Home >
ହାଇଦ୍ରାବାଦ ମାମଲାରୁ ଶିକ୍ଷା ନେଲା ବେଙ୍ଗାଲୁରୁ ପୋଲିସ, କମିଶନରଙ୍କ ଆଦେଶ ୭ ସେକେଣ୍ଡରେ ଆଲର୍ଟ ହୁଅନ୍ତୁ
Khabar Odisha:national-odisha-bengaluru-police-commissioner-asks-policemen-to-reply-to-calls-in-7-seconds
ବେଙ୍ଗାଲୁରୁ, ଡିସେମ୍ବର୦୩(ଖବର ଓଡ଼ିଶା):

ହାଇଦ୍ରାବାଦ ଡାକ୍ତରାଣୀ ବଳାତ୍କାର ଓ ହତ୍ୟା ମାମଲାରୁ ଉଚିତ୍ ଶିକ୍ଷା ନେଇ ବେଙ୍ଗାଲୁରୁ ପୋଲିସ କମିଶନର ଭାସ୍କର ରାଓ ପୋଲିସ ବଳକୁ କିଛି ବିଶେଷ ନିର୍ଦ୍ଦେଶ ଦେଇଛନ୍ତି। ସେ ପୋଲିସ କର୍ମୀଙ୍କୁ ଆଦେଶ ଦେଇଛନ୍ତି ଯେ, ସାହାଯ୍ୟ ପାଇଁ ଆସୁଥିବା ପ୍ରତ୍ୟେକ ଫୋନ କଲକୁ ବମର ଧମକ ଦେଉଥିବା କଲ ପରି ଗମ୍ଭୀରତାର ସହ ନିଅନ୍ତୁ। ହାଇଦ୍ରାବାଦ ବଳାତ୍କାର ଓ ହତ୍ୟା ମାମଲା ପରେ ଭାସ୍କର ମହିଳାଙ୍କୁ ଅପିଲ କରିଛନ୍ତି ଯେ, ସେମାନେ ଯେ କୌଣସି ଅସୁବିଧା ସମୟରେ ପୋଲିସକୁ ବିନା ସଙ୍କୋଚରେ ଫୋନ କରି ପାରିବେ।

ରାଓ ଓ୍ଵାୟରଲେସ୍ ଜରିଆରେ ବେଙ୍ଗାଲୁରୁର ସମସ୍ତ ପୋଲିସକର୍ମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ସେ ଯେ କୌଣସି କଲ୍ ହୋଇଥାଉ ନା କାହିଁକି, ସାତ ସେକେଣ୍ଡ ମଧ୍ୟରେ  ଫୋନ କଲର ଉତ୍ତର ଦିଅନ୍ତୁ। କୌଣସି ବି କଲକୁ ସାମାନ୍ୟ ଭାବି ଅଣଦେଖା କରନ୍ତୁ ନାହିଁ।  ପ୍ରତ୍ୟେକ କଲକୁ ପ୍ରାଥମିକତା ଆଧାରରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ।

ସେ ପୋଲିସକର୍ମୀଙ୍କୁ ଏହି ଉପଦେଶ ମଧ୍ୟ ଦେଇଛନ୍ତି ଯେ, କୌଣସି ବି ବ୍ୟକ୍ତିଙ୍କୁ ମାମଲା ଆମ ଇଲାକାରେ ଆସୁନଥିବା କହି ପାରିବେ ନାହିଁ। ସୁପ୍ରିମକୋର୍ଟ ଏହାକୁ ନେଇ ମଧ୍ୟ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ କୌଣସି ବି ବ୍ୟକ୍ତିଙ୍କୁ ଏହା କହି ଫେରାଇ ଦିଅନ୍ତୁ ନାହିଁ  ଯେ ଏହା ଆମ ଇଲାକାର ମାମଲା ନୁହଁ। ପ୍ରଥମେ କାର୍ଯ୍ୟାନୁଷ୍ଠାନ ନିଅ ଏବଂ ପରେ କେସକୁ ଉକ୍ତ ଅଞ୍ଚଳର ଥାନାକୁ ସ୍ଥାନାନ୍ତ କର। 

ଉଲ୍ଲେଖଯୋଗ୍ୟ, ହାଇଦ୍ରାବାଦରେ ମହିଳା ପ୍ରାଣୀ ଚିକିତ୍ସକଙ୍କ ସହ ବଳାତ୍କାର ଓ ହତ୍ୟା ମାମଲା ପୂରା ଦେଶକୁ ସ୍ତବ୍ଧ କରି ଦେଇଛି। ମୃତକ ଡାକ୍ତରଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ, ପୋଲିସ ସଠିକ୍ ସମୟରେ କାର୍ଯ୍ୟାଷ୍ଠାନ ନେଇ ନାହିଁ। ଉକ୍ତ କେସ୍ ତାଙ୍କ ଥାନା ଅନ୍ତର୍ଗତରେ ଆସୁନଥିବା କହି ଫେରାଇ ଦେଇଥିଲେ ଏବଂ ଅନ୍ୟ ଥାନାକୁ ଯିବାକୁ କହିଥିଲେ। ଏହି ପରି ଧାଁ-ଦୌଡ଼ ଚକ୍କରରେ ପୀଡ଼ିତାଙ୍କ ବଞ୍ଚାଯାଇ ପାରିନଥିଲା।

Subscribe

National International State Sports Entertainment