ଭୁବନେଶ୍ୱର: ଆସନ୍ତା ମହାପ୍ରଭୁଙ୍କ ସ୍ନାନ ଯାତ୍ରା ପୂର୍ବରୁ ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ଶେଷ ହେବ । ରତ୍ନଭଣ୍ଡାରକୁ ନେଇ ଯେଉଁମାନେ ସାମାଜିକ ଗଣମାଧ୍ୟମରେ ବାକ ବିତଣ୍ଡା କରୁଛନ୍ତି ସେମାନଙ୍କୁ ଜଗନ୍ନାଥ ଦଣ୍ଡ ଦେବେ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ଆଜିଠାରୁ ଆରମ୍ଭ ହୋଇଥିବା ଗଣତି ୪ ଦିନ ଧରି ଚଳିବ। ୧୩ ତାରିଖରୁ ଆଉ ଏକ ପର୍ଯ୍ୟାୟ ଆରମ୍ଭ ହେବ। ଚଳିତ ମାସରେ ପ୍ରାୟ ୧୦ ରୁ ୧୨ ଦିନ ଧରି ଗଣତି ପ୍ରକ୍ରିୟା ଚାଲିବ । ମହାପ୍ରଭୁଙ୍କ ସ୍ନାନ ଯାତ୍ରା ସୁଦ୍ଧା ଏହି ପ୍ରକ୍ରିୟାକୁ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ମେସିନ ଯୋଗୁଁ ଗଣତି ପ୍ରକ୍ରିୟା ଶୀଘ୍ର ହେଉଛି । ତେଣୁ ମହାପ୍ରଭୁ ଚାହିଁଲେ ଜଲଦି ସରିବ ବୋଲି ଆଇନ ମନ୍ତ୍ରୀ ଆଶା ରଖିଛନ୍ତି ।
ରତ୍ନ ଭଣ୍ଡାରକୁ ନେଇ ସାମାଜିକ ଗଣମାଧ୍ୟମରେ ଚାଲିଥିବା ଆଲୋଚନାକୁ ନେଇ ବର୍ଷିଛନ୍ତି ଆଇନ ମନ୍ତ୍ରୀ। ସୋସିଆଲ ମିଡ଼ିଆରେ ବାକ ବିତଣ୍ଡା ବନ୍ଦ ହେଉ । କିନ୍ତୁ ଲୋକମାନେ କେମିତି ଜାଣିବେ, ଏଭଳି କଥା ବନ୍ଦ ହେବା ଦରକାର । ଜାତିର ଭଗବାନ ଜଗନ୍ନାଥଙ୍କ ଉପର ସୋସିଆଲ ମିଡ଼ିଆରେ ମନ୍ତବ୍ୟ ଦେବାକୁ ଜଗନ୍ନାଥ ଦ୍ରୋହ କହିଲେ ଅତ୍ୟୁକ୍ତି ହେବ ନାହିଁ । ମହାପ୍ରଭୁଙ୍କ ରୀତିନୀତିକୁ ନେଇ ବାହାରେ ଅପପ୍ରଚାର କରିବା, ସେମାନଙ୍କୁ ଜଗନ୍ନାଥ ଦଣ୍ଡ ଦେବେ।
ପୂର୍ବରୁ ୧୯୭୮ ରେ ହୋଇଥିବା ଗଣତି ସହ ତାଳ ମେଳ କରିବା ସହ ଡିଜିଟାଲ ଫଟୋ ଗ୍ରାଫି କରାଯିବ। ଲମ୍ବା ସମୟ ପାଇଁ କିପରି ଏହାକୁ ସୁରକ୍ଷିତ ରଖା ଯିବ ସେ ନେଇ ବ୍ୟବସ୍ଥା କରାଯିବ । ସ୍ନାନ ଯାତ୍ରା ପୂର୍ବରୁ ଏହା ସରିଲେ ଏକ ବଡ଼ ଦାୟିତ୍ୱ ଶେଷ ହେବ ।