ବରଗଡ଼: ବରଗଡ଼ ଜିଲ୍ଲା କମ୍ୟୁନିଟି ହେଲ୍ଥ ସେଣ୍ଟର (ସିଏଚ୍ସି) ପରିସରରେ ଥିବା ନିରାମୟ ଔଷଧ କେନ୍ଦ୍ରକୁ ନେଇ ସାମ୍ନାକୁ ଆସିଛି ଏକ ସଙ୍ଗୀନ ଅଭିଯୋଗ। ୧୫ ବର୍ଷର ଜଣେ ନାବାଳକଙ୍କୁ ମିଆଦ ସରିଯାଇଥିବା (ଏକ୍ସପାୟାରି) ଆଣ୍ଟିବାୟୋଟିକ୍ ଔଷଧ ଦିଆଯାଇଥିବା ଅଭିଯୋଗ ହୋଇଛି।
ଅଭିଯୋଗ ଅନୁଯାୟୀ, ନିଳିବନ୍ଧ ପଡ଼ାର ଛୋବନ ସାହୁଙ୍କ ପୁଅ ମୁକେଶ ସାହୁଙ୍କ ଆଙ୍ଗୁଠିରେ କଟା ଲାଗିଥିଲା। ଡାକ୍ତର ପରୀକ୍ଷା କରି ସେଫପୋଡୋକ୍ସିମ୍ ପ୍ରକ୍ସେଟିଲ୍ (Cefpodoxime Proxetil) ଆଣ୍ଟିବାୟୋଟିକ୍ ଲେଖି ନିରାମୟ କେନ୍ଦ୍ରରୁ ଔଷଧ ନେବାକୁ ପରାମର୍ଶ ଦେଇଥିଲେ।
ପରିବାରର ଅଭିଯୋଗ ଅନୁସାରେ, ନିରାମୟ କେନ୍ଦ୍ରରୁ ମିଳିଥିବା ଔଷଧର ଏକ୍ସପାୟାରି ମେ ୨୦୨୬ରେ ସରିଯାଇଥିଲା। ଔଷଧ ଖାଇବା ପରେ ମୁକେଶଙ୍କୁ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା। ପରେ ଔଷଧ ଷ୍ଟ୍ରିପ୍ ଯାଞ୍ଚ କରିବା ବେଳେ ଏହାର ଏକ୍ସପାୟାରି ତାରିଖ ସରିଥିବା ଜଣାପଡ଼ିଥିଲା।
ଏହି ଘଟଣା ପରେ ନିରାମୟ ଯୋଜନା ଅଧୀନରେ ବଣ୍ଟନ ହେଉଥିବା ଔଷଧର ଗୁଣବତ୍ତା ଓ ନିୟମିତ ଯାଞ୍ଚକୁ ନେଇ ପ୍ରଶ୍ନ ଉଠିଛି।ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ମୁକେଶଙ୍କ ପରିବାର ଦାବି କରିଛନ୍ତି।