ପୁଣି ଭୁଲ୍‌ ଦୋହରାଇ ଏକ ଲକ୍ଷ ପିଲାଙ୍କ ଜୀବନ ସହ ଖେଳିଲେ ସରକାର !
Khabar Odisha:one-lakh-students-future-in-dark
୧୬ ତାରିଖରେ ହେବାକୁ ଥିବା ରସାୟନ ବିଜ୍ଞାନ ପରିକ୍ଷାର ପ୍ରଶ୍ନପତ୍ର ୧୪ ତାରିଖ ଦିନ ବ୍ରହ୍ମଗିରି ସମେତ ରାଜ୍ୟର ୧୦ ଟି କଲେଜରେ ହେଉଥିବା ଗଣିତ ପରୀକ୍ଷା ହଲରେ ପହଂଚିଥିଲା । ଏ ଘଟଣା ନୂଆ ନୂହେଁ। ୨୦୧୩ ମସିହାରେ +୨ ପରୀକ୍ଷାର ରସାୟନ ବିଜ୍ଞାନ ଓ ପଦାର୍ଥ ବିଜ୍ଞାନ ପ୍ରଶ୍ନପତ୍ର ଲିକ ହୋଇ ପ୍ରାୟ ୨,୯୦,୦୦୦ ପିଲାଙ୍କ ଭାଗ୍ୟ ଓ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଇଥିବା ବେଳେ ଏହାର ପୁଣିଥରେ ପୁନରାବୃତି ହୋଇଥିବା ପରିଲକ୍ଷିତ ହୋଇଛି। ପୂର୍ବରୁ ନିଜକୁ ପରୀକ୍ଷା ପାଇଁ ପ୍ରସ୍ତୁତ କରିଥିବା ପିଲାମାନଙ୍କ ମାନସିକ ସ୍ଥିତି ସହ ମଧ୍ୟ ଏକରକମ ସାଲିସ୍‌ କରାଯାଇଛି। ଘଟଣା ଦିନ ୧ ଘଣ୍ଟା ବିଳମ୍ୱରେ ପରୀକ୍ଷା ହେବା ବେଳେ ଏବେ ରସାୟନ ବିଜ୍ଞାନ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଏଥିରୁ ସରକାର ଏବଂ ତାଙ୍କ ସହ ଗଣଶିକ୍ଷା ବିଭାଗର ପାରିବା ପଣିଆ ପଦାରେ ପଡିଛି । ସମସ୍ତ ଦୋଷକୁ ଛାପାଖାନା ମୁଣ୍ଡରେ ଲଦି ଦେଇ ବିଭାଗୀୟ କର୍ତ୍ତୁପକ୍ଷ ଅତି ସହଜରେ ଚାଲାକର ସହିତ ଏପରି ଏକ ସମ୍ବେଦନଶୀଳ ପ୍ରସଙ୍ଗରୁ ଓହରି ଯାଇଛନ୍ତି। ଏପଟେ ପ୍ରାୟ ୧ ଲକ୍ଷ ପିଲାଙ୍କ ଭବିଷ୍ୟତ ବର୍ତ୍ତମାନ ଅନ୍ଧକାର ଭିତରେ।
 
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ପଦବୀରୁ ପ୍ରଫେସର ବାସୁଦେବ ଛାଟୋଇ ଜାନୁଆରି ୩୧ରେ ଅବସର ନେବାପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରବରିଆ ଭାବେ ସବୁ ନିୟମକୁ ଜଳାଞ୍ଜଳି ଦେଇ  ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ସୁନ୍ଦର ଲାଲ୍ ସିଲ୍‌ଡ଼ଙ୍କ ହାତରେ ଫେବୃଆରୀ ୧ ରେ +୨ ପରିଷଦର ଦାୟୀତ୍ୱ ଟେକିଦେଲା । ସାଧାରଣରେ ଚର୍ଚ୍ଚା ହେଉଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଓ ସଚିବ ଖାସ୍ ତାଙ୍କ ଅନୁଗତଙ୍କୁ ଥଇଥାନ କରିବା ପାଇଁ ସୁନ୍ଦର ଲାଲ୍ ସିଲ୍ଡ଼ଙ୍କ ଭଳି ଜଣେ ଅନଭିଜ୍ଞ ଆଇ.ଏ.ଏସ୍ ଅଫିସରଙ୍କୁ ଆଣି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଭାବରେ ବସାଇଦେଲେ । ଉଚ୍ଚ ଶିକ୍ଷା ମାଧ୍ୟମିକ ପରିଷଦର କିଛି କର୍ମଚାରୀଙ୍କ କହିବା ଅନୁସାରେ ଶ୍ରୀ ସିଲ୍ ଦାୟୀତ୍ୱ ନେଲା ପରେ କାଁ ଭାଁ ପରିଷଦକୁ ଆସିଥାନ୍ତି ଓ ପ୍ରାୟ ମନମୁତାକ କାର୍ୟ୍ୟ କରିଥାନ୍ତି। ତେବେ ଏପରି ଗୋଟିଏ ସମ୍ୱେଦନଶୀଳ ସମୟରେ ଏପରି କରିବା କେତେଦୂର ଯୁକ୍ତିଯୁକ୍ତ ଆପଣ ଭାବନ୍ତୁ?
 
 
ଏ ପ୍ରଶ୍ନ ପତ୍ର ପ୍ରଘଟ ଘଟଣାର ସମାଧାନ କରିବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ନିୟନ୍ତ୍ରକ ବିରଂଚି ନାରାୟଣ ମିଶ୍ରଙ୍କୁ ଏହାର ତଦନ୍ତ ଦାୟୀତ୍ୱ ଦିଆଯିବା ସହ ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏ ପରିପ୍ରେକ୍ଷୀରେ ବିଭାଗୀୟ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ବି କହିଦେଲେ ରିପୋର୍ଟ ଆସିଲେ କାର୍ୟ୍ୟାନୁଷ୍ଠାନ ହେବ। ହେଲେ ଏଠାରେ ବଡ ବଡିଆଙ୍କ ଭୁଲ ପାଇଁ ବଳି ପଡିଲେ ସାଧାରଣ ଛାତ୍ର ଛାତ୍ରୀ । ଏପ୍ରିଲ୍ ୨ ତାରିଖରେ ଅଫଲାଇନ୍‌ରେ ସାରା ଦେଶରେ ଜେଇଇ ମେନ୍ ପରୀକ୍ଷା ହେବ। ଯେଉଁମାନେ ବି ଏବେ +୨ ପରୀକ୍ଷା ଦେଉଛନ୍ତି ସେମାନଙ୍କମଧ୍ୟରୁ ଓଡିଶାରୁ ୪୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ। କିନ୍ତୁ ବିଭାଗ ଦ୍ୱାରା ତରବରିଆ ଭାବେ ନିଆଯାଇଥିବା ନିଷ୍ପତି ଅନୁସାରେ ମାର୍ଚ୍ଚ ୩୦ ରେ ରସାୟନ ବିଜ୍ଞାନ ପରୀକ୍ଷା ହେବ। ବିଭାଗର ଏ ନିଷ୍ପତି ଛାତ୍ରଛାତ୍ରୀ ମାନଙ୍କ ମୁଣ୍ଡରେ ଚଡକ ପକାଇଛି । ବର୍ତମାନ ସେମାନେ ଜାଣିପାରୁନାହାନ୍ତି କେଉଁ ପରୀକ୍ଷା ପାଇଁ କେତେ ସମୟ ଦେବେ। ଏ ପ୍ରରିପ୍ରେକ୍ଷୀରେ ଜେଇ ମେନ୍‌ରେ ଓଡିଶାର ଛାତ୍ରଛାତ୍ରୀ କିପରି ପ୍ରଦର୍ଶନ କରିବେ ସେ ଉପରେ ସମସ୍ତଙ୍କ ନଜର। ମାତ୍ର ପରିଷଦର ଏ ମାମଲାରେ ଦୂର ଦୃଷ୍ଟିର ଅଭାବ ରହିଛି ଯାହାକି ଅଳ୍ପ ବହୁତେ ବେଶ୍‌ ଅନୁଭବ କରୁଥିବେ ନିଶ୍ଚୟ। ମୋଟାମୋଟି ଭାବେ କହିବାକୁ ଗଲେ ସରକାରଙ୍କୁ ଅତ୍ୟନ୍ତପକ୍ଷେ ଆଗାମୀ ପିଢ଼ିମାନଙ୍କ ଭବିଷ୍ୟତ ସହ ନିଜ ମନ ମୁତାବକ ଆଦେଶ ଏବଂ ନିଷ୍କ୍ରିୟତା ଅଜାଡ଼ି ଦେବା ସମୟରେ ସଚେତନ ରହିବା ଉଚିତ୍‌। ଯାହାକି ଏକ ମାମୁଲି ସମସ୍ୟା ଭାବେ ବେଶ୍‌ ସହଜରେ ଏଡ଼ାଇ ଦିଆଯାଉଛି।
  • Tags:

Subscribe

National International State Sports Entertainment