରିଷଦ ବୈଠକରେ ଖାଦ୍ୟନିରାପତା ଯୋଜନାରେ କୁଟିଆ କନ୍ଧ ହିତାଧିକାରୀ ଏଯାଏଁ ଠିକ୍ରେ ସାମିଲ ହୋଇନଥିବା କଥା କହିଛନ୍ତି ସ୍ଥାନୀୟ ବିଧାୟକ ରାଜୀବ ପାତ୍ର ।
 
ଏଭଳି ଜଙ୍ଗଲୀ କନ୍ଧା ,ଜଙ୍ଗଲୀ ଗଛର ଫଳ ଏବଂ ଆମ୍ବ କୋଇଲିକୁ ଖାଦ୍ୟ ଭାବେ ଗ୍ରହଣ କରିଥିବା କୁଟିଆଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଖାଦ୍ୟାଭାସ ପରିବର୍ତନରେ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ଧ୍ୟାନ ଦେବା ଉଚିତ୍ । ନଚେତ୍ ଏହି ଖାଦ୍ୟ ସୁରକ୍ଷା ଯୋଜନା କାହାପାଇଁ?
  • Tags:

Subscribe

National International State Sports Entertainment