ଅଗ୍ନିକାଣ୍ଡ: ସର୍ବନାଶ ହେବା ପରେ ପହଂଚେ ଦମକଳ ଗାଡି
Khabar Odisha:Fire-service-reach-after-destroyed-of-lakh-property
ଭୁବନେଶ୍ୱର, ମଇ ୦୯(ଖବର ଓଡ଼ିଶା): ଗ୍ରୀଷ୍ମ ଆସିଲେ ଓଡ଼ିଶାରେ ଆରମ୍ଭ ହୋଇ ଯାଏ ଅଗ୍ନିକାଣ୍ଡ ଋତୁ । ନିଆଁ ଦାଉରୁ ତ୍ରାହି ପାଇବା ପାଇଁ ଲୋକଙ୍କ ମନରେ ଭାଲେଣି ପଡେ । କାରଣ ଦମକଳ ବିଭାଗ ଅଗ୍ନିକାଣ୍ଡ ଘଟିଥିବା ସବୁ ସ୍ଥାନକୁ ପହଞ୍ଚି ପାରୁନାହିଁ କି ସରକାରଙ୍କ ତରଫରୁ ସେଭଳି ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇ ନ ଥିବାରୁ ଲୋକମାନେ ଦମକଳ ବିଭାଗକୁ ଯୋଗାଯୋଗ କରିପାରୁ ନାହାନ୍ତି । ଅଗ୍ନିକାଣ୍ଡରେ ସର୍ବନାଶ ହୋଇ ସାରିଲା ପରେ ଦମକଳ ଗାଡି ପହଞ୍ଚି ଥାଏ । ଅଗ୍ନିକାଣ୍ଡ ଦୁର୍ଘଟଣା ଗତବର୍ଷର ରେକର୍ଡକୁ ଅତିକ୍ରମ କରିବ ବୋଲି ଏଥର ଅନୁୁମାନ କରାଯାଉଛି । ୨୦୧୬ରେ ରାଜ୍ୟରେ ୧୯,୭୭୯ଟି ଅଗ୍ନିକାଣ୍ଡ ଘଟିଥିଲା ବୋଲି ରାଜ୍ୟ ଅଗ୍ନିସମ ବିଭାଗ କହିଥିବା ବେଳେ, ବାସ୍ତବ ପକ୍ଷେ ଏହି ସଂଖ୍ୟା ଆହୁରି ଅଧିକ ହେବ ବୋଲି ଆକଳନ କରାଯାଉଛି । ୨୦୧୪ରେ ୮୫ କୋଟି, ୨୦୧୫ରେ ୬୫ କୋଟି ଓ ୨୦୧୬ରେ ୭୦ କୋଟି ଟଙ୍କାର ସମ୍ପତ୍ତି ଜଳି ଯାଇଥିଲା । ଅଗ୍ନିସମ ବିଭାଗ କହିବା ଅନୁସାରେ ୨୦୧୪ରେ ୨୩୫ ଓ ୨୦୧୬ରେ ୩୪୨ କୋଟି ଟଙ୍କାର ସମ୍ପତ୍ତିକୁ ସୁରକ୍ଷା ଦିଆଯାଇ ପାରିଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଘର ପୋଡିଗଲା ପରେ ଅଗ୍ନିସମ ବିଭାଗ ଘଟଣା ସ୍ଥଳରେ ପହଂଚି ଥାଏ । ସୂଚନା ମିଳିବାର ଠିକ୍ ସମୟ ଭିତରେ ଅଗ୍ନିକାଣ୍ଡ ସ୍ଥଳକୁ ପହଞ୍ଚିବାରେ ବିଳମ୍ବ ହେଉଥିବା ଅନେକ ସମୟରେ ଅଭିଯୋଗ ହୋଇଥାଏ । ଯେଉଁ ଗାଁରେ ନିଆଁ ଲାଗି ଥାଏ, ସେଠାକାର ସ୍ଥାନୀୟ ବାସିନ୍ଦା ମିଶି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥାନ୍ତି । ଏସବୁ ଜିଲ୍ଲାମାନଙ୍କରେ ଲୋକଙ୍କୁ ପ୍ରଶିକ୍ଷଣ ଦିଆଗଲେ ଧନ-ସମ୍ପତ୍ତିକୁ ଅଧିକ ସୁରକ୍ଷା ଯୋଗାଇ ଦିଆଯାଇ ପାରନ୍ତା । 

ଅନୁଗୁଳ, ଗଞ୍ଜାମ, ଖୋର୍ଦ୍ଧା, ସମ୍ବଲପୁର ଓ ବରଗଡ ଜିଲ୍ଲାଗୁଡ଼ିକରେ ଅଗ୍ନିକାଣ୍ଡ ହେଉଥିଲେ ହେଁ ଢେଙ୍କାନାଳ ଜିଲ୍ଲା ତାଲିକାର ଶୀର୍ଷରେ ରହିଛି । ଏହି ଜିଲ୍ଲାରେ ଗତ ୨ ମାସ ଭିତରେ ୧୫୦ରୁ ଅଧିକ ଅଗ୍ନିକାଣ୍ଡ ଘଟଣା ଦେଖିବାକୁ ମିଳିଛି । ଗତ ବର୍ଷ ଏହି ସଂଖ୍ୟା ପାଖାପାଖି ୨୫୦ଥିଲା । ସେହିଭଳି ପଡୋଶୀ ଅନୁଗୁଳ ଜିଲ୍ଲାରେ ଏପର୍ଯ୍ୟନ୍ତ ୮୫ଟି ଅଗ୍ନିକାଣ୍ଡ ଘଟିଥିବାର ଜଣାପଡ଼ିଛି । ରାଜ୍ୟରେ ୩୧୭ଟି ଅଗ୍ନିସେବା କେନ୍ଦ୍ର ଥିବା ବେଳେ, ରାଜ୍ୟ ସରକାର ଆହୁରି ୨୨ଟି ନୂଆଁ କେନ୍ଦ୍ର ସ୍ଥାପନ କରିବାକୁ ଯୋଜନା ରଖିଛନ୍ତି। କିନ୍ତୁ ସ୍ୱାଧୀନତାର ୭୦ ବର୍ଷ ବିତି ଯାଇଥିଲେ ବି ରାଜ୍ୟର ୩୧୪ଟି ବ୍ଲକରେ ଅଗ୍ନିସେବା କେନ୍ଦ୍ର ନ ରହିବା ଦୁର୍ଭାଗ୍ୟ କଥା ।  

ଏପ୍ରିଲରେ ବଡ଼ ଧରଣର ଅଗ୍ନିକାଣ୍ଡ 
-୪ରେ, ଗୋଲବଜାର, ସମ୍ବଲପୁର, ୧୦୦ଟି ଦୋକନା ଜଳିଯାଇଛି
-୧୧ରେ, ବଡବନ୍ଧ, ଆଠମଲ୍ଲିକରେ ଅନୁଗୁଳରେ ୧୨୦ ବଖରା ଘର ଭସ୍ମିଭୂତ
-୧୯ରେ ହାଟପଦା, ବରଗଡରେ ୨୪ଟି ଦୋକାନ ଅଙ୍ଗାର ପାଲଟି ଯାଇଥିଲା
-୨୪ରେ ବଡବିଲ ଷ୍ଟେସନ ରୋଡ, କେନ୍ଦୁଝର ଜଣେ ଜୀବନ୍ତ ଦଗ୍ଧ
-୨୬ରେ ଧୋବଣୀନନ୍ଦା, ଢେଙ୍କାନାଳରେ ୬୦ଟି ଘର ନିଆଁ ଗିଳିଦେଲା 

ଅଗ୍ନିକାଣ୍ଡରେ ଯାଉଛି ଜୀବନ
ଅଗ୍ନିକାଣ୍ଡରେ କେବଳ ଧନ-ସଂପତିକ୍ଷୟକ୍ଷତି ହେଉଛି, ତାହା ନୁହେଁ ବରଂ ଲୋକଙ୍କର ଜୀବନ ଚାଲି ଯାଉଛି । କେନ୍ଦୁଝର ଜିଲ୍ଲା ବଡବିଲ ଷ୍ଟେସନ ରୋଡ ଅଞ୍ଚଳରେି ଏପ୍ରିଲ ୨୪ରେ ନିଆଁ ଲାଗିବାରୁ ଜଣେ ବ୍ୟକ୍ତି ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ । ସେହିପରି ୩ମାସ ତଳେ ମୟୁରଭଞ୍ଜ ଜିଲ୍ଲାରେ ଅଗ୍ନିକାଣ୍ଡରେଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । 

ଓଡ଼ିଶା ଅଗ୍ନିସମ ବିଭାଗ:
ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଓଡ଼ିଶାରେ ୧୯୪୨ରୁ ଆରମ୍ଭ ହୋଇଛି ନିଆଁ ଲିଭା ବ୍ୟବସ୍ଥା । ସେହି ସମୟରେ ଆମ ଦେଶରେ ଭାରତ ଛାଡ ଆନ୍ଦୋଲନ ଚାଲିଥିବା ବେଳେ, କଟକରେ ପ୍ରତିଷ୍ଠା ହୋଇଥିଲା ଅଗ୍ନିସେବା କେନ୍ଦ୍ର । ଆରମ୍ଭରୁ ଆଜି ଭଳି ନିଆଁ ଲିଭା ଯନ୍ତ୍ରପାତି ନ ଥିଲା । ଅଳ୍ପ କେତୋଟି ବାଲଟି ଅଗ୍ନିସେବା କେନ୍ଦ୍ରରେ ରଖାଯାଇଥିଲା କଟକରେ ଆରମ୍ଭ ହୋଇଥିବା ଅଗ୍ନିସେବା କେନ୍ଦ୍ରରେ । ୧୯୪୪ରେ କଟକ, ବାଲେଶ୍ୱର, ବ୍ରହ୍ମପୁର ଓ ପୁରୀରେ ଦମକଲ ଶାଖା ଖୋଲିଲା । ଆଜି ରାଜ୍ୟରେ ଯେମିତି ଅଧିକ ପରିମାଣରେ ଅଗ୍ନିସେବା କେନ୍ଦ୍ର ଅଛି, ସେହିଭଳି ଅଧିକ ପରିମାଣରେ ଅଗ୍ନିକାଣ୍ଡ ଘଟୁଛି । ସରକାର କହୁଛନ୍ତି ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ଅଗ୍ନିସମ ବିଭାଗରେ ବିଶ୍ୱ ସ୍ତରୀୟ ନିଆଁ ଲିଭା ସାମଗ୍ରୀ ରହିଛି । ରାଜ୍ୟର ବିଭିନ୍ନ ଦମକଳ କେନ୍ଦ୍ରରେ ୩୧ ପ୍ରକାରର ଅତ୍ୟାଧୁନିକ ଯନ୍ତ୍ରପାତି ରହିଛି । ସେହିଭଳି ବିଭାଗରେ କର୍ମଚାରୀଙ୍କ ସଂଖ୍ୟାରେ ବି ଅଭାବ ନାହିଁ । ୩୧୭ଟି ଦମକଳ କେନ୍ଦ୍ରରେ ୫୬୦୩ଜଣ କର୍ମଚାରୀଙ୍କ ଆବଶ୍ୟକତା ଥିବାବେଳେ, ୫୧୮୪ଜଣ କାର୍ଯ୍ୟରତ ଅଛନ୍ତି । ଆମ ସରକାର ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଆଶାନୁରୂପ ଫଳ ମିଳୁ ନାହିଁ ।
 
ଅଧିକ ପଢ଼ନ୍ତୁ...
 
 
 

 

  • Tags:

Subscribe

National International State Sports Entertainment