ଆତଙ୍କବାଦୀଙ୍କ ଦୁର୍ଭେଦ୍ୟ ଗଡ ପାଲଟୁଛି ଭାରତ
Khabar Odisha:terrorist-are-think-they-are-safe-in-india
ବିଗତ ଦୁଇ ଦଶନ୍ଧି ଧରି ପାକିସ୍ତାନ ଆତଙ୍କବାଦକୁ ନିଜର ରାଷ୍ଟ୍ରୀୟ ନୀତି ଭାବରେ ଗ୍ରହଣ କରି ତାହାରି ଦ୍ୱାରା ପ୍ରଶିକ୍ଷିତ ଆତଙ୍କବାଦୀମାନଙ୍କୁ ଭାରତ ବିରୁଦ୍ଧରେ ଛାୟା ଯୁଦ୍ଧ ଚଳାଇବା ନିମିତ୍ତ ଉପଯୋଗ କରି ଆସୁଛି । ପାକିସ୍ତାନର ଆଇଏସ୍‌ଆଇ ବିବିଧ ଆତଙ୍କବାଦୀ ସଙ୍ଗଠନ ସହଯୋଗରେ ଆତଙ୍କବାଦୀମାନଙ୍କୁ ପ୍ରଶିକ୍ଷଣ ଦେଇ ସେନା ବଦଳରେ ସେମାନଙ୍କୁ ଭାରତ ମଧ୍ୟକୁ ପ୍ରବେଶ କରାଉଛି ଏବଂ ଏଯାବତ୍‌ ଆତଙ୍କାବଦୀ କାର୍ୟ୍ୟକଳାପର ଷଡଯନ୍ତ୍ର ରଚନା କରୁଛି । ଜାମାତ୍-ଉଦ୍‌-ଦାଓ୍ୱା ନେତା ହାଫିଜ୍‌ ସୟିଦ୍‌ ଏବଂ ଜୈସେ ମୋହମ୍ମଦର ମସୁଦ ଅଜ୍‌ହର ସଦୃଶ ତତ୍ତ୍ୱମାନେ ଆଜି ପାକିସ୍ତାନ ସକାଶେ କମାଣ୍ଡର ହୋଇ ଭାରତ ବିରୁଦ୍ଧରେ ବିଷ ଓଗାଳିବା ଏବଂ  ଛାୟା ଯୁଦ୍ଧ ଚଳାଇବାରେ ନିୟୋଜିତ ଅଛନ୍ତି । ଏମାନଙ୍କ ସମ୍ମିଳତି ଯୋଜନା ଦ୍ୱାରା ଭାରତରେ ଜିହାଦ୍‌ କାର୍ୟ୍ୟକଳାପ, ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ, ଜାମ୍ମୁକାଶ୍ମୀରକୁ ମୁକ୍ତ କରିବା ପାଇଁ ଶହ ଶହ ଫିଦାୟିନ୍‌ମାନଙ୍କୁ ତାଳିମ ଦିଆଯାଇ ଭାରତ ମଧ୍ୟକୁ ପ୍ରେରଣ କରାଯିବା ସହ ଅସଂଖ୍ୟ ଉଗ୍ରବାଦୀ କାଣ୍ଡମାନ ସଂଘଟିତ ହେଉଛି । ଦୁର୍ଭାଗ୍ୟକୁ ଏ ଦେଶରେ ପ୍ରତିପାଳିତ କିଛି ଦେଶଦ୍ରୋହୀ ଏବଂ ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ଏହି ସୀମା ପାରି ଆତଙ୍କୀମାନଙ୍କୁ ଅହରହ ସହଯୋଗର ହାତ ବଢ଼ାଇ ସେମାନଙ୍କୁ ଭାରତ ବିରୁଦ୍ଧରେ ଧ୍ୱଂସାତ୍ମକ କାର୍ୟ୍ୟରେ ଲଗାଉଛନ୍ତି । ୨୦୦୧ରେ ଲସ୍କର-ଏ-ତୋଇବା ଏକ ଆତଙ୍କବାଦୀ ସଙ୍ଗଠନ ରୂପେ ଘୋଷିତ ହେବା ପରେ ଏହାର ନେତା ହାଫିଜ୍‌ ସୟିଦ ବିଶ୍ୱବାସୀଙ୍କ ଆଖିରେ ଧୂଳି ଦେଇ ଏହି ସଙ୍ଗଠନର ନାମ ତିନିଥର ବଦଳାଇ ସାରିଲେଣି । ପ୍ରଥମେ ଜାମା-ଉଦ୍‌-ଦାଓ୍ୱା ତା ପରେ ଫଲା-ଏ-ଇନ୍‌ସାନିୟତ୍‌ ଏବଂ ଶେଷରେ ତେହରିକ ଆଜାଦୀ ଜାମ୍ମୁ-କାଶ୍ମୀର ନାମରେ ସଙ୍ଗଠନ ଗଢ଼ି ସେଇ ସମାନ ଜେହାଦୀ କାର୍ୟ୍ୟରେ ଲିପ୍ତ ରହିଛନ୍ତି । ଆତଙ୍କୀ ସଙ୍ଗଠନମାନଙ୍କ ନାମ ଭିନ୍ନ ଭିନ୍ନ ହେଲେ ମଧ୍ୟ ସେମାନଙ୍କ ମଧ୍ୟରେ ଅଖଣ୍ଡ ଯୋଗସୂତ୍ର ରହିଛି ଏବଂ ସେମାନଙ୍କର ଉଦ୍ଦେଶ୍ୟ ବିଶ୍ୱବ୍ୟାପୀ ସମାନ ଅଟେ । ପାକିସ୍ତାନ ସରକାରଙ୍କର ଛତ୍ରଛାୟାରେ ଏସବୁ ଭାରତ ବିରୁଦ୍ଧରେ ହିଁ  ପ୍ରୟୋଜିତ ହେଉଛନ୍ତି । 
 
ଦୀର୍ଘ ସମୟ ଧରି ଭାରତ ଏହି ଆତଙ୍କୀ ଗୋଷ୍ଠୀମାନଙ୍କ ଦ୍ୱାରା ସୃଷ୍ଟ ତାଣ୍ଡବଲୀଳାର ସମ୍ମୁଖୀନ ହୋଇ ଆସୁଛି । ଏଇ ପରିପ୍ରେକ୍ଷୀରେ ନିକଟରେ ସମାଜବାଦୀ ପାର୍ଟିରୁ ନିଷ୍କାସିତ ନେତା ଅମରସିଂହଙ୍କର ବିସ୍ଫୋଟକ ବୟାନ ପ୍ରଣିଧାନ ଯୋଗ୍ୟ । ମହାଶିବରାତ୍ରି ଅବସରରେ ବାରଣାସୀର ବାବା ବିଶ୍ୱନାଥଙ୍କ ଦର୍ଶନ ଅବସରରେ ସମାଜବାଦୀ ପାର୍ଟିର ଅନେକ ନେତାଙ୍କର ଆତଙ୍କବାଦୀମାନଙ୍କ ସହ ସମ୍ବନ୍ଧ ରହିଥିବା ସେ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ପାକିସ୍ତାନୀ ଦୂତାବାସର ଅଧିକାରୀ ଶାହିଦଙ୍କ ସାକ୍ଷ୍ୟ ମେତ ଗୁପ୍ତଚର ବୃତ୍ତିରେ ଲିପ୍ତ ଥିବା ଅଜମତକୁ ଏନ୍‌ଆଇଏ ଦ୍ୱାରା ମୁନଓ୍ୱର ସଲିମ ଘରୁ ଧରା ଯାଇଥିଲା । ସେ ଏକ ତିହାର ଜେଲ୍‌ ମଧ୍ୟରେ ଦିନ କାଟୁଛି । ଏହି ଅଜମତ ହେଉଛି ସମାଜବାଦୀ ପାର୍ଟି ନେତା ଆଜମ ଖାରଁ ଖାସ ଲୋକ । ଏଣୁ ଆଜମ ଖାଁ ଉପରେ କାର୍ୟ୍ୟାନୁଷ୍ଠାନ ହେବା ଉଚିତ୍‌ । ସେଇପରି ରାଜେନ୍ଦ୍ର ଚୌଧୁରୀ ସଦୃଶ ନେତାମାନେ ଅମିତ୍‌ ଶାହା ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କୁ  ଆତଙ୍କବାଦୀ କହୁଛନ୍ତି କିନ୍ତୁ  ସେଇମାନେ ହିଁ ଆତଙ୍କବାଦୀମାନଙ୍କୁ ସହଯୋଗ କରୁଛନ୍ତି । ଅନ୍ୟତମ ନେତା ଅବୁ ଆସିମ୍‌ ସହଯୋଗରେ ଏକଦା ଦାଉଦ୍‌ ଇବ୍ରାହିମ ଏବଂ କବାଲ ମିର୍ଚ୍ଚି ପରି ଆତଙ୍କବାଦୀମାନେ ମୁମ୍ବାଇରୁ ଖସି ପଳାଇବା ପାଇଁ ସଫଳ ହୋଇଥିଲେ । ଏତଦ୍‌ବ୍ୟତୀତ ସାରା ଦେଶରେ ବିସ୍ଫୋଟ ଘଟାଉଥିବା ଆତଙ୍କବାଦୀମାନେ ମୁମ୍ବାଇ ସ୍ଥିତ ଅବୁ ଆସିମ ଘରେ ହିଁ ସଂରକ୍ଷଣ ପ୍ରାପ୍ତ ହୋଇଥାନ୍ତି । ରାଜ୍ୟ ସଭାର ସାଂସଦ ତଥା ଜଣେ ଦାୟିତ୍ୱ ସମ୍ପନ୍ନ ଅନୁଭବି ନେତା ହିସାବରେ ଅମର ସିଂହଙ୍କର ଉପରୋକ୍ତ ବକ୍ତବ୍ୟରେ ଯେ କିଛି ନା କିଛି ସତ୍ୟତା ଅଛି ଏହା ନିସନ୍ଦେହ ।
 
ଏହା କେବଳ ମୁମ୍ବାଇ ବା ଉତ୍ତରପ୍ରଦେଶର କଥା ନୁହେଁ । ସମଗ୍ର ଦେଶରେ ଯେପରି ଭାବରେ ଆତଙ୍କବାଦୀ ସାନେ ଜାଲ ବିଛାଇବାରେ ଲାଗି ପଡିଛନ୍ତି ତାହାକୁ ଅନୁଧ୍ୟାନ କଲା ପରେ ସରକାର ଏବଂ ପ୍ରଶାସନ କାର୍ୟ୍ୟଶୈଳୀ ଏବଂ ଦକ୍ଷତା ଉପରେ ପ୍ରଶ୍ନଚିହ୍ନ ଉଠିବା ସ୍ୱଭାବିକ । ସରକାରଙ୍କ ଅନୁରାଗୀ ମିଡିଆ ଏବଂ ପ୍ରଶାସନର ସ୍ଥାବକ ଗୋଷ୍ଠୀ ଏ ବିଷୟଟିକୁ ଲୋକ ଲୋଚନକୁ ନଆଣିଲେ ମଧ୍ୟ ନିକଟ ଭବିଷ୍ୟତରେ  ଯେ ଦେଶ ପାଇଁ ଏକ ବିସ୍ଫୋଟକ  ଓ ଭୟାନକ ପରିସ୍ଥିତି ସୃଷ୍ଟି ନହେବ ଏହା କିଏ କହିବ ? ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି ଦ୍ୱାରା ଏହା ସ୍ୱୀକୃତ ଯେ ଦେଶର ଆଇଏସ ଆତଙ୍କୀ ସଙ୍ଗଠନ ବର୍ତ୍ତମାନ ନିଜ ସ୍ଥିତିକୁ ମଜଭୁତ କରିବାରେ ଲାଗିଛି । ସବୁଠୁ ମଜ୍ଜାର କଥା ହେଉଛି ଯେତେବେଳେ ଭାରତ ସାଉଦି ଆରବ ଏବଂ ଅନ୍ୟ ଆରବ ଦେଶମାନଙ୍କ ସହ ବନ୍ଧୁତା ମଜଭୁତ କରିବାରେ ଲାଗିଛି ଠିକ୍‌ ସେତକିବେଳେ ଦେଶବ୍ୟାପୀ ବହୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଆତଙ୍କବାଦୀ କାର୍ୟ୍ୟକଳାପ ସହ ଜଡିତ କଟ୍ଟର ମୁସ୍ଲିମ୍‌ ଉଗ୍ରବାଦୀ ଡା.ଜାକିର ନାଇକ ଭାରତରୁ ପଳାୟନ କରି ସଉଦି ଆରବରେ ସରକାରୀ ଛତ୍ରଛାୟା ତଳେ ଏକ ବିଳାମୟ ଜୀବନ ଅତିବାହିତ କରୁଛି । ବହୁ ପ୍ରମାଣ ଓ ଖବର ପ୍ରକାଶିତ ହେବା ପରେ ମଧ୍ୟ ସିବିଆଇ କିଂକର୍ତ୍ତବ୍ୟ ବିମୁଖ । ତାକୁ ଗିରଫ କରିବା ନିମନ୍ତେ ଅଦ୍ୟାବଧି ପ୍ରଥମ ପଦକ୍ଷେପ ସ୍ୱରୂପ ରେଡ କର୍ନର ନୋଟିସ ମଧ୍ୟ ଜାରି ହୋଇ ପାରିନାହିଁ । ଏଇ ସବୁ ଦେଶ ଯେ ଆତଙ୍କବାଦୀ ସଙ୍ଗଠନମାନଙ୍କୁ ପୃଷ୍ଠପୋଷକତା ଯୋଗାଇ ସେମାନଙ୍କୁ ବିଶ୍ୱବ୍ୟାପୀ ବିସ୍ଫୋଟକ କ୍ରିୟାକଳାପ ପାଇଁ ଅନୁପ୍ରେରିତ କରି ଆସୁଛନ୍ତି ଏହା କହିବାର ଆବଶ୍ୟକତା ନାହିଁ ।
 
ଗତ ଗଣତନ୍ତ୍ର ଦିବସ ଅବସରରେ ମଣିପୁର ଓ ନାଗାଲାଣ୍ଡ ଠାରେ ସଂଘଠିତ ହୋଇଥିବା ବହୁ ବୋମା ବିସ୍ଫୋଟ ତଥା ନିକଟରେ ପଞ୍ଜାବର ଏକ ନିର୍ବାଚନ ସଭାରେ ବୋମା ବିସ୍ଫୋଟ ହୋଇ ଛଅ ଜଣ ନାଗରିକ ପ୍ରାଣ ହରାଇବା ଏବଂ ଦେଶର ବିଭିନ୍ନ ସ୍ଥାନରେ ଘଟି ଯାଇଥିବା ଏକାଧିକ ରେଳ ଦୂର୍ଘଟଣା ପଛରେ ପାକିସ୍ତାନୀ ଆତଙ୍କୀ ତଥା ଆଇଏସ୍‌ଆଇର ହାତ ଥିବା ସ୍ୱୀକାର କରାଯାଉଛି । ସାଧାରଣତଃ ଏହି ସବୁ ଆତଙ୍କବାଦ କାର୍ୟ୍ୟକଳାପ ସକାଶେ ମୁସଲମାନ୍‌ମାନଙ୍କୁ ହିଁ ସନ୍ଦେହ ଘେର ମଧ୍ୟକୁ ନିଆ ଯାଇଥାଏ । କିନ୍ତୁ ଆଶ୍ଚର୍ୟ୍ୟର କଥା ହେଉଛି ପାକିସ୍ତାନ ଗୁପ୍ତଚର ଏଜେନ୍ସି ଆଇଏସ୍‌ଆଇ ତଥା ଆଇଏସ୍‌ ନାମକ ବିଶ୍ୱପ୍ରସିଦ୍ଧ ଆତଙ୍କୀ ସଙ୍ଗଠନ ଖୁବ୍‌ ପ୍ରତିଷ୍ଠିତ ଡିଗ୍ରି ଧାରୀ ଶିକ୍ଷିତ ହିନ୍ଦୁ ଏବଂ ଇଶାଇମାନଙ୍କୁ ସଙ୍ଗଠନମାନଙ୍କରେ ସାମିଲ କରୁଛନ୍ତି । ପ୍ରମାଣ ସ୍ୱରୂପ କାନପୁର ନିକଟରେ ହୋଇଥିବା ରେଳ ଦୂର୍ଘଟଣା ଘଟାଇଥିବା ବ୍ୟକ୍ତି ଜଣେ ନେପାଳୀ ହିନ୍ଦୁ ଯିଏକି ଆଇଏସ୍‌ଆଇ ଦ୍ୱାରା ନିୟୋଜିତ ହୋଇଥିଲା । ସେଇପରି ଗତବର୍ଷ ଆଇଏସ୍‌ ଆତଙ୍କୀ  ସଙ୍ଗଠନ ସହ ସମ୍ପୃକ୍ତ ପ୍ରାୟ ୫୨ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କ ମଧ୍ୟରୁ କେତେକ ହିନ୍ଦୁ ଏଇ ଇଶାଇ ଲୋକ ଥିଲେ ଯେଉଁମାନେ କି ଜାକିର ନାଇକ ପ୍ରରୋଚନାରେ ଇସ୍ଲାମକୁ ଧର୍ମାନ୍ତରିତ ହୋଇଥିଲେ ।
 
ଧରାପଡିଥିବା ଆରୋପୀ ଆତଙ୍କୀଙ୍କ ମଧ୍ୟରୁ କେବଳ ଚାରିଜଣଙ୍କୁ ବାଦ୍‌ ଦେଲେ ସମସ୍ତେ ୧୮ରୁ ୪୦ ବର୍ଷ ଆୟୁ ମଧ୍ୟରେ ଥିଲେ ଏବଂ ତନ୍ମଧ୍ୟରୁ ୨୦ ଜଣ ପୋଷ୍ଟ ଗ୍ରାଜୁଏଟ୍‌, ଇଞ୍ଜିନିୟର ଅଥବା କମ୍ପୁଟରରେ ଉଚ୍ଚ ଡିଗ୍ରୀ ପ୍ରାପ୍ତ । ଏ ସମସ୍ତେ ମହାରାଷ୍ଟ୍ର,  ତେଲେଙ୍ଗାନା, ତାମିଲ୍‌ନାଡୁ, ପଶ୍ଚିମବଙ୍ଗ, କେରଳ, ରାଜସ୍ଥାନ, ଉତ୍ତରପ୍ରଦେଶରୁ ଥିବାବେଳେ ମଧ୍ୟପ୍ରଦେଶ ଏବଂ ଜମ୍ମୁକାଶ୍ମୀରରୁ ମାତ୍ର ଜଣେ ଜଣେ ଥିଲେ । ଏମାନଙ୍କ ବିଷୟରେ ଜାତୀୟ ଯାଞ୍ଚ ଏଜେନ୍ସି ସୂତ୍ରରୁ ପ୍ରାପ୍ତ ତଥ୍ୟ ଅନୁଯାୟୀ ପ୍ରାୟ ୫୦ ପ୍ରତିଶତ ଆରୋପୀ ଜମିୟତ ଅହଲେ ହଦୀସ ନାମକ ମୁସ୍ଲିମ ସଙ୍ଗଠନ ସହ ସମ୍ବନ୍ଧିତ ଓ ଅନ୍ୟ ସମସ୍ତେ ତବଲୀଗି ଜମାତ ଏବଂ ଦେବବନ୍ଦୀ ଗୋଷ୍ଠୀ ସହ ସମ୍ପୃକ୍ତ । ଏହି ସଙ୍ଗଠନମାନେ ଆତଙ୍କବାଦୀମାନଙ୍କର ଚୟନ ସଂସ୍ଥା ରୂପେ ଖୋଲାଖୋଲି ଭାବେ କାର୍ୟ୍ୟ କରିଥାନ୍ତି । ଆଇଏସ୍‌ ପାଇଁ ମଧ୍ୟ ସଦସ୍ୟ ସଂଗ୍ରହ ଏମାନଙ୍କ ଦ୍ୱାରା ହୋଇଥାଏ । ଏମାନଙ୍କ ମଧ୍ୟରୁ କେତେକଙ୍କର ଦେଶବ୍ୟାପୀ ଶାଖା ଥିବା ବେଳେ ପୃଥିବୀର ଶତାଧିକ ଦେଶରେ କେନ୍ଦ୍ରମାନ କାର୍ୟ୍ୟ କରୁଛି । ଏଫ୍‌ବିଆଇ ନାମକ ଆମେରିକା ଗୁପ୍ତଚର ସଂସ୍ଥା ଅନୁଯାୟୀ ତବଲୀଗି ଜମାତ ହେଉଛି ଜେହାଦୀ ଆତଙ୍କୀ ସଙ୍ଗଂନମାନଙ୍କ ପାଇଁ ସଭ୍ୟ ସଂଗ୍ରହ କରିବା ଦିଗରେ ଏକ ବିଶାଳ ସଂସ୍ଥା ଯାହାର କେନ୍ଦ୍ର ବିଶ୍ୱର ୧୨୬ଟି ଦେଶରେ ରହିଛି ଏବଂ ଭାରତର ଦିଲ୍ଲୀ ଠାରେ ଏହାର କାର୍ୟ୍ୟାଳୟ ଅବସ୍ଥିତ । ନିକଟରେ ଗୁଜରାଟ ଏଟିଏସ୍‌ ଦ୍ୱାରା ଗୟାଠାରୁ ମୋହମ୍ମଦ ସରବର, ଔରଙ୍ଗାବାଦ ଠାରୁ ମୋହମ୍ମଦ ହସନ୍‌ ନାମକ ଆତଙ୍କବାଦୀମାନଙ୍କୁ ଗିରଫ କରାଯାଇଛି । ଗତ ଦୀପାବଳୀ ଦିନ ରାତିରେ ଭୋପାଳ ଜେଲରୁ ୮ ଜଣ ସିମି ଆତଙ୍କବାଦୀ ଖସି ପଳାଇ ଯାଇଥିବା ଖବର ପ୍ରକାଶ ପାଇଥିଲା । ଏବେ ଏବେ ସୌରାଷ୍ଟ୍ର ବିଶ୍ୱବିଦ୍ୟାଳୟରୁ ସେବା ନିବୃତ୍ତ ରାଜକୋଟ  ନିବାସୀ ଅରିଫ ରାମୋଡିଆର ବଡପୁଅ ବସୀମ ରାଜକୋଟରୁ ତଥା ସାନପୁଅ ନଇମ ଭାବନଗର ଠାରୁ ଅନ୍ତରାଷ୍ଟ୍ରୀୟ ଆତଙ୍କବାଦୀ ସଙ୍ଗଠନ ଆଇଏସ୍‌ ପାଇଁ କାର୍ୟ୍ୟ କରୁଥିବା ଆତଙ୍କବାଦୀ ରୂପେ ଗିରଫ ହେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଭାରତର ଉତ୍ତର ପୂର୍ବାଞ୍ଚଳ ରାଜ୍ୟମାନଙ୍କରେ ତଥା ପଶ୍ଚିମବଙ୍ଗଳାର ମାଲଦା ବର୍ଦ୍ଧମାନ ସମେତ ରାଜ୍ୟର ଆତଙ୍କବାଦୀ ଓ ନକ୍ସଲ କାର୍ୟ୍ୟକଳାପ, ଜାମ୍ମୁକାଶ୍ମୀର, ଦିଲ୍ଲୀ, ଉତ୍ତରପ୍ରଦେଶ, ବିହାରରେ ଘଟୁଥିବା ବହୁଳ ଆତଙ୍କୀ ଷଡଯନ୍ତ୍ର ଘଟଣା ଭବିଷ୍ୟତରେ ସମ୍ଭାବ୍ୟ ବିପଦ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଏପରିକି ଓଡିଶା ମଧ୍ୟ ଏହି ଦୁଶକ୍ତିରୁ ବାଦ୍‌ ପଡିନାହିଁ । ଓଡିଶାର ଜଗତ୍‌ପୁରରୁ ଅଲ୍‌କାଏଦା ସଦସ୍ୟ ସନ୍ଦିଗ୍ଧ ଆତଙ୍କୀ ଅବଦୁର ରହମାନର ଗିରଫଦାରୀ, ଚାନ୍ଦିପୁର ଇଣ୍ଟ୍ରିଗେଟେଡ୍‌ ଟେଷ୍ଟିରେଞ୍ଜର, ସନ୍ଦିଗ୍ଧ ଆଇଏସ୍‌ଆଇ ଏଜେଣ୍ଟ ଇଶ୍ୱର ବେହେରା, ପୁରୀ ଷ୍ଟେସନର ଏକାଧିକ  ବଗିରେ ଅଗ୍ନି ସଂଯୋଗ କରିଥିବା ରାମଚନ୍ଦନ୍‌ ସୁଭାଷ ତଥା ୨୦୧୩ରେ ଇଣ୍ଡିଆନ ମୁଜାହଦ୍ଦିନର ୨ ଜଣ ଆତଙ୍କୀ ପୁରୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନର ନକ୍ସା ପ୍ରସ୍ତୁତ କରି ଦିଲ୍ଲୀ ସ୍ୱତନ୍ତ୍ର ସ୍କ୍ୱାର୍ଡ ହାତରେ ଧରାପଡିବା ଘଟଣା ପ୍ରମାଣିତ କରୁଛି ଯେ ସମଗ୍ର ଦେଶରେ ଆତଙ୍କବାଦୀ ମାନଙ୍କର ନେଟ୍‌ଓ୍ୱାର୍କ ଛାଇଯାଇଛି । ନେଡିଗୁଡ କହୁଣୀକୁ ବହିଯିବା ପୂର୍ବରୁ ପ୍ରଶାସନିକ ତତ୍ପରତା ହିଁ ମଙ୍ଗଳକାରୀ ହେବ । 
.............
ଅବନୀକାନ୍ତ ଶତପଥୀ
 
  • Tags:

Subscribe

National International State Sports Entertainment