କେନ୍ଦୁଝର: କେନ୍ଦୁଝର ଘସିପୁରା ତହସିଲଦାର ଅଭୟ କୁମାର ସ୍ୱାଇଁଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି । ସାଧାରଣ ଜନତାଙ୍କୁ ଦୁର୍ବ୍ୟବହାର କରିବା ତହସିଲଦାରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଏଥିପାଇଁ ରାଜସ୍ୱ ବିଭାଗ ପକ୍ଷରୁ ସମ୍ପୃକ୍ତ ତହସିଲଦାରଙ୍କୁ ଜବାବ ତଲବ କରାଯାଇଛି ।
ତହସିଲଦାର ଅଭୟ କୁମାର ସ୍ୱାଇଁ ଲୋକଙ୍କୁ ବାହାରେ ଚପଲ ରଖି ତହସିଲଦାରଙ୍କ ଚାମ୍ବରକୁ ନ ଆସିବାକୁ ନୋଟିସ୍ ଲଗାଇଥିଲେ । ଏହା ସହିତ ଲୋକଙ୍କୁ ବସିବାକୁ ଚୌକି ଦେଉନଥିଲେ ଏବଂ ଖରାପ ବ୍ୟବହାର ମଧ୍ୟ ପ୍ରଦର୍ଶନ କରିଥିଲେ । ଯାହା ଫଳରେ ସାଧାରଣ ଗରିବ ଲୋକ ଏବଂ ଦିବ୍ୟାଙ୍ଗ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ଜମି ମାଫିଆ, ଖଣି ମାଫିଆ ଏବଂ ବାଲି ମାଫିଆଙ୍କ ଭଳି ବଡ଼ ବଡ଼ିଆ ଲୋକଙ୍କୁ ଚୌକି ଦିଆଯାଉଛି ବୋଲି ଅଭିଯୋଗ ହୋଇଥିଲା ।
କିନ୍ତୁ ତହସିଲଦାର ଅଭୟ ସ୍ୱାଇଁ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ । ତହସିଲ କାର୍ଯ୍ୟାଳୟରେ ଠାକୁର ଥିବାରୁ ଯୋତା ଚପଲ ବାରଣ କରାଯାଇଛି ବୋଲି ସେ ସଫେଇ ଦେଇଥିଲେ । ଗଣମାଧ୍ୟମରେ ଏ ସମ୍ପର୍କିତ ଖବର ପ୍ରକାଶ ପାଇବାପରେ ରାଜସ୍ଵ ବିଭାଗର ଆକ୍ସନ୍ସ ମୁଡକୁ ଆସିଛନ୍ତି । ୧୫ ଦିନ ଭିତରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।