ଆଜି ବିଶ୍ୱ ମ୍ୟାଲେରିଆ ଦିବସ, ମ୍ୟାଲେରିଆ ପ୍ରଭାବରୁ କେବେ ମୁକ୍ତ ହେବ ଓଡିଶା
Khabar Odisha:When-Odisha-Will-Be-Malaria-Free-tops-number-of-malaria-deaths-in-India

 ଆଜି ବିଶ୍ୱ ମ୍ୟାଲେରିଆ ଦିବସ । ବିଶ୍ୱକୁ ମ୍ୟାଲେରିଆ ମୁକ୍ତ କରିବା ଲକ୍ଷ୍ୟରେ ଆଗେଇ କାମ କରିବା ହେଉଛି ଏହି ଦିବସର ଉଦ୍ଦେଶ୍ୟ  ।  ଓଡିଶା ହେଉଛି ଦେଶରେ ସବୁଠାରୁ ଅଧିକ ପ୍ରଭାବିତ ମ୍ୟାଲେରିଆ ପ୍ରଭାବିତ ରାଜ୍ୟ । ରାଜ୍ୟରେ କେବଳ ୨୦୧୧ ରୁ ୨୦୧୫ ମସିହା ମାତ୍ର ୫ ବର୍ଷରେ ୧୬ ଲକ୍ଷରୁ ଅଧିକ ଲୋକେ ମ୍ୟାଲେରିଆରେ ପ୍ରଭାବିତ ହୋଇଥିଲେ । ରାଜ୍ୟ ସରକାର ସବୁବେଳେ ମ୍ୟାଲେରିଆକୁ ନେଇ ଢେର ଭାଷଣ ବାଜି କରୁଥିବାବେଳେ ବାସ୍ତବ ସ୍ଥିତି କିନ୍ତୁ ପୁରା ନୈରାଶ୍ୟ ଜନକ  ।  ୨୦୧୬ ମସିହାରେ ମ୍ୟାଲେରିଆ ଜନିତ ମୃତ୍ୟୁ  ସାରା ଦେଶରେ ସବୁଠୁ ଅଧିକ ହୋଇଥିଲା ଓଡିଶାରେ  ।  ଓଡିଶା ପଛକୁ ଥିଲା ପଶ୍ଚିମ ବଙ୍ଗ, ଆଉ ମେଘାଳୟ  ।  

 

କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଇଥିବା ପରିସଂଖ୍ୟନ ଅନୁସାରେ ୨୦୧୨ ମସିହାରେ ୨,୬୨,୮୪୨ ଲୋକଙ୍କୁ ମ୍ୟାଲେରିଆ ହୋଇଥିବା ବେଳେ ୨୦୧୬ ମସିହାରେ ଏହି ସଂଖ୍ୟା କମିବ କଣ ବୃଦ୍ଧି ପାଇଥିଲା । ୨୦୧୬ ମସିହାରେ ଓଡିଶାରେ ୪,୪୯,୬୯୭ ଜଣ ରୋଗୀ ମ୍ୟାଲେରିଆରେ ପଡିଥିଲେ  ।  ମାତ୍ର ୪ ବର୍ଷରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ପାଇଥିଲା ୨ ଲକ୍ଷରୁ ଅଧିକ  । ଯେଉଁଠି କି ପଡୋଶୀ ଛତିଶଗଡ ଆଉ ଝାଡଖଣ୍ଡରେ  ଏହା ଢେର କମିଥିଲା ।

 

୨୦୧୨ ମସିହାରେ ଛତିଶଗଡରେ ୧,୫୧,୫୩୧ ଜଣ ମ୍ୟାଲେରିଆରେ ପୀଡିତ ହୋଇଥିବାବେଳେ ୨୦୧୬ ମସିହାରେ ମ୍ୟାଲେରିଆ ପୀଡିତଙ୍କ ସଂଖ୍ୟା ୧,୨୪,୦୦୬ ଥିଲା  ।  ସେହିଭଳି ଝାରଖଣ୍ଡରେ ୨୦୧୨ରେ ୧,୩୧,୪୭୬ ଜଣ ମ୍ୟାଲେରିଆ ପ୍ରଭାବିତ ହୋଇଥିବାବେଳେ ୨୦୧୬ ମସିହାରେ ଏହା କମି ୧,୧୯,୩୪୫ରେ ପହଂଚିଥିଲା । ଏହି ଦୁଇ ରାଜ୍ୟରେ ଗତ ୪ ବର୍ଷରେ ମ୍ୟାଲେରିଆ ପ୍ରଭାବିତ ସଂଖ୍ୟାରେ କମିଥିବା ବେଳେ ଓଡିଶାରେ କିନ୍ତୁ ଏହା ବୃଦ୍ଧି ପାଇଛି । ଓଡିଶା ସରକାରଙ୍କର ଆନ୍ତରିକତାର ଅଭାବ ଏଥିପାଇଁ ମୁଖ୍ୟତ ଦାୟୀ  । କୋଟି କୋଟି ଟଙ୍କାର ଅର୍ଥ ବ୍ୟୟବରାଦ ହେଉଛି କିନ୍ତୁ ଫଳ ଶୂନ  । ଟଙ୍କା ଖର୍ଚ୍ଚ ପରିମାଣ ବଢୁଛି କିନ୍ତୁ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା କମିବା ବଦଳରେ ବଢୁଛି । 

 

ମୋ ମଶାରୀ ଯୋଜନା ରାଜ୍ୟରେ ୨୦୧୦-୧୧ ରୁ ଆରମ୍ଭ ହୋଇଥିଲା  ।  ଯଦି ରାଜ୍ୟରେ ମଶାରୀ ସେବେଠାରୁ ଠିକ ଭାବରେ ବଣ୍ଟନ ହେଉଥାନ୍ତା ତାହେଲେ ଆଜି ଏ ସ୍ଥିତି ଉପୁଜି ନଥାନ୍ତା । ରାଜ୍ୟ ବଜେଟରେ ମାତ୍ର ୩ କୋଟିର ବ୍ୟୟ ବରାଦ କରୁଥିଲେ ରାଜ୍ୟ ସରକାର । ତାହାବି ୨୦୧୪-୧୫ରୁ ବନ୍ଦ କରିଦେଲେ । ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ହାତଙ୍କୁ ଅନେଇ ବସିଛନ୍ତି  । କେନ୍ଦ୍ର ସରକାର ମଧ୍ୟ ଅର୍ଥ ଦେଇଛନ୍ତି । କିନ୍ତୁ ରାଜ୍ୟ ସରକାର ଟେଣ୍ଡର ପ୍ରକ୍ରିୟାରେ ଭୁଲ ଯୋଗୁଁ କିଣା ଯାଇପାରୁନି ମଶାରୀ  ।  ରାଜ୍ୟ ସରକାର ଗଡେଇ ବାରେ ଲାଗିଛନ୍ତି ମଶାରୀ ବଣ୍ଟାର ତାରିଖକୁ । ୨୦୧୫-୧୬ , ୨୦୧୬-୧୭ ଆର୍ଥୀକ ବର୍ଷ ସରି ୨୦୧୭-୧୮ ଆର୍ଥୀକ ବର୍ଷ ଚାଲିଲାଣି ।
 
 
“ଦମନ” (ଦୁର୍ଗମ ଅଂଚଳରେ ମ୍ୟାଲେରିଆ ନିରାକରଣ ଅଭିଯାନ ) ନାମରେ ଆରମ୍ଭ କରାଯାଇଥିଲା ଆଉ ଏକ ଯୋଜନା  । ରାଜ୍ୟରେ ଦୁର୍ଗମ ଅଂଚଳରେ ମ୍ୟାଲେରିଆ ନିରାକରଣ ପାଇଁ ମିଶନ ଥିଲା ଏହି “ଦମନ”  ଯୋଜନାର  । ୨୦୧୫ ମସିହାରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଘୋଷଣା କରାଯାଇଥିଲା ଏକ ବ୍ଲୁ ପ୍ରିଣ୍ଟ ।  କିନ୍ତୁ ତାହା ଏବେ ଯାଏଁ କାର୍ଯ୍ୟକାରି ହୋଇପାରୁନାହିଁ  ।  ତାରିଖ ପରେ ତାରିଖ ଘୁଂଚିବାରେ ଲାଗିଛି । ଏପରିକି ୨୦୧୬ ମସିହାରେ ସେପ୍ଟେମ୍ବର ମାସରେ ସଚିବାଳୟରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା ବୈଠକରେ ନିଷ୍ପତ୍ତି  ନିଆଯାଇଥିଲା ଏହାକୁ ଡିସେମ୍ବର ମାସରେ ଆରମ୍ଭ କରିବାକୁ  । କିନ୍ତୁ ଆରମ୍ଭ ହୋଇପାରିଲାନାହିଁ  । ୨୦୧୭ ମସିହା ଫେବୃୟାରୀ ମାସ ୧୮ ତାରିଖରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଆଲୋଚନା ବେଳେ ମଧ୍ୟ ନିଷ୍ପତ୍ତି ନିଆଗଲା “ଦମନ”ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ  । ବାବୁ ମାନେ ପୁରା ବାଣି ମାରିକହିଥିଲେ ମାର୍ଚ୍ଚ ମାସରୁ “ଦମନ” ଆରମ୍ଭ ହେବ ଆଉ ଏପ୍ରିଲ ରୁ ଆରମ୍ବ ହେବ ଔଷଧିୟ ମଶାରୀ ବଣ୍ଟ। ।  ଖାଲି ସେତିକି ନୁୁହେଁ ରାଜ୍ୟରେ ୪ଟି ସ୍ଥାନରେ ମ୍ୟାଲେରିଆ ଚିହ୍ନଟ ପାଇଁ ଡିଜିଟାଲ ମାଇକ୍ରୋସ୍କୋପ ବସାଯିବାକୁ ବି ନିଆଗଲା ନିଷ୍ପତ୍ତି  ।  ମାଇକ୍ରୋସ୍କୋପ ତ ଦୁରର କଥା ରାଜ୍ୟରେ ଦୁର୍ଗମ ଅଂଚଳରେ କୁଇନାଇନ ବଟିକାଟିଏବି ଠିକ ଭାବରେ ପହଂଚିପାରୁନାହିଁ  ଆଶା କର୍ମୀଙ୍କ ପାଖରେ । ଏପ୍ରିଲ ସରି ମେ ଆରମ୍ଭ ହେବାକୁ ବସିଲାଣି ମଶାରୀ ବଣ୍ଟାବି ଆରମ୍ଭ ହୋଇପାରିନାହିଁ  । ଏମିତି ଯଦି ସରକାର ଚାଲେ ତାହେଲେ ଆଗାମୀ ଦିନରେ ମ୍ୟାଲେରିଆ କମିବା କଥା ଦିବା ସ୍ୱପ୍ନ ପାଲଟିବ  । 
  • Tags:

Subscribe

National International State Sports Entertainment