ରାଜଧାନୀରେ କୃଷି ମହୋତ୍ସବ, ଗ୍ରାମାଞ୍ଚଳରେ ଚାଷୀ ଆତ୍ମହତ୍ୟା
Khabar Odisha:Krushi-mahotsava-in-capital-farmer-suicide-in-rural-area

ଭୁବନେଶ୍ୱର,ଏପ୍ରିଲ୧୪(ଖବର ଓଡ଼ିଶା): ରାଜଧାନୀ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ "କୃଷି ମହୋତ୍ସବ' ଚାଲିଥିବା ବେଳେ, ସେପଟେ ଗ୍ରାମାଞ୍ଚଳରେ ଚାଷୀ ଆତ୍ମହତ୍ୟା କରୁଛି । ଗତ ୧୦ ତାରିଖରୁ ବରମୁଣ୍ଡା ସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଆରମ୍ଭ ହୋଇଥିବା ୧୦ମ କୃଷି ମହୋତ୍ସବରେ ଗୁଡ଼ିଏ କାର୍ଯ୍ୟକ୍ରମର ଆୟାଜନ ଓ କୃଷକଙ୍କୁ ପୁରସ୍କାର ବିତରଣ କରାଯାଇଥିବା ବେଳେ, ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମର ମଧୁରଚୁଆରେ ୬୦ ବର୍ଷୀୟ ମଙ୍ଗଳୁ ନାଏକ ଆତ୍ମହତ୍ୟା କରିଛନ୍ତି । ମଙ୍ଗଳୁ ଏପ୍ରିଲ ୧୦ରେ ଆତ୍ମହତ୍ୟା କରିଛନ୍ତି । ପରିବାର ଲୋକଙ୍କ କହିବା ଅନୁଯାୟୀ ଫସଲ ନଷ୍ଟ ଯୋଗୁଁ ମଙ୍ଗଳୁ ଆତ୍ମହତ୍ୟା ଭଳି ପନ୍ଥା ନେଇଥିଲେ । ପରିବା ଚାଷ ପାଇଁ ମଙ୍ଗଳୁ ବ୍ୟାଙ୍କରୁ ଋଣ ନେଇଥିଲେ । କିନ୍ତୁ ଫସଲ ନଷ୍ଟ ହେବାରୁ ଋଣ ସୁଝିବାକୁ ନେଇ ସେ ସବୁବେଳେ ମାନସିକ ଚାପରେ ରହୁଥିଲେ । ମଙ୍ଗଳୁଙ୍କ ଆତ୍ମହତ୍ୟାକୁ ଓଡ଼ିଶା କୃଷକ ସଭା ସତ୍ୟ ବୋଲି କହିଛି । ଏଥି ସହିତ ଓଡ଼ିଶା କୃଷକ ସଭା ସମ୍ପାଦକ ପି ହୃଷିକେଷ ରେଡ୍ଡି କହିଛନ୍ତି ଯେ, ବିଗତ ୩ମାସ ମଧ୍ୟରେ ଗଞ୍ଜାମରେ ୬ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି । ଏତେ ଗଲା ଗଞ୍ଜାମ ଜିଲ୍ଲାର କାହାଣୀ ।

ମରୁଡ଼ି ପୀଡ଼ିତ ବରଗଡରେ ଚାଷୀ ଆତ୍ମହତ୍ୟା ମହାରାଷ୍ଟ୍ରର ବିଦର୍ଭ ଅଞ୍ଚଳଠୁଁ ବଳି ପଡ଼ିଳାଣି । ବରଗଡ ତହସିଲ ଅନ୍ତର୍ଗତ କେଣ୍ଡାପାଲି ଗ୍ରାମର ଖଇନୁ ବଗର୍ତ୍ତି ଫସଲ ନଷ୍ଟ ହେବାରୁ ଗତ ମାର୍ଚ୍ଚ ପ୍ରଥମ ସପ୍ତାହରେ ଆତ୍ମହତ୍ୟା କରିଥିଲେ । କିନ୍ତୁ ଦୁଃଖର କଥା ଯେ, ଘଟଣାର ତଦନ୍ତ ପାଇଁ ଆଦେଶ ଦେବା ବଦଳରେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ଘଟଣାକୁ ମିଛ ବୋଲି ବିଧାନସଭା ଅଧିବେଶନରେ ପ୍ରକାଶ କରିଥିଲେ । ଖଇନୁ ଝାଙ୍କରପାଲି ଗ୍ରାମରେ ଚାଷ କରିଥିଲେ ।

ଓଡ଼ିଶା କୃଷକ ସମାଜ ପାଇଁ ୨୦୦୯ ଥିଲା ଅଶୁଭ ସମୟ । ପୂରା ରାଜ୍ୟରୁ ୧୦୦ରୁ ଅଧିକ ଚାଷୀ ଆତ୍ମହତ୍ୟା କରିଥିବାବେଳେ, କେବଳ ପଶ୍ଚିମ ଓଡ଼ିଶାରୁ ୬୦ରୁ ଅଧିକ ଚାଷୀ ଆତ୍ମହତ୍ୟା କରିଥିଲେ । ଆତ୍ମହତ୍ୟା କରିଥିବା କ୍ଷୁଦ୍ରଚାଷୀମାନେ ସମ୍ପୂର୍ଣ୍ଣ ରୂପେ ବର୍ଷା ଜଳ ଉପରେ ନିର୍ଭର କରନ୍ତି । ଚାଷ ଜମି ପାଇଁ ଜଳସେଚନର ଅସୁବିଧା ସାଙ୍ଗକୁ ସାହୁକାରଙ୍କୁ ଋଣ ସୁଝିବା ମାନସିକ ଚାପ ବଢ଼ାଇ ଦେଇଥିଲା । ଆତ୍ମହତ୍ୟା କରିବାର ପଛରେ ଅନେକଗୁଡ଼ିଏ କାରଣ ରହିଛି । ସେଥିବଧ୍ୟରୁ ସାହୁକାରମାନଙ୍କଠାରୁ ଚାଷୀମାନେ ୧୦ହଜାର ରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ଆଣିଥିବା ଅନ୍ୟତମ ମୁଖ୍ୟ କାରଣ ।

୪ ଦିବସୀୟ କୃଷି ମହୋତ୍ସବ ଗୁରୁବାର ସମାପ୍ତ ହୋଇଛି । କୃଷକଙ୍କ ସମସ୍ୟା ଉପରେ ଅନେକ ମାନସ ମନ୍ଥନ ମଧ୍ୟ ହୋଇଛି । ଚାଷୀର ଦୁଃଖକୁ ଆମ ରାଜ୍ୟପାଳ ଠିକ୍ ଭାବରେ ହୃଦୟଙ୍ଗମ କରି ପାରିଛନ୍ତି । ରାଜ୍ୟପାଳ ଜାଣିଛନ୍ତି ଯେ, ରାଜ୍ୟରେ ଜଳସେଚନର ଅସୁବିଧା ଯୋଗୁଁ ଚାଷ କାମରେ ବାଧା ପହଞ୍ଚୁଛି । ବର୍ଷ ବର୍ଷ ଧରି ରାଜ୍ୟରେ ଚାଲିଥିବା ନିର୍ମାଣାଧିନ ଜଳସେଚନ ପ୍ରକଳ୍ପ ଶେଷ ହେଉ ନାହିଁ । ସମାରୋହର ୩ୟ ଦିବସରେ ଓୟୁଏଟିର କୁଳପତି କହିଥିଲେ ଯେ, ମୁଗ, ବିରି ଓ ହରଡ ଭଳି ଡାଲି ଆଦି ହାଇବ୍ରିଡ ବିହନ ଉଦ୍ଭାବନ କରାଯାଇଛି । ଯଦି ଏକଥା ସତ ଆସନ୍ତା ଖରିଫ ଓ ରବି ଋତୁରେ ଆମ ରାଜ୍ୟରେ କେତେ ମିଲିୟନ ଟନ୍ ବିରି, ମୁଗ ଓ ହରଡ ଉତ୍ପାଦନ ହେବ ଦେଖିବାକୁ ରହିଲା । ରାଜ୍ୟରେ ଡାଲି ଉତ୍ପାଦନକୁ ବଢ଼ାଇବା ପାଇଁ ୬ଟି କୃଷି ବିଜ୍ଞାନ କେନ୍ଦ୍ରରେ ଗବେଷଣା ଚାଲିଛି । କିନ୍ତୁ ଆମ ରାଜ୍ୟର ଡାଲି ଚାହିଦାକୁ ମେଣ୍ଟାିବାକୁ ବାହାର ରାଜ୍ୟରୁ ଡାଲି ଆମଦାନୀ କରିବାକୁ ପଡ଼ୁଛି । ରାଜଧାନୀରେ ନେତା ମନ୍ତ୍ରୀ ମାନସ ମନ୍ଥନ କଲେ କୃଷି ଓ କୃଷକର ବିକାଶ ହୋଇ ପାରିବନି । ଚାଷୀ ଓ ଚାଷର ବିକାଶ ସେତେବେଳେ ହେବ, ଯେତେବେଳେ ସରକାର ଚାଷର ଉନ୍ନତି ପାଇଁ ଚାଷ ଜମିକୁ ପାଣି ଯୋଗାଇବେ । ଠିକ୍ ସମୟରେ ଚାଷୀଙ୍କୁ ବିହନ, ସାର, ବ୍ୟାଙ୍କ ଋଣ, ବୋନସ ଯୋଗାଇବା ସହିତ ମଣ୍ଡିରୁ ଧାନ ସଂଗ୍ରହ କରିବେ । ଏହା ହେଲେ ଚାଷୀର ମୁହଁରେ ହସ ଭରିବା ସହିତ ରାଜ୍ୟର ଉନ୍ନତି ହେବ । 

  • Tags:

Subscribe

National International State Sports Entertainment