ଜମାକାରୀଙ୍କୁ ନ୍ୟାୟ ମିଳିବ କେବେ ?
Khabar Odisha:

ଭୁବନେଶ୍ୱର, ଏପ୍ରିଲ ୧୯(ଖବର ଓଡ଼ିଶା): ଗରିବ ଓ ସାଧାରଣ ଲୋକଙ୍କୁ ବଡ ସ୍ୱପ୍ନ ଦେଖାଇ ଚିଟଫଣ୍ଡ କମ୍ପାନୀ ମାଧ୍ୟମରେ ହଜାର ହଜାର କୋଟି ଟଙ୍କା ଚଳୁ କରିଥିବା ମାଲିକମାନଙ୍କୁ ଗିରଫ କରାଯାଇଛି । ଜେଲର ଚାରିକାନ୍ଥ ଭିତରେ ସାଂସଦ ରାମଚନ୍ଦ୍ର ହାଂସଦା ଦିନ କାଟୁଥିବା ବେଳେ ଶାସକ ଦଳର କିଛି ବିଧାୟକମାନେ ଚିଟଫଣ୍ଡ ଜାଲରେ ଫସିଛନ୍ତି । ତଳ ସ୍ତରର ରାଜନେତା ଓ ପୁଞ୍ଜିଲଗାଣକାରୀ ସଂସ୍ଥା ବି ଚିଟଫଣ୍ଡ କମ୍ପାନି ସହିତ ଜଡ଼ିତ ଅଛନ୍ତି । ଜମାକାରୀମାନେ ସ୍ୱପ୍ନ ଦେଖିଥିଲେ, ଜମା ଟଙ୍କାର ସୁଧରେ ସେମାନଙ୍କର ଆର୍ଥିକ ଓ ସାମାଜିକ ଭାଗ୍ୟ ବଦଳିବ । ଘର ତିଆରି, ପୁଅର ଉଚ୍ଚଶିକ୍ଷାରେ ସାହାଯ୍ୟ ଓ ଝିଅର ବାହାଘର ଏପରି ଅନେକ ସ୍ୱପ୍ନ । ସ୍ପପ୍ନ ତ ପୂରା ହେଲାନି, ବରଂ ନିଜେ ଜମା କରିଥିବା ଟଙ୍କା ମିଳିଗଲେ ବି ଟିକିଏ ଆଶ୍ଵସ୍ତି ମିଳିଯାଆନ୍ତା । ତାହା ବି ହୋଇ ପାରୁ ନାହିଁ । ଇତି ମଧ୍ୟରେ ଚିଟଫଣ୍ଡ କମ୍ପାନୀର ମାଲିକମାନେ ୩ ବର୍ଷ ହେଲା ଜେଲରେ ବିତାଇ ସାରିଲେଣି । ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ପରେ ଜମାକାରୀଙ୍କୁ ୩ମାସ ଭିତରେ ଜମା ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଏଭିତରେ ୩ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ବି ଜମାକାରୀଙ୍କୁ ଟଙ୍କା ମିଳି ପାରିଲା ନାହିଁ । ଜମାକାରୀଙ୍କୁ ଚିହ୍ନଟ କରିବାରେ ବର୍ଷ ବର୍ଷ ଧରି ଚାଲିଛି ତଦନ୍ତ ।

ଜମାକାରୀଙ୍କଠାରୁ ଲୁଟି ଥିବା କିଛି ବ୍ୟକ୍ତି ରାତାରାତି ଧନୀ ହୋଇଯାଇଥିବାବେଳେ, ଗରୀବମାନେ ଏବେ ଦୁର୍ଦ୍ଦିନରେ ଅଛନ୍ତି । ଚିଟଫଣ୍ଡ ତଦନ୍ତରେ ସାଢ଼େ ୩ବର୍ଷ ଭିତରେ ୩କୋଟିରୁ ଅଧିକ ଖର୍ଚ୍ଚ ହୋଇ ସାରିଥିବା ବେଳେ, ଜମାକାରୀଙ୍କୁ କେବେ ନ୍ୟାୟ ମିଳିବ, ସେ ଉତ୍ତର କାହାରି ପାଖରେ ନାହିଁ । ଜମାକାରୀଙ୍କୁ କେଉଁ ମାଧ୍ୟମରେ ଚିହ୍ନଟ କରାଯିବ ଓ କେଉଁ ଆଧାରରେ ଟଙ୍କା ଫେରସ୍ତ କରାଯିବ, ସେନେଇ ରାଜ୍ୟ ସରକାର ବିଚାର ବିଭାଗୀୟ ତଦନ୍ତ କମିଶନ ଗଠନ କରି ତଦନ୍ତ କରିବାକୁ ପରାମର୍ଶ ଦେଇଥିଲେ । ମାତ୍ର ଦୁଃଖର କଥା ଯେ, ନିଜ ପରିଶ୍ରମର ଜମାରାଶି କେବେ ଫେରସ୍ତ ମିଳିବ ସେ ନେଇ ଏପର୍ଯ୍ୟନ୍ତ କିଛି ବ୍ୟବସ୍ଥା ହୋଇ ପାରିଲା ନାହିଁ ।

ଜମାକାରୀଙ୍କ ପରିଚୟ ବାବାଦରେ ଜାଣିବା ପାଇଁ ରାଜ୍ୟ ସରକାର ଏପର୍ଯ୍ୟନ୍ତ ୩,୧୦, ୮୪, ୬୪୩ ଟଙ୍କା ଖର୍ଚ୍ଚ କରିସାରିଛନ୍ତି । ଅଧିକାରୀ ଓ କର୍ମଚାରୀଙ୍କୁ ୧,୯୯,୬୪, ୩୮୬ଟଙ୍କା ଦରମା ଦିଆଯାଇଛି । ସେହିପରି ଫୋନ୍ ବିଲ ପାଇଁ ୧,୮୯,୩୮୬ଟଙ୍କା, ବିଜୁଳି ବିଲ ପାଇଁ ୨,୧୫,୪୮୧ଟଙ୍କା, ସତ୍ୟପାଠ ଡିଜିଟାଇଜେସନ୍ ପାଇଁ ୮୪,୩୯,୯୫୫ଟଙ୍କା ଓ କଣ୍ଟିଜେନ୍ସି ପାଇଁ ୨୨,୭୫,୫୩୨ଟଙ୍କା ଖର୍ଚ୍ଚ ହୋଇ ସାରିଛି । ବାସ୍ତବରେ ସରକାରୀ ଅଧିକାରୀ ଓ କର୍ମଚାରୀମାନେ ଜମାରାଶି ଓ ଘଟଣାର ତଦନ୍ତ କରୁଛନ୍ତି ନା ତଦନ୍ତ ନାରେ ଚୌକିରେ ବସିଛନ୍ତି । ଜେଲରେ ଥିବା ନେତା ଓ ମନ୍ତ୍ରୀ ଆଉ ଚାରି ବର୍ଷ ପରେ ମୁକୁଳିବେ । କିନ୍ତୁ ଜମାକାରୀ ଆଗାମୀ ୪ବର୍ଷରେ ସେମାନଙ୍କର ପ୍ରାପ୍ୟ ପାଇ ପାରିବେ କି ନାହିଁ, ତାହା ସନ୍ଦେହ  ଘେରରେ ।

 

  • Tags:

Subscribe

National International State Sports Entertainment