ବଢୁଛି ଚାଷୀ ଆତ୍ମହତ୍ୟା, ୨୦ ବର୍ଷ ହେବ ଚାଲିଛି ଜଳସେଚନ ପ୍ରକଳ୍ପ ନିର୍ମାଣ କାମ
Khabar Odisha:Increase-farmer-suicide-20-years-irrigation-project-built-continue
ଭୁବନେଶ୍ୱର, ମାର୍ଚ୍ଚ ୨୯(ଖବର ଓଡ଼ିଶା): ବିକାଶର ଘଣ୍ଟ ବଜାଇଉଥିବା ବିଜେଡ଼ି ସରକାର ଚାଷୀଙ୍କ ବିଲକୁ ପାଣି ଯୋଗାଇବାରେ ଅସମର୍ଥ ହୋଇଛନ୍ତି । ବିଗତ ୧୭ ବର୍ଷର ଶାସନ କାଳରେ ରାଜ୍ୟରେ ଶହ ଶହ ଉଠାଜଳ ସେଚନ ପ୍ରକଳ୍ପ, ଛୋଟ, ମଧ୍ୟମ କେନାଲ ଓ ଆନିକଟ ପ୍ରକଳ୍ପ ନିର୍ମାଣ ସଂପୂର୍ଣ୍ଣ ହୋଇପାରିନାହିଁ । ଜଳସେଚନର ଉକୃଷ୍ଠ ବ୍ୟବସ୍ଥା ନଥିବାରୁ ପ୍ରତିବର୍ଷ ରାଜ୍ୟରେ ଶହ ଶହ ଚାଷୀ ଆତ୍ମହତ୍ୟା କରୁଛନ୍ତି । ତଥାପି ବି ରାଜ୍ୟ ସରକାରଙ୍କ ନିଦ ଭାଙ୍ଗୁ ନାହିଁ । ଓଡ଼ିଶାର ଗଙ୍ଗା କୁହାଯାଉଥିବା "ମହାନଦୀ' ଓଡ଼ିଶାରେ ୮୫୦ କିମି ପ୍ରବାହିତ ହେଉଥିଲେ ସୁଦ୍ଧା ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ମାର୍ଚ୍ଚ ମାସ ବେଳକୁ ଜଳ ସ୍ରୋତ ବହୁତ କମିଯାଉଛି । କିନ୍ତୁ ମହାନଦୀର ଉପରମୁଣ୍ଡରେ ପଡୋଶୀ ଛତିଶଗଡ଼ ସରକାର ଛୋଟବଡ ପ୍ରାୟ ୪୮ଟି ପ୍ରକଳ୍ପ ନିର୍ମାଣ କରିସାରିଛନ୍ତି । ହୀରାକୁଦ ଭଳି ବିଶ୍ୱର ଦୀର୍ଘତମ ବନ୍ଧ ଥାଇ ମଧ୍ୟ ବରଗଡ଼ ଜିଲ୍ଲାରେ ପ୍ରତିବର୍ଷ ଚାଷୀ ଆତ୍ମହତ୍ୟା କରୁଛନ୍ତି ।
 
ବରଗଡ଼, ସୁବର୍ଣ୍ଣପୁର, କଳାହାଣ୍ଡି, ନୂଆପଡ଼ା, ଦେବଗଡ଼, ଅନୁଗୋଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, ନୟାଗଡ଼, କନ୍ଧମାଳ, ଗଞ୍ଜାମ ଆଦି ଜିଲ୍ଲାମାନଙ୍କରେ ଆଖି ଦୃଶିଆ ଜଳସେଚନର ବ୍ୟବସ୍ଥା ହୋଇପାରି ନାହିଁ । ବୁଢ଼ାବଳଙ୍ଗ ନଦୀରେ ବାଲେଶ୍ୱର ଜିଲ୍ଲା ବାଙ୍କତିରା ବ୍ୟାରେଜ ପାଇଁ ରାଜ୍ୟ ସରକାର ୨୮୪ କୋଟି ଟଙ୍କା ମଞ୍ଜୁରୀ କରଛନ୍ତି । ଏହି ପ୍ରକଳ୍ପ ବାଲେଶ୍ୱର ସଦର ଓ ବସ୍ତା ଅଞ୍ଚଳର ଚାଷୀଙ୍କୁ ଆଖିରେ ରଖି ନିର୍ମାଣ କରାଯାଇଥିଲା । ୬୧୦୦ ହେକ୍ଟର ଜମିର ଜଳସେଚନକୁ ଲକ୍ଷ୍ୟରେ ରଖି ନିର୍ମାଣ କରାଯାଇଥିବା ପ୍ରକଳ୍ପ ଅଦ୍ୟାବଧି ସଂପୂର୍ଣ୍ଣ ହୋଇ ପାରିଲା ନାହିଁ । ଠିକ୍ ସେହିପରି ନୟାଗଡ଼ ଜିଲ୍ଲା କୁସୁମୀ ବ୍ରାରେଜ ପାଇଁ ରାଜ୍ୟ ସରକାର ୧୨୯ କୋଟି ଟଙ୍କା ମଞ୍ଜୁରୀ କରିଥିଲେ । ଏହି ଜଳସେଚନ ପ୍ରକଳ୍ପ ସଂପୂର୍ଣ୍ଣ ହେଲେ ନୟାଗଡ଼, ଖଣ୍ଡପଡ଼ା ଓ ଭାପୁର ବ୍ଲକର ଚାଷୀଙ୍କ ୩୦୦୦ ହେକ୍ଟର ଜମିକୁ  ପାଣି ମିଳନ୍ତା ।
 
ଆର୍ଥିକ ବର୍ଷ ୧୯୯୬-୯୭ ରୁ ଆର୍ଥିକ ବର୍ଷ ୨୦୦୮-୦୯ ମଧ୍ୟରେ ରାଜ୍ୟରେ ୧୧ଟି ମଧ୍ୟମ ଜଳସେଚନ ପ୍ରକଳ୍ପର ନିର୍ମାଣ କାମ ଆରମ୍ଭ ହେଇଛି । କିନ୍ତୁ ପ୍ରକଳ୍ପଗୁଡ଼ିକର ନିର୍ମାଣ କାମ କେବେ ଶେଷ ହେବ ତା'ର କିଛି ନିଶ୍ଚିତତା ନାହିଁ । ଦେଓ, ମହେନ୍ଦ୍ରତନୟା, ରାଜୁଆ, ଘଟକେଶ୍ୱର, ବାଘଲାଠି, ମଞ୍ଜୋରୋ, ତେଲେଙ୍ଗିରୀ, ରେତ, ଛେଳିଗଡ଼, ରୁକୁରା ଓ ହାଡୁଆ ଜଳସେଚନ ପ୍ରକଳ୍ପମାନଙ୍କ ମଧ୍ୟରୁ କିଛି ପ୍ରକଳ୍ପ ୨୦ ବର୍ଷ ହେବ କାର୍ଯ୍ୟ ଆରମ୍ଭ ହେଇଥିଲେ ବି ନିର୍ମାଣ କାମ ଶେଷ ହେଉ ନାହିଁ । ଅର୍ଦ୍ଧ ନିର୍ମିତ ଜଳସେଚନ ପ୍ରକଳ୍ପରୁ ଅନେକ ସାମାନ ଚୋରୀ ହେବାକୁ ବସିଲାଣି । ଦେଓ ଜଳସେଚନ ପ୍ରକଳ୍ପ ୧୯୯୭-୯୮ ଆର୍ଥିକ ବର୍ଷରେ ଆରମ୍ଭ ହୋଇଥିଲା । ୫୨.୨୨କୋଟି ଟଙ୍କାର ପ୍ରକଳ୍ପ ୨୦୦୩-୦୪ ଆର୍ଥିକ ବର୍ଷରେ ନିର୍ମାଣ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା । ବର୍ତ୍ତମାନ ଏହି ପ୍ରକଳ୍ପ ପାଇଁ ବଜେଟ ୩୭୫.୭୫ କୋଟିରେ ପହଞ୍ଚିଥିବାବେଳେ, ୨୦୧୮-୧୯ ଆର୍ଥିକ ବର୍ଷରେ ନିର୍ମାଣ କାମ ଶେଷ ହେବବୋଲି କୁହାଯାଇଛି।  ଜମି କିଣା ଓ ବିସ୍ଥାପନରେ ସମୟ ପୂର୍ବରୁ ନ ହେବାରୁ ପ୍ରକଳ୍ପ ନିର୍ମାଣ ଶେଷ ହୋଇ ପାରୁ ନାହିଁ । ସେହିପରି ବାଘଲାଠି ମଧ୍ୟମ ଜଳସେଚନ ପ୍ରକଳ୍ପ ୧୯୯୬-୯୭ରୁ ଆରମ୍ଭ ହୋଇ ୨୦୦୧-୦୨ରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା । ୪୫.୪୪ କୋଟି ଟଙ୍କା ମଞ୍ଜୁରୀ ହୋଇଥିବା ପ୍ରକଳ୍ପ ପାଇଁ ୨୦୧୫-୧୬ ଆର୍ଥିକ ବର୍ଷରେ ବଜେଟ୍ ୧୫୬.୧୩ କୋଟି ପହଞ୍ଚି ସାରିଥିଲା । କିନ୍ତୁ ଜମି କିଣା ଏବଂ ବିସ୍ଥାପନ ଓ ପୁନର୍ବାସ ସମସ୍ୟା ଯୋଗୁଁ ପ୍ରକଳ୍ପ ଶେଷ ହେବାରେ ବାଧା ପହଞ୍ଚୁଛି । 
  • Tags:

Subscribe

National International State Sports Entertainment