ଭୁବନେଶ୍ୱର: ବିଜେଡ଼ି ଏବଂ କଂଗ୍ରେସକୁ ଏବେ କ୍ରସ୍ ଭୋଟିଂ ଭୟ ଘାରିଛି । ସେଥିପାଇଁ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ବିଜେପିରେ ଯୋଗ ଦେବା ପରେ ପତ୍ନୀ ତଥା ବିଜେଡ଼ି ବିଧାୟିକା ସୁବାସିନୀ ଜେନାଙ୍କ ଭୋଟକୁ ନେଇ ଦ୍ୱନ୍ଦ୍ୱ ବଢ଼ିଛି । ସୁବାସିନୀ ସ୍ୱାମୀଙ୍କ କଥାରେ ମତ ବଦଳାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏହାରି ମଧ୍ୟରେ ସୁବାସିନୀଙ୍କ ବଡ଼ ବୟାନ ଆସିଛି । ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶକୁ ପାଳନ କରିବେ ବୋଲି ସେ କହିଛନ୍ତି ।
ସୁବାସିନୀ କହିଛନ୍ତି ଯେ ସେ ବିଜୁ ଜନତା ଦଳରେ ରହିଛନ୍ତି । ଦଳର ସର୍ବୋଚ୍ଚ ନେତା ନବୀନ ବାବୁ ଯାହା ନିର୍ଦ୍ଦେଶ ଦେବେ ସେ ଜଣେ ଶୃଙ୍ଖଳିତ କର୍ମୀ ଭାବେ ସେହି ହିସାବରେ କାମ କରିବେ । ରାଜ୍ୟସଭା ନିର୍ବାଚନରେ ବାଲାଟ୍ ପେପର୍ ଏଜେଣ୍ଟଙ୍କୁ ଦେଖାଇ ଭୋଟ୍ ଦିଆଯିବ । ସେତେବେଳେ ସମସ୍ତ ଜାଣିବେ ମୁଁ କାହାକୁ ଦେବି । ଗଣତନ୍ତ୍ରର କିଛି ବିଧି ବ୍ୟବସ୍ଥା ରହିଛି, ତେଣୁ କାହାକୁ ଭୋଟ୍ ଦେବେ ସେକଥା କହିବେ ନାହିଁ । ଦଳର ଶୃଙ୍ଖଳାରେ ସେ ବାନ୍ଧି ହୋଇ ରହିଛନ୍ତି । ଦଳର ଜଣେ ଶୃଙ୍ଖଳିତ କର୍ମୀଭାବେ ଯାହା ନିର୍ଦ୍ଦେଶ ଦିଆଯିବ ତାହାକୁ ଅକ୍ଷରେ ଅକ୍ଷରେ ପାଳନ କରିବେ ବୋଲି କହିଛନ୍ତି ।
ପ୍ରକାଶ ଯୋଗ୍ୟ, ଗତ ମଙ୍ଗଳବାର ଦିନ ରବୀନ୍ଦ୍ର ଜେନା ବିଜେଡ଼ିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ ଗତକାଲି ଶତାଧିକ କର୍ମୀଙ୍କ ସହିତ ଆସି ଭୁବନେଶ୍ୱରରେ ବିଜେପିରେ ଯୋଗ ଦେଇଥିଲେ ।