ଶିମିଳିପାଳ ଅଭୟାରଣ୍ୟ: ୬୪ ପରିବାର ବିତାଉଛନ୍ତି ଯାଯାବର ଜୀବନ
Khabar Odisha:

ଭୁବନେଶ୍ୱର,ଏପ୍ରିଲ ୧୭(ଖବର ଓଡ଼ିଶା): ବାଘ ହେଉଛି ଆମ ଦେଶର ଜାତୀୟ ପଶୁ । ବିଶ୍ୱରେ ଥିବା ସମୁଦାୟ ବାଘ ସଂଖ୍ୟାର ୭୦ ପ୍ରତିଶତ ଭାରତରେ ଦେଖାଯାଆନ୍ତି । ୨୦୦୬ ମସିହାରେ ଦେଶରେ ୧୪୧୧ଟି ବାଘ ଥିବାବେଳେ ୨୦୧୧ରେ ୧୭୦୬ ରୁ ୨୦୧୪ରେ ୨୨୨୬କୁ ପହଞ୍ଚିଛି । ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍ଟିସିଏ) ଦ୍ୱାରା ଦେଶରେ ୫୦ଟି ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ର ପରିଚାଳିତ ହେଉଛି । ସେଥିରୁ ଶିମିଳିପାଳ ହେଉଛି ଅନ୍ୟତମ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ । ସବୁଜ ସୁନ୍ଦର, ପ୍ରକୃତିର ମହାନ ଦାନ ତଥା ଓଡ଼ିଶା ପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟ ୧୯୮୦ ମସିହାରେ ପ୍ରତିଷ୍ଠା କରାଯାଇଥିଲା । ବନ୍ୟଜନ୍ତୁଙ୍କ ସୁରକ୍ଷା ଓ ବିକାଶ ପାଇଁ ଏକ ବିଶାଳ ଭୂଖଣ୍ଡରୁ ଗାଁ-ଗଣ୍ଡାକୁ ବିସ୍ଥାପନ କରାଗଲା । କିଛି ପରିବାରଙ୍କୁ ଥଇଥାନ କରାଗଲା ସତ କିନ୍ତୁ ଅଭୟାରଣ୍ୟର ପ୍ରତିଷ୍ଠା ହେବାର ୩୮ ବର୍ଷ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଯମୁନାଗଡ଼ ରାଜସ୍ୱ ଗ୍ରାମର ୬୪ଟି ପରିବାରଙ୍କୁ ଅବହେଳା କରାଯାଇଛି । ଏହି ପରିବାରଗୁଡ଼ିକ ଅଭୟାରଣ୍ୟର ଆଖ-ପାଖ ଗାଁଗୁଡ଼ିକରେ ଯାଯବର ଜୀବନ ବିତାଇବାକୁ ପଡୁଛି । ସରକାର ଥଇଥାନ ବ୍ୟବସ୍ଥା କରିପାରିଲେ ନାହିଁ । ବେସାହାରା ଲୋକଙ୍କର ପାଖରେ ନାହିଁ ପରିଚୟ ପତ୍ର । ଘର ଦ୍ୱାର ନ ଥିବା ଲୋକଙ୍କ ପାଖରେ ପହଞ୍ଚିପାରୁନି ସରକାରଙ୍କ ଖାଦ୍ୟ ସୁରକ୍ଷା ଆଇନ୍ । ୧୯୮୬ ମସିହାରୁ ବିସ୍ଥାପିତ କରାଯାଇଥିଲେ ମଧ୍ୟ ଶିକ୍ଷା, ସ୍ୱାସ୍ଥ୍ୟ ଠାରୁ ବହୁ ଦୂରରେ ଯମୁନାଗଡ଼ବାସୀ । ଆଜି ପର୍ଯ୍ୟନ୍ତ ବିସ୍ଥାପନ ଓ ଥଇଥାନ ନୀତି ଅନୁସାରେ କୌଣସି ସୁବିଧା ସୁଯୋଗ ମିଳିପାରି ନାହିଁ । ସମସ୍ୟାର ସମାଧାନ ଦାବିର ବାରମ୍ବାର ଆନ୍ଦୋଳନ ଓ ବିକ୍ଷୋଭର ମୁଣ୍ଡ ଟେକି  ଉଠି ଥିବା ବେଳେ ଜିଲ୍ଲା ପ୍ରଶାସନ ସହିତ ସରକାରଙ୍କ ଉପରେ ଏହାର କୌଣସି ପ୍ରଭାବ ପକାଇ ପାରି ନାହିଁ ।

 

ରାଜ୍ୟର ଏକମାତ୍ର ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ କେବଳ ବାଘ ଦେଖା ଯାଆନ୍ତି ତାହା ନୁହେଁ, ବରଂ ଏଠାର ଗୟଳ ଓ ଚଉସିଙ୍ଗା ବ୍ୟତିତ ୫୦୦ରୁ ଅଧିକ ବନ୍ୟ ଜନ୍ତୁ ଦେଖିବାକୁ ମିଳନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଏଠାରେ ପ୍ରାୟ ୧୦୦ଟି ମହାବଳ ବାଘ ରହିଛନ୍ତି । ଶିମିଳିପାଳ ଅଭୟାରଣ୍ୟ ହେଉଛି ଶିମିଳିପାଳ-ହଦଗଡ଼-କୁଲଡିହା ହାତୀ ସଂରକ୍ଷଣର ପ୍ରମୁଖ ଅଂଶ ବିଶେଷ । ପ୍ରାୟ ୮୪୫.୭୦ ବର୍ଗ କିଲୋମିଟର ଜମିରେ ବିସ୍ତୃତ ଏହି ଜାତୀୟ ଉଦ୍ୟାନ ପୀଠାବଟା ଠାରୁ ୨୨କିମି ଦୂର ହୋଇଥିବା ବେଳେ, ଯଶୀପୁର ଠାରୁ ୯୮କିମି । ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଶିମିଳିପାଳ ପର୍ଯ୍ୟଟକମାନଙ୍କ ପାଇଁ ଅକ୍ଟୋବର ୧ରୁ ଜୁନ୍ ୧୫ ପର୍ଯ୍ୟନ୍ତ ଖୋଲା ରହିଥାଏ । ଏକ ଆକର୍ଷଣୀୟ ପର୍ଯ୍ୟଟନ କେନ୍ଦ୍ର ରୂପ ଦେବାକୁ ଯାଇ ପ୍ରତିଷ୍ଠା କରାଯାଇଥିବା ଅଭୟାରଣ୍ୟ ଚିର ଅବହେଳିତ ଅବସ୍ଥାରେ ପଡ଼ିଛି । ଉତ୍ତରାଖଣ୍ଡର କାରବେଟ ନେସନାଲ ପାର୍କ, ରାଜସ୍ଥାନର ରନ୍ଥମ୍ବର, ପଶ୍ଚିମବଙ୍ଗର ସୁନ୍ଦରବନ, ମଧ୍ୟପ୍ରଦେଶର କାହ୍ନା ନେସନାଳ ପାର୍କ, ପେଞ୍ଚ ନେସନାଲ ପାର୍କ ଓ ସତପୁରା ନେସନାଲ ପାର୍କ, ମହାରାଷ୍ଟ୍ରର ତୋଡବା ନେସନାଲ ପାର୍କ ଓ ମହାରାଷ୍ଟ୍ରର ନାଗଜିରା ବନ୍ୟଜନ୍ତୁ ଅଭୟାରଣ୍ୟ, କର୍ଣ୍ଣାଟକର ନଗରହୋଲ ନେସନାଲ ପାର୍କ ଓ ବାନ୍ଦିପୁର ନେସନାଲ ପାର୍କ, କୋରଳର ପେରିୟାର ନେସନାଲ ପାର୍କକୁ ପର୍ଯ୍ୟଟକ ଆସୁଛନ୍ତି । ଏହି ୧୧ଟି ବ୍ୟାଘ୍ର ଅଭୟାରଣ୍ୟ ପର୍ଯ୍ୟଟନ ଶିଳ୍ପ ପାଲଟିଛି । ଲୋକଙ୍କୁ ରୋଜଗାର ମିଳିଛି । କିନ୍ତୁ ଦୁଃଖର କଥା ଯେ ଶିମିଳିପାଳର ବିକାଶ ହୋଇ ପାରିଲା ନାହିଁ । ପର୍ଯ୍ୟଟକ ଆସିବା ପାଇଁ ସରକାର ସୁବିଧା କରି ପାରୁନାହାନ୍ତି ।

 

ଯମୁନାଗଡ଼ର ମୂଳ ବାସୀନ୍ଦାମାନଙ୍କୁ ସେମାନଙ୍କର ଅଧିକାର ଓ ହକ୍ ଫେରାଇ ଦେବା ନିମନ୍ତେ ସମାଜସେବୀ ତଥା ଜିଲା ଲିଗାଲ ଏଡ଼ ସେଲର ରିଟେର୍ଣ୍ଣର ଆଇନଜୀବୀ ସୁଶୀଲ କୁମାର ପାତ୍ର ଗତ ୨୦୧୨ ମସିହାରେ ଲୋକପାଳର ଦ୍ୱାରସ୍ଥ ହୋଇଥିଲେ । ଲୋକପାଳରେ ୫୨/୨୦୧୨ରେ ମାମଲା ରୁଜୁ ହୋଇ ବିଚାର ପାଇଁ ଗ୍ରହଣ କରିବା ସହିତ ଜିଲ୍ଲାପାଳଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ନିଦେ୍ର୍ଦଶ ଦେଇଥିଲେ । ଏଥି ସହିତ ସ୍ଥାନୀୟ ତହସିଲଦାରଙ୍କୁ ମଧ୍ୟ ରିପୋର୍ଟ ଦେବାକୁ ତଲବ କରିଥିଲେ । ସମସ୍ତ ରିପୋର୍ଟକୁ ଭିତ୍ତି କରି ଲୋକପାଳ ଜିଲ୍ଲାପାଳଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ନିଦେ୍ର୍ଦଶ ଦେଇଥିଲେ । ଏହା ପରେ ୨୦୧୩ ମସିହା ନଭେମ୍ବର ୨୬ରେ ତହସିଲଦାର ଯଶିପୁରଙ୍କ ପତ୍ରସଂଖ୍ୟା ୨୫୨୧ ମାଧ୍ୟମରେ ଲୋକପାଳଠାରେ ଦାଖଲ କରାଯାଇଥିବା ରିପୋର୍ଟ ମୁତାବକ ଜମୁନାଗଡରୁ ମାଣଦା ଓ କପାଣ୍ଡରେ ବିସ୍ଥାପିତ କରାଯାଇଥିବା ୬୪ ଗ୍ରାମବାସୀ ବାସହରା ଥିବା ପରିପେକ୍ଷିରେ ସରକାରଙ୍କ ବିସ୍ଥାପନ ଓ ଥଇଥାନ ନିତୀରେ ଓ.ଜି.ଏଲ.ଏସ. ଧାରା ୧୯୬୨ ମୁତାବକ ସେମାନଙ୍କୁ ଘରଡିହ ଜମି ପ୍ରଦାନ କରିବାକୁ ୨୦/୦୧/୨୦୧୫ ତାରିଖ ମଙ୍ଗଳବାର ନିଦେ୍ର୍ଦଶ ଦେଇଥିଲେ ଜିଲ୍ଲାପାଳ ରାଜେଶ ପ୍ରଭାକର ପାଟିଲ ।

 

ଓଡ଼ିଶାରେ  ସ୍ୱଚ୍ଛ ନିର୍ମଳ ଶାସନର ଡ଼ିଣ୍ଡିମ ବଜାଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ମୟୂରଭଞ୍ଜ ଜିଲା ପ୍ରଶାସନ ଦ୍ୱାରା ଯମୁନାଗଡ଼ରୁ ବିତାଡ଼ିତ ହୋଇ ଥିବା ୬୪ ପରିବାରର କରୁଣ ଚିକ୍ରାର ଅପହଁଞ୍ଚ ହୋଇ ଥିବା ବେଳେ ମୟୂରଭଞ୍ଜ ଜିଲାପାଳ ରାଜେଶ ପ୍ରଭାକର ପାଟିଲ ଯମୁନାଗଡ଼ବାସୀଙ୍କ ଉପରେ ହେଉଥିବା ଅନ୍ୟାୟ ପ୍ରତି କିପରି ଆଖି ବନ୍ଦ କରି ବସି ରହିଛନ୍ତି ତାହାକୁ ନେଇ ଜନସାଧାରଣରେ ପ୍ରଶ୍ନ ଉଠିବା ଆରମ୍ଭ କରିଛି । ସେହିପରି ମୟୂରଭଞ୍ଜ ଜିଲା ପ୍ରଶାସନ ସହିତ ରାଜ୍ୟ ସରକାରଙ୍କ ଦ୍ୱାରା ଅନ୍ୟାୟ ଓ ଅତ୍ୟାଚାରର ଶିକାର ହୋଇ ଯାଯାବର ଜୀବନ ବିତାଉ ଥିବା ଯମୁନାଗଡ଼ ରାଜସ୍ୱ ଗ୍ରାମର ମୂଳବାସିନ୍ଦାଙ୍କ କରୁଣ କାହାଣୀ ବିରୋଧୀ ଦଳଙ୍କ ନିକଟରେ ପହଁଞ୍ଚି ପାରୁ ନାହିଁ କିପରି । ରାଜ୍ୟ ସରକାର ଓ ଜିଲା ପ୍ରଶାସନ ଭଳି ଜିଲାର ବିରୋଧୀ ଦଳ ଯଥା କଂଗ୍ରେସ, ଭାଜପା ଓ ଝାମୁମୋ କଣ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ଧ୍ରୁତରାଷ୍ଟ୍ର ସାଜି ବସିଛନ୍ତି ବୋଲି ପ୍ରଫୁଲ୍ଲ ପାତ୍ର ପ୍ରଶ୍ନ କରିଛନ୍ତି ।

ରାଜ୍ୟ ସରକାରଙ୍କ ଆଦେଶନାମା ୩୦୪୬୩/୦୩.୧୨.୧୯୭୯ ଅନୁସାରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ବିଭାଗ କ୍ଷେତ୍ର ନିଦେ୍ର୍ଦଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ସର୍ଭେ କରାଯାଇ ୯ ଗୋଟି ରାଜସ୍ୱ ଗ୍ରାମରେ ବସବାସ କରୁଥିବା ୧୬୪ ପରିବାରଙ୍କୁ ବିସ୍ଥାପନ ଓ ଥଇଥାନ କରାଯିବାର ନିଷ୍ପତ୍ତି ନିଆ ଯିବା ପରେ ଆରମ୍ଭ ହୋଇଥିଲା ବିସ୍ଥାପନ । କିନ୍ତୁ ରାଜ୍ୟ ସରକାରଙ୍କର ବିସ୍ଥାପନ ଓ ଥଇଥାନ ନୀତି ଜମୁନାଗଡ଼ ରଜସ୍ୱ ଗ୍ରାମରେ ବସବାସ କରୁଥିବା ୬୪ ପରିବାରଙ୍କୁ ବାସଚୁ୍ୟତ କରାଇ ଦେଲା ସତ କିନ୍ତୁ ଏମାନଙ୍କୁ ମିଳିପାରିଲା ନାହିଁ ।

 

ଯମୁନାଗଡ଼ର  ୩୫ ଜଣ ଅଧିବାସୀଙ୍କୁ ୧୦ ଡସିମିଲ ଲେଖାଏଁ ଜମି ଦେଇ ଥଇଥାନ କରାଯାଇଥିବା ବିଷୟ ପ୍ରଶାସନ ପକ୍ଷରୁ ଗଣମାଧ୍ୟମରେ ପ୍ରଚାରିତ କରାଗଲା । ବନ ବିଭାଗ ପକ୍ଷରୁ ବୈଦ୍ୟୁତିକ  ଗଣମାଧ୍ୟମରେ ନିଜର ଛବି ଦେଖାଇବା ନିମନ୍ତେ କେତେକ ହାତଗଣତି ପ୍ରତିନିଧିମାନଙ୍କୁ ଗାଡ଼ିରେ ଟଙ୍କା ଖର୍ଚ୍ଚ କରି ଉଦଳାର ବାହୁବନ୍ଧ ନେଇ ଯାଇ ଥିବା ବିଷୟ ସେହି ସମୟରେ ଚର୍ଚ୍ଚା ପରିସରକୁ ଆସିଥିଲା । ପରବର୍ତ୍ତି ସମୟରେ ପ୍ରତ୍ୟେକ ପରିବାରକୁ ୧୦ ଲକ୍ଷ ଲେଖାଏଁ ଟଙ୍କା ଚେକ ମାଧ୍ୟମରେ ଯୋଗାଇ ଦିଆ ଗଲା । ଏଠାରେ ପ୍ରଶ୍ନ ଉଠିଛି, ଯମୁନାଗଡ଼ର ମୂଳ ବାସିନ୍ଦାମାନଙ୍କର ସମ୍ପତ୍ତିବାଡ଼ିକୁ ପ୍ରଶାସନ ନିଜ ଦଖଲକୁ ନେଇ ସେମାନଙ୍କୁ ଯାଯାବର କରି ଦେଇ ଥିବା ସମୟରେ ଗତ ୦୯/୦୯/୨୦୧୫ ତାରିଖରେ ଆଂଚଳିକ ବନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗଣମାଧ୍ୟମକୁ ଦିଆ ଯାଇ ଥିବା ସୂଚନା ଅନୁସାରେ ଯମୁନାଗଡ଼ରେ ବସବାସ କରୁଥିବା ମୋଟ ୩୮ ପରିବାର ମଧ୍ୟରୁ ୩୫ ପରିବାରକୁ ଉଦଳାରେ ଥଇଥାନ କରା ଯିବା ସୂଚନା ଦିଆଗଲା । ଥଇଥାନ କରା ଯାଇ ଥିବା ଏହି ୩୫ ପରିବାର ଆସିଲେ କେଉଁଠାରୁା ସେମାନେ କିଏ ଓ ସେମାନଙ୍କର ପରିଚୟ କଣ? ପୁଣି ସେମାନେ ଯମୁନାଗଡ଼ର ଅଧିବାସୀ ହିସାବରେ ସରକାରୀ ସ୍ୱୀକୃତି ହାସଲ କଲେ କିପରି? ଜମିବାଡ଼ି ହରାଇଥିବା ଯମୁନାଗଡ଼ର ମୂଳବାସିନ୍ଦାମାନେ ଫଟା କଉଡ଼ିଟିଏ ପାଇ ପାରି ନ ଥିବା ବେଳେ ଘୁସବଇଠିମାନଙ୍କୁ ଘର ଡ଼ିହ ସହିତ ଲକ୍ଷ ଲକ୍ଷ ଟଙ୍କା ଯୋଗାଇ ଦେବା ପଛରେ ବନ ବିଭାଗ ତଥା ଜିଲା ପ୍ରଶାସନ କଣ ଉଦେ୍ଦଶ୍ୟ ରହିଛି?

ଯମୁନାଗଡ଼ ରାଜସ୍ୱ ଗ୍ରାମ ଆଜିର ନୁହେଁ । ମୟୂରଭଞ୍ଜ ମହାରାଜାଙ୍କ ସମୟରୁ ଏହି ଗ୍ରାମ ମୁଣ୍ଡ ଟେକି ଉଠି ଥିଲା ।  ସରକାରଙ୍କ ବନେ୍ଦାବସ୍ତ ପଟ୍ଟା ଆମ ନିକଟରେ ରହି ଥିଲା । ସରକାର ରକ୍ଷକ ସାଜି ଭକ୍ଷକ ପାଲଟି ଆମ ନିକଟରୁ ସବୁ କିଛି ଛଡ଼ାଇ ନେଇ ଯାଯାବର କରାଇ ଦେଇଛି । ଆମ୍ଭେମାନେ ଗତ ୦୧/୧୨/୨୦୧୫ ତାରିଖରେ ଆମ ପ୍ରତି ହୋଇ ଥିବା ଅନ୍ୟାୟ ଓ ଅତ୍ୟାଚାରର ପ୍ରତିବାଦରେ ଜିଲାପାଳ ଓ ଡ଼ିଡ଼ି ଏସଟିଆରଙ୍କୁ ସାକ୍ଷାତ କରିବାକୁ ଯାଇ ଥିଲୁ; ମାତ୍ର ଦେଖା ହୋଇ ନ ପାରିବାରୁ ଏକ ଦାବି ପତ୍ର କାର୍ଯ୍ୟାଳୟରେ ଦେଇ ଆସି ଥିଲୁ । ଆମର ଏହି ଅସହାୟ ପରିସ୍ଥିତି ସମୟରେ ଆମ ପଛରେ କେହି ନାହାନ୍ତି ବୋଲି ପ୍ରଫୁଲ୍ଲ ପାତ୍ର ପ୍ରଶ୍ନ ଉଠାଇଥିବା ବେଳେ ଆଇନଜୀବୀ ତଥା ଜିଲା ଆଇନ ସେବା ପ୍ରାଧିକରଣର ରିଟେର୍ଣ୍ଣର ସୁଶୀଲ କୁମାର ପାତ୍ର ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟକଳାପରେ ସ୍ୱଚ୍ଛତା ଉପରେ ସନେ୍ଦହ ଆଣି ଏହାର ଉଚ୍ଚସ୍ତରୀୟ ବା ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି । ଏଥି ସହିତ ପ୍ରଶାସନିକ ଅନ୍ୟାୟ ଅତ୍ୟାଚାରର ଶିକାର ହୋଇ ଆସିଥିବା ଏହି ଯମୁନାଗଡ଼ବାସୀମାନଙ୍କୁ ସେମାନଙ୍କର ହକ୍ ଓ ନ୍ୟାୟ ପାଇ ପାରିବା ପର୍ଯ୍ୟନ୍ତ ତାଙ୍କର ସଂଗ୍ରାମ ଜାରି ରହିବ ବୋଲି ଆଇନଜୀବୀ ତଥା ଜିଲା ଆଇନ ସେବା ପ୍ରାଧିକରଣର ରିଟେର୍ଣ୍ଣର ଶ୍ରୀପାତ୍ର କହିଛନ୍ତି । ସରକାର ଯମୁନାଗଡ଼ରେ କିଛି ପରିବାରଙ୍କୁ ଜମି ଦେଇ ଥଇଥାନ କରାଇ ଥିଲେ ଓ ପରବର୍ତ୍ତି ସମୟରେ ତାହା ରଦ୍ଧ କରି ନିଜ ଦଖଲକୁ ନେଇ ଗଲେ ।

 

  • Tags:

Subscribe

National International State Sports Entertainment