ବିପର୍ଯ୍ୟସ୍ତ ପରିମଳ, କାମଳ ସ୍ଥିତି ଅସମ୍ଭାଳ
Khabar Odisha:jaundice-special
ଭୁବନେଶ୍ୱର, ମାର୍ଚ୍ଚ 4(ଖବର ଓଡ଼ିଶା): କଟକ ସହର ଏକ ବହୁ ପୁରାତନ ସହର । ଏଠାରେ ବିଭିନ୍ନ ସମୟରେ ବହୁ ସମସ୍ୟା ଓ ବାଦବିବାଦ ଦେଖାଦେଇଥାଏ । ତେବେ ଏଠାରେ ଏବେ ଥମିବାକୁ ନାଁ ଧରୁନାହିଁ ଜଳବାହିତ ରୋଗ ଜଣ୍ଡିସ୍ । କଟକରେ ଏବେ ଏହି ରୋଗ ଗୋଟିଏ ପରେ ଗୋଟିଏ ୱାର୍ଡକୁ ଡେଇଁ ଚାଲିଛି । ଏଭଳି ରୋଗ ବ୍ୟାପିବା ପଛରେ ଜଳ ପ୍ରଦୂଷଣକୁ ମୁଖ୍ୟତଃ ଦାୟୀ କରାଯାଉଛି । କଟକ ସହରବାସୀଙ୍କୁ ସ୍ୱଚ୍ଛ ଓ ପରିମଳ ଜଳ ପାଇପ୍ ମାଧ୍ୟମରେ ଯୋଗାଇଦେବା ଲକ୍ଷ୍ୟରେ ୧୯୪୯ ମସିହାରେ ସହରର ପ୍ରତ୍ୟେକ ଗଳିକନ୍ଦିରେ ପାଇପ୍ ବିଛାଇବା କାର୍ଯ୍ୟ ଆରମ୍ଭ ହୋଇ ୧୯୫୯ ମସିହାରେ ଶେଷ ହୋଇଥିଲା । ବର୍ତମାନ ସମୟରେ କଟକ ସହରକୁ ଜଳ ବାହିତ ରୋଗ ଜଣ୍ଡିସ୍ ଧିରେ ଧିରେ କବଳିତ କରିବା ସହ ତାର କାୟା ବିସ୍ତାର କରିବାରେ ଲାଗିଛି । ସହରରେ ଜଣ୍ଡିସ୍ ବ୍ୟାପିବାର ତିନୋଟି ପ୍ରମୁଖ କାରଣ ହେଉଛି ବହୁବର୍ଷର ପୁରୁଣା ପାଇପ୍ ଫାଟି ହେଉଥିବା ଲିକେଜ୍, ଅସାଧୁ ଉପାୟରେ ପାଣି ପାଇପ୍ ସଂଯୋଗ ଏବଂ ସହରର ସ୍ୱରେଜ୍ ଓ ଡ୍ରେନେଜ୍ରେ ସୁଧାର ଆଣିବା ପାଇଁ ନିୟୋଜିତ ହୋଇଥିବା ଜାଇକା କମ୍ପାନୀର ମନମୁଖୀ କାର୍ଯ୍ୟଦ୍ୱାରା ପୁରୁଣା ପାଇପ୍ ଗୁଡିକ ଫାଟିବା । 
 
 
ଚଳିତ ବର୍ଷ ଏହି ରୋଗରେ ବେସରକାରୀ ତଥ୍ୟାନୁଯାୟୀ ପ୍ରାୟ ୩୦୦ ଜଣ ଓ ସରକାରୀ ତଥ୍ୟାନୁଯାୟୀ ୧୬୭ ଜଣ ଆକ୍ରାନ୍ତ ହୋଇସାରିଲେଣି ।  କେବଳ ଏହି ବର୍ଷ ନୁହେଁ ପ୍ରତ୍ୟେକ ବର୍ଷ ଏ ରୋଗ ନେଇଥାଏ ଅନେକ ଜୀବନ । ତେବେ ଏହି ସମସ୍ୟା ଯେତିକି ଉଗ୍ର ରୁପ ଧାରଣ କରିଛି ଏହାର ସମାଧାନ ସେତିକି ପରିମାଣରେ ସ୍ଥାଣୁ ପାଲଟିଛି । ବିଭିନ୍ନ ରାଜନୈତିକ ଦଳ ଜଣ୍ଡିସ୍ ବ୍ୟାପିଥିବା ସ୍ଥାନର ପରିଭ୍ରମଣ କରି ରାଜନୈତିକ ମଇଦାନରେ ଫାଇଦା ନେବାକୁ ପଛାଇନାହାନ୍ତି । କିନ୍ତୁ ନିରୀହ ସାଧାରଣ ଜନତାଙ୍କ ସ୍ଥିତି ଯଥା ପୂର୍ବଂମ ତଥା ପରଂମ। ସେପଟେ ସରକାର ଓ ସ୍ଥାନୀୟ ପ୍ରଶାସନ ଏବଂ ଜାଇକା ଭିତରେ ଆରୋପ ପ୍ରତ୍ୟାରୋପର ଶିକାର ହୋଇଛନ୍ତି କଟକ ବାସୀ। ସହର ବାସୀଙ୍କୁ ପାଇପ୍ ମାଧ୍ୟମରେ ଯୋଗାଇ ଦିଆଯାଉଥିବା ଜଳରେ ଡ୍ରେନ୍ର ପଚା ଦୁର୍ଗନ୍ଧଯୁକ୍ତ ପାଣି ମିଶିବା ଫଳରେ  ଏଭଳି ଏକ ସାଂଘାତିକ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଖୋଦ୍ ସରକାରଙ୍କ ଜନସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ କହୁଛି।
 
 
ଅମୃତ ଯୋଜନା ମାଧ୍ୟମରେ ଜଣ୍ଡିସ୍ର ସ୍ଥାୟୀ ପ୍ରତିକାର ସହ ମାଟିତଳେ ଥିବା ପୁରୁଣା ଲୁହା ପାଇପ୍ ବଦଳାଯିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି ।  ତେବେ ସରକାର କଟକ ସହରରେ ବ୍ୟାପୁଥିବା ଜଣ୍ଡିସ୍ର ସ୍ଥାୟୀ ପ୍ରତିକାର ପାଇଁ କରିଥିବା ଅନେକ ଯୋଜନାର ବାସ୍ତବ ସ୍ଥିତି ସହରରେ ଲାଗାତାର କିଛି ବର୍ଷ ଧରି ବ୍ୟାପୁଥିବା ଜଣ୍ଡିସ୍ରୁ ଅନୁମେୟ। ଅନ୍ୟପକ୍ଷରେ ସହର ବାସୀଙ୍କୁ ସୁଦ୍ଧ ପାନୀୟ ଜଳ ଯୋଗାଇଦେବା ଲକ୍ଷ୍ୟନେଇ ସରକାର ୨୦୧୩ ମସିହାରେ ସହର ଜଳ ଯୋଗାଣ ନୀତି କାର୍ଯ୍ୟକାରୀ କରିବେ ବୋଲି ସ୍ଥିର କରିଥିଲେ । ଏହା କ୍ୟାବିନେଟ୍ ମଞ୍ଜୁରୀ ପାଇଲା ପରେ ୨୦୧୫-୧୬ ଠାରୁ ୧୨ ବର୍ଷ ପର୍ଯ୍ୟନ୍ତ ଅର୍ଥାତ୍ ୨୦୨୬-୨୭ ବର୍ଷ ପର୍ଯ୍ୟନ୍ତ ୪,୩୮୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା ହେଲେ ଭାଗ୍ୟର ବିଡମ୍ବନା ଏହା ବସ୍ତୁତଃ ଜଳସମାଧି ନେବାକୁ ବସିଛି ।
 

 

  • Tags:

Subscribe

National International State Sports Entertainment