ବିଜୁବାବୁଙ୍କ ଜନ୍ମବାର୍ଷିକୀ ପରିପ୍ରେକ୍ଷୀରେ...
Khabar Odisha:about-Biju-pattanaik-birthday-celebration
ବିଜୁବାବୁଙ୍କୁ ଜନ୍ମ ଶତବାର୍ଷିକୀ ପାଇଁ  ବିଜୁ ଜନତା ଦଳରେ ରାଜ୍ୟ ସ୍ତରୀୟ କମିଟି ଗଢ଼ା ହେବା କଥା ଏବଂ ସରକାରୀ ସ୍ତରରେ ଏହା କରାଯିବା କଥା ପତ୍ରପତ୍ରିକାରେ ପ୍ରକାଶ ପାଇଥିଲା । ଏହାଦ୍ୱାରା ସାରା ରାଜ୍ୟରେ ବିଜୁବାବୁଙ୍କ ଏକ ବର୍ଷ ପାଇଁ କାର୍ୟ୍ୟକ୍ରମ କିଭଳି ଭାବେ କରାଯିବ, ତାହା କିଭଳି ଚୂଡାନ୍ତ ହେବା କଥା ଜନସାଧାରଣ ଏବେ ଯାଏଁ ଜାଣିନାହାନ୍ତି, ଯାହା ଖବରକାଗଜରୁ ଜାଣିଲେ ରାଜ୍ୟସ୍ତରୀୟ କମିଟି ବସି ଗ୍ରାମାଞ୍ଚଳରେ କିଭଳି କାର୍ୟ୍ୟକ୍ରମ ହେବ ତାହା ଆଲୋଚନା କରାଯାଇଥିଲା । ସେ ଯାହା ହେଉ ଆଜିକାଲି ଜନ୍ମଦିନ ଉତ୍ସବ ପ୍ରତ୍ୟେକ ଲୋକ କରୁଛନ୍ତି, ନିଜ ପରିବାର ଭିତରେ କିମ୍ବା ବନ୍ଧୁବାନ୍ଧବ ସାଙ୍ଗମାନଙ୍କୁ ଡକାଇ । କିନ୍ତୁ ବିଜୁବାବୁଙ୍କ ଜନ୍ମଦିନ କିଏ ଆରମ୍ଭ କଲା, କେଉଁମାନେ କଲେ, କେଉଁ ପରିସ୍ଥିତିରେ ଏହା ଆରମ୍ଭ ହୋଇଥିଲା ଏହା କେହି କହିପାରିଲା ଭଳି ନାହାନ୍ତି । ଦଳରେ ମଧ୍ୟ ଏ ସମ୍ବନ୍ଧରେ ଆଲୋଚନା ହେବା ଜାଣିନାହାନ୍ତି କିମ୍ବା ପ୍ରକାଶ ପାଇନାହିଁ । ଯେଉଁ କିଛି ବିଜୁପ୍ରେମୀ ଏହାକୁ ଆରମ୍ଭ କଲେ, ମୁଁ ସେମାନଙ୍କ ମଧ୍ୟରୁ ଜଣେ । ତେଣୁ ନିହାତି ଭାବେ ବିଜୁପ୍ରେମୀ ଓ ବିଜୁ ଜନତା ଦଳର ନେତା ଓ କର୍ମୀମାନଙ୍କ ପାଇଁ ଏହା ଜାଣିବା କଥା ।
 
ବିଜୁବାବୁଙ୍କ ପ୍ରଥମ ଜନ୍ମ ବାର୍ଷିକୀ ପାଳନ କରାଗଲା ମାର୍ଚ୍ଚ ୫ ତାରିଖ ୧୯୭୬ ମସିହାରେ ନବୀନ ନିବାସ ଠାରେ । ସେତେବେଳେ ବିଜୁ ବାବୁ ଜରୁରୀକାଳୀନ ପରିସ୍ଥିତିରେ ଗିରଫ ହୋଇ ହରିଆନା ଜେଲ୍‌ରେ ଥିଲେ । ଏହା ହିଁ ଥିଲା ତାଙ୍କର ୬୦ ତମ ଜନ୍ମ ଦିବସ । ନାନା ବାଧାବିଘ୍ନ ସତ୍ତ୍ୱେ ରାଜଧାନୀରେ ଥିବା ବିଜପ୍ରେମୀ ଓ ଲୋକଦଳ କର୍ମୀମାନେ ଏହାକୁ ଆୟୋଜନ କରିଥିଲେ । ଏହା ଆଲୋଚନା କରିବା ପୂର୍ବରୁ ଏହାର ପୂର୍ବାପର ସମ୍ବନ୍ଧ ସମ୍ପର୍କରେ କିଛି ସୂଚନା ଜାଣିବା ନିହାତି ଆବଶ୍ୟକ । ୯୭୪ ମସିହାରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ କଂଗ୍ରେସ ଦଳ ବିଜୟ ଲାଭ କଲା ଏବଂ ଶ୍ରୀମତୀ ନନ୍ଦିନୀ ଶତପଥୀଙ୍କ ମୁଖ୍ୟମନ୍ତ୍ରୀତ୍ୱରେ ଓଡିଶାରେ କଂଗ୍ରେସ ଦଳ ଶାସନଭାର ଗ୍ରହଣ କଲା । ତାହାକୁ ପ୍ରତିରୋଧ କରିବା ପାଇଁ ତିନି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ (ଲୋକଦଳ), ରାଜେନ୍ଦ୍ର ନାରାୟଣ ସିଂହଦେଓ(ସ୍ୱତନ୍ତ୍ର ପାର୍ଟି), ଡଃ ରବି ରାୟ(ଲୋହିଆ ସୋସାଲିଷ୍ଟ ଦଳ) ଏବଂ ଡଃ ହରେକୃଷ୍ଣ ମହତାବଙ୍କ ସମର୍ଥକମାନେ ମିଶି ଏକ ମିଳିତ ସାମ୍ମୁଖ୍ୟ ଗଠନ କଲେ  ଓ ତାହାର ନାମ ଦେଲେ ପ୍ରଗତି ଦଳ ଏବଂ ବିଧାନସଭାରେ ବିଜୁ ପଟ୍ଟନାୟକ ପ୍ରଗତି ଦଳର ନେତା ନିର୍ବାଚିତ ହୋଇ ବିରୋଧୀ ଦଳ ନେତା ହେଲେ । ୧୯୭୫ ମସିହା ଜୁନ୍‌ ମାସରେ ଆଲ୍‌ହାବାଦ ହାଇକୋର୍ଟରେ ନିର୍ବାଚନ କେସ୍‌ରେ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଥାଇ ରାଜନାରାୟଣଙ୍କ ଠାରୁ ପରାଜିତ ହେଲେ । ଏଥିରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଇସ୍ତଫା ନଦେବାରୁ କଂଗ୍ରେସ ସରକାରକୁ ବରଖାସ୍ତ କରିବା ପାଇଁ ସାରା ରାଜ୍ୟରେ ବିଦ୍ରୋହର ଦାନା ବାନ୍ଧିଲା । ଏହାକୁ ଦମନ କରିବା ଅସମ୍ଭବ ହେବାରୁ ଇନ୍ଦିରା ଗାନ୍ଧି ଦେଶରେ ୧୯୭୫ ଜୁନ୍‌ ୨୫ ତାରିଖରେ ଜରୁରୀକାଳୀନ ପରିସ୍ଥିତ ଲାଗୁକଲେ ଓ ବଡ ବଡ ଆନ୍ଦୋଳନକାରୀ ନେତାଙ୍କୁ ଗିରଫ କରି ଜେଲ୍‌ରେ ବନ୍ଦୀ କଲେ । ସେତେବେଳର ମୁଖ୍ର୍ୟମନ୍ତ୍ରୀ ଶ୍ରୀମତୀ ନନ୍ଦିନୀ ଶତପଥୀ ବହୁ ପ୍ରତିହିଂସା ପରାୟଣ ମହିଳା ଥିଲେ । ଶାସନରେ ଥାଇ ଧରାକୁ ସରା ମନେ କରୁଥିଲେ । ବିଭିନ୍ନ ସ୍ଥାନରୁ ପ୍ରମୁଖ ଗୁଣ୍ଡାଶ୍ରେଣୀୟ ଲୋକଙ୍କୁ ନେଇ ରାଜ୍ୟରେ ଗୁଣ୍ଡାରାଜ ଚଳାଇଥିଲେ । ନନ୍ଦିନୀ ଦେବୀଙ୍କୁ କିଛି ଖୋସମତକାରୀ ରାଜ୍ୟର ଉଦୟସୂର୍ୟ୍ୟ ବୋଲି ବର୍ଣ୍ଣନା କରୁଥିଲେ । ବିରୋଧୀ ଦଳ କର୍ମୀଙ୍କୁ ଭୟଭୀତ କରାଇ ଗିରଫ ଦ୍ୱାରା ଶାସନ ଚଳାଇବା ତାଙ୍କର ଏକମାତ୍ର ଲକ୍ଷ୍ୟ ଥିଲା ।
 
ସେ ସମୟରେ ବିଧାନସଭା ବଜେଟ୍‌ ଅଧିବେଶନରେ ରାଜ୍ୟପାଳ ଶ୍ରୀ ବି.ଡି ଜତ୍ତି ଭାଷଣ ଦେବାକୁ ଗଲାବେଳେ ଯୁବବିଧାୟକ ଅଶୋକ ଦାସ ବାଚସ୍ପତିଙ୍କ ଗ୍ୟାଲେରୀ ଚଢ଼ି କଲର ଧରିଥିବା ଘଟଣା ସେ ସମୟର ଏକ ଚାଞ୍ଚଲ୍ୟକର ଘଟଣା ଥିଲା । ଜରୁରୀ ପରିସ୍ଥିତି ଲାଗୁ ହେବା ଯୋଗୁଁ ବିରୋଧୀ ଦଳ ନେତା ବିଜୁବାବୁଙ୍କୁ ପ୍ରଥମେ ଗିରଫ କରାଗଲା । ତା ପରେ ଡଃ ହରେକୃଷ୍ଣ ମହତାବ, ରବି ରାୟ, ପ୍ରହଲ୍ଲାଦ ମଲ୍ଲିକ, ହରିଶ୍ଚନ୍ଦ୍ର ବକ୍ସିପାତ୍ର, ନଟବର ପ୍ରଧାନ, ଭାଗବତ ବେହେରା, ଅଶୋକ ଦାସ ପ୍ରମୁଖ ପ୍ରଗତି ଦଳ ବିଧାୟକ ଓ ସାଂସଦମାନେ ଗିରଫ ହେଲେ । ଜରୁରୀ ପରିସ୍ଥିତି ଲାଗୁ ହେବା ପୂର୍ବରୁ ରାଜ୍ୟ ସରକାର ଭୁବନେଶ୍ୱର ଏନ୍‌.ଏ.ସିର ନିର୍ବାଚନ କରିଥିଲେ । ସେ ସମୟରେ ଲୋକଦଳ (ପ୍ରଗତି ଦଳ) ପକ୍ଷରୁ ସମସ୍ତ କାଉନ୍‌ସିଲର୍‌ ସରକାରଙ୍କ  ପ୍ରବଳ ଚାପ ସତ୍ତ୍ୱେ ଡଃ ହରେକୃଷ୍ଣ ମହତାବଙ୍କ ଉଦ୍ୟମରେ ବିଜୟଲାଭ କରିଥିଲେ । ଏଥିରେ ବରିଷ୍ଠ ଆଡ୍‌ଭୋକେଟ୍‌ ଶ୍ରୀ ଦୂର୍ଗାପ୍ରସନ୍ନ ପଟ୍ଟନାୟକଙ୍କୁ ଭୁବନେଶ୍ୱର ଏନ୍‌.ଏ.ସି.ର ଚେୟାରମ୍ୟାନ୍‌ କରାଯାଇଥିଲା ।
 
ସେତେବେଳେ କଂଗ୍ରେସ ସରକାରଙ୍କ ପ୍ରବଳ ଆକ୍‌ଟ ସତ୍ତ୍ୱେ ରାଜଧାନୀର ବିଜୁପ୍ରେମୀ ବିଜୁବାବୁଙ୍କ ଜନ୍ମଦିନ ପାଳନ କରିବାକୁ ନିଷ୍ପତ୍ତି ନେଲୁ । ସେ ସମୟର କାଉନ୍‌ସିଲର୍ ସର୍ବଶ୍ରୀ ଚିନ୍ତାମଣୀ ଦାସ, ଅକ୍ଷୟ କୁମାର ତ୍ରିପାଠୀ, ଗୋକୁଳାନନ୍ଦ ଜେନା, ପଦ୍ମଚରଣ ସାହୁ, ବଟକୃଷ୍ଣ ନନ୍ଦ, ପଞ୍ଚାନନ ଜେନା, ବିନାୟକ ମକଦ୍ଦମ ପ୍ରମୁଖଙ୍କ ସହଯୋଗରେ ସର୍ବଶ୍ରୀ ଶାରଦା କାନୁନ୍‌ଗୋ ସୁରେଶ କୁମାର ରାଉତରାୟ, ରଘୁନାଥ ବଡଜେନା, ନିତ୍ୟାନନ୍ଦ ଜେନା, ସୁଦାମଚରଣ ସ୍ୱାଇଁ ପ୍ରମୁଖଙ୍କୁ ଏଥିରେ ମିଶାଇ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲୁ । ସେ ସମୟରେ ଆମ୍ଭେମାନେ ଆଳୁଗଦି ବ୍ୟବସାୟୀ ଏବଂ ହାଟର ସଭାପତି ଜ୍ଞାନ ଜେନା, କଳ୍ପନା ଛକରେ ଥିବା ବିବିଧ ବାଣିଜ୍ୟ ପ୍ରତିଷ୍ଠାନ, ଆଚାର୍ୟ୍ୟବିହାରରେ ଥିବା ସାର ବ୍ୟବସାୟୀ ଅଶୋକ ମହାନ୍ତି ପ୍ରମୁଖଙ୍କର ଠାରୁ ଚାଉଳ, ଚିନି, ଆଳୁ, ପିଆଜ ଓ ପନିପରିବା ସହିତ କିଛି ଅର୍ଥ ସଂଗ୍ରହ କରିଥିଲୁ । ବିଜୁବାବୁଙ୍କ ନବୀନ ନିବାସଠାରେ ବିଜୁ ବାବୁଙ୍କ ଫଟୋ ରଖି ତାଙ୍କର ଦୀର୍ଘ ଜୀବନ କାମନା କରାଯାଇ ପୂଜା ଅର୍ଚ୍ଚନା କରାଯାଇଥିଲା ସଂଗୃହୀତ ଦାନରେ ନବୀନ ନିବାସ ଠାରେ ରୋଷେଇ  କରାଯାଇ ପ୍ରାୟ ୫୦୦ ଲୋକଙ୍କୁ ଦରିଦ୍ର ନାରାୟଣ ସେବା କରାଯାଇଥିଲା । ସକାଳେ ବିଜୁବାବୁଙ୍କ ଦୀର୍ଘାୟୁ କାମନା କରି ଲିଙ୍ଗରାଜ ମନ୍ଦିର, ୪ ନମ୍ବର ସ୍ଥିତ ଗୀର୍ଜୀ ଓ ମସ୍‌ଜିଦ୍‌ରେ ମହମବତୀ ଜାଳି ପୂଜା, ପ୍ରାର୍ଥନା କରାଯିବାର ବ୍ୟବସ୍ଥା ହୋଇଥିଲା ।
ଉକ୍ତ ଦିନ ସନ୍ଧ୍ୟାରେ ଭଞ୍ଜ କଳାମଣ୍ଡପ ଠାରେ ଏକ ସଭା ଚେୟାରମ୍ୟାନ୍‌ ଦିବଙ୍ଗତ ଶ୍ରୀ ଦୂର୍ଗାପ୍ରସନ୍ନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବହୁ ବିଜୁପ୍ରେମୀ ବିଜୁବାବୁଙ୍କ ସ୍ମୃତିଚାରଣ କରିବା ସହିତ ତାଙ୍କର ଦୀର୍ଘଜୀବନ କାମନା କରିଥିଲେ । ଆଜି ବିଜୁବାବୁଙ୍କ ଜନ୍ମଦିନ ୧୦୦ ବର୍ଷ ପୂରିଲା । କିନ୍ତୁ ଏହାର ଅୟମାରମ୍ଭ ୪୦ ବର୍ଷ ତଳର ବିଜୁପ୍ରେମୀମାନଙ୍କ ଦ୍ୱାରା କରାଯାଇଥିଲା । ଏହି ଦିନକୁ ସ୍ମରଣ ରଖିବା ପାଇଁ ଏବେ ମଧ୍ୟ ବିଜୁବାବୁଙ୍କ ଜନ୍ମଦିନରେ କ୍ୟାପିଟାଲ୍‌ ହସ୍‌ପିଟାଲରେ ରୋଗୀମାନଙ୍କୁ ଫଳବଣ୍ଟନ କାର୍ୟ୍ୟକ୍ରମ ଆମମାନଙ୍କ ଦ୍ୱାରା ଅବ୍ୟାହତ ରହିଛି ।
 
୧୯୭୬ ମସିହାରେ ବିଜୁ ଜୟନ୍ତୀ କାର୍ୟ୍ୟକ୍ରମରେ ଯେଉଁମାନଙ୍କ କିଛି ନା କିଛି ଅବଦାନ ଅଛି, ସେଥିରୁ ଅଧିକାଂଶ ମୃତ୍ୟୁବରଣ କରିଥିଲେ ମଧ୍ୟ ଅଳ୍ପ କେତେକ ବିଜୁପ୍ରେମୀ ବର୍ତ୍ତମାନ ପର୍ୟ୍ୟନ୍ତ ଜୀବିତ ଅଛନ୍ତି । ସେମାନେ ରୁଗ୍‌ଣ କିମ୍ବା ଦୁର୍ବଳ ହେଲେ ମଧ୍ୟ ବିଜୁ ବାବୁଙ୍କ କାର୍ୟ୍ୟକ୍ରମ ହେଲେ କୌଣସିମତେ ସେଠାରେ ଉପସ୍ଥିତ ରହି ନିଜର ସ୍ଥିତି ଜାହିର କରିଥାନ୍ତି । ଏ ପରିପ୍ରେକ୍ଷୀରେ ବିଜୁବାବୁଙ୍କ ଜନ୍ମ ଶତବାର୍ଷିକରେ ଯଦି ସେମାନଙ୍କୁ ଖୋଜା ଯାଇ କୌଣସିମତେ ତାଙ୍କୁ ସମ୍ମାନିତ କରାଯାଆନ୍ତା, ତେବେ ତାହା ବିଜୁ ବାବୁଙ୍କ ଆତ୍ମା ପ୍ରତି ଏକ ସ୍ୱତନ୍ତ୍ର ଶ୍ରଦ୍ଧାଞ୍ଜଳୀ ହୋଇ ପାରନ୍ତା । ଏହାକୁ ବିଜୁ ଜନତା ଦଳର ରାଜ୍ୟ ସ୍ତରୀୟ କମିଟି କିଭଳି ଭାବେ ଗ୍ରହଣ କରୁଛି ତାହା ଦେଖିବା କଥା । 
  ଶ୍ରୀ ବୁଦ୍ଧରାମ ସାହୁ
(ପ୍ରାକ୍ତନ ସମ୍ପାଦକ, ବିଜୁ ଜନତା ଦଳ,ଓଡିଶା)
 (ଏହି ଲେଖାଟି ସମ୍ପୃକ୍ତ ଲେଖକଙ୍କର ନିଜସ୍ୱ ଲେଖା । ଏହି ଲେଖାକୁ ଆମେ କେବଳ ଆମ ଓ୍ୱେବ୍‌ସାଇଟ୍‌ରେ ପ୍ରକାଶ କରିଛୁ)
 
 
  • Tags:

Subscribe

National International State Sports Entertainment