ବୈଶାଖ ସରିଲା, ବିଲରେ ବୁଣିବାକୁ ବିହନ ନାହିଁ
Khabar Odisha:
ଭଦ୍ରକ, ମେ ୧୫(ଖବର ଓଡ଼ିଶା): ଅକ୍ଷୟ ତୃତୀୟା ଯାଇ ବୈଶାଖ ସରିଲାଣି । ମୁଠି ଅନୁକୂଳ କରି ବିଲରେ ବୁଣିବାକୁ ଅନାଇ ରହିଛି ଚାଷୀ, ହେଲେ ବିହନ ମିଳୁନି । ବିଶୋଧିତ ବିହନ ଚାଷ କରି ଅଧିକ ଅମଳ ପାଇବା ନେଇ ଚାଷୀଙ୍କୁ ସରକାର ପରାମର୍ଶ ପ୍ରହସନ ପାଲଟିଛି ।  କୃଷି  କାର୍ୟ୍ୟାଳୟକୁ ଆଉ ବିହନ ଆସୁନି । ଘରୋଇ  ପଞ୍ଜିକୃତ ବିହନ ବିକ୍ରୟ କେନ୍ଦ୍ର ଓ ସୋସାଇଟିକୁ ବିହନ ଆସିବ ବୋଲି କହୁଛନ୍ତି କୃଷି ଅଧିକାରୀ ହେଲେ ସେଠାରୁ ମଧ୍ୟ ଚାଷୀ ନିରାଶ ହୋଇଛି । ଏଭଳି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଅଂଚଳରୁ ।
 
ବାସୁଦେବପୁରରେ ୨୨ଟି ସମବାୟ ସମିତି ରହିଛି । ଏଠାରେ ବିହନ ମିଳିବ ବୋଲି କୁହାଯାଇଛି । କିନ୍ତୁ ଗତବର୍ଷର ଧାନ କ୍ରୟ ବାବଦକୁ ଚାଷୀମାନଙ୍କୁ ଟଙ୍କା ଦେଇପାରିନଥିବା ସମିତି ଚଳିତବର୍ଷ ଡରରେ ବିହନ ଆଣି ନଥିବା କହିଛନ୍ତି । କେବଳ ବେତଡାର ଜଣେ ପଞ୍ଜୀକୃତ ବିହନ ବିକ୍ରେତାଙ୍କୁ ୩୨ କ୍ୟୁଂଟାଲ ଧାନ ମିଳିଥିବା ବେଳେ ବାସୁଦେବପୁର ବ୍ଲକରେ ୩୨ ହଜାର ୬୧୨ ହେକ୍ଟର ଜମିରେ ଧାନ ଚାଷର ଲକ୍ଷ୍ୟ ରହିଛି । ଚାଷୀ ଗହୀର ବିଲରେ ବିଭିନ୍ନ କିସମର ଧାନ ବୁଣିବା ପାଇଁ ରଖିଥିବା ଲକ୍ଷ୍ୟ ବିହନ ଅଭାବରୁ ବାଧାପ୍ରାପ୍ତ ହୋଇପାରେ ବୋଲି ସମ୍ଭାବନା ସୃଷ୍ଟି ହୋଇଛି । ବିହନ ବିକ୍ରେତା ଓ ସେବା ସମବାୟ ସମିତି ଗୁଡ଼ିକ ଯଦି ବିହନ ବିକ୍ରୀ ନ କରନ୍ତି ତେବେ ସେମାନଙ୍କ ଉପରେ କୌଣସି କାର୍ୟ୍ୟାନୁଷ୍ଠାନ ନିଆଯାଇପାରିବ ନାହିଁ । କୃଷି ବିଭାଗ ବିହନ ବିକ୍ରି ଦାୟିତ୍ୱରୁ ଜାଣିଶୁଣି ଓହରି ଯାଇଥିବାରୁ ସାରା ରାଜ୍ୟରେ ଚାଷୀମାନଙ୍କ ମନରେ ନାନାପ୍ରକାର ସନ୍ଦେହ ମୁଣ୍ଡ ଟେକୁଛି ।
  • Tags:

Subscribe

National International State Sports Entertainment