ରାୟପୁର: ଛତିଶଗଡ଼ରେ ସୁରକ୍ଷାବାହିନୀକୁ ଏକ ବଡ଼ ସଫଳତା ମିଳିଛି । ନିରନ୍ତର ମାଓ ବିରୋଧୀ ଅଭିଯାନରେ ଦୁର୍ବଳ ହେଉଛି ଲାଲ୍ ସଂଗଠନ । ଏକ କୋଟିର ପୁରସ୍କାର ରାଶି ଘୋଷଣା ହୋଇଥିବା କୁଖ୍ୟାତ ମାଓ ନେତ୍ରୀ ଆତ୍ମ ସମର୍ପଣ କରିଛି । ତେଲଙ୍ଗାନାରେ ମାଓ ନେତ୍ରୀ ସୁଜାତା ଶେଷରେ ଅସ୍ତ୍ର ଛାଡ଼ିଛି ।
ପୋଲିସ ସୂତ୍ର ଅନୁଯାୟୀ, ସୁଜାତା ବହୁ ବର୍ଷ ଧରି ଛତିଶଗଡ଼ର ଦକ୍ଷିଣ ବସ୍ତରରେ ସକ୍ରିୟ ଥିଲା । ମାଓବାଦୀ ଦକ୍ଷିଣାଞ୍ଚଳ ଜୋନକୁ ସେ ସମ୍ଭାଳୁଥିଲା । ଅନେକ ବଡ଼ ବଡ଼ ଆକ୍ରମଣର ଷଡଯନ୍ତ୍ରରେ ସାମିଲ ଥିଲା । ସୁଜାତା ମୁଣ୍ଡ ଉପରେ ଏକ କୋଟି ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା । ସୁଜାତା ତେଲେଙ୍ଗାନାରେ ଆତ୍ମସମର୍ପଣ କରିଛି । ତାର ଆତ୍ମସମର୍ପଣ ମାଓ ସଂଗଠନକୁ ଏକ ଶକ୍ତ ଧକ୍କା ଦେଇଛି । ସୁଜାତା କିଛି ବର୍ଷ ପୂର୍ବେ ପଶ୍ଚିମବଙ୍ଗରେ ଏକ ଏନକାଉଣ୍ଟରରେ ନିହତ ହୋଇଥିବା କୁଖ୍ୟାତ ନକ୍ସଲ କମାଣ୍ଡର କିଶାନଜୀର ପତ୍ନୀ । ଆତ୍ମସମର୍ପଣ କରିଥିବା ସୁଜାତା ନିଜେ ଜଣେ ସିସି ସଦସ୍ୟ ଏବଂ ତା ଉପରେ ଅନେକ ରାଜ୍ୟରେ ଲକ୍ଷ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି ।
ସୁଜାତାର ଆତ୍ମସମର୍ପଣକୁ ଏକ ବଡ଼ ସଫଳତା ଭାବରେ ଦେଖାଯାଉଛି। ଦୁଇ ଦିନ ପୂର୍ବରୁ ଛତିଶଗଡ଼ର ଗାରିଆବନ୍ଦ ଜିଲ୍ଲାରେ ପୋଲିସ ଏନକାଉଣ୍ଟରରେ ୧୦ ଜଣ ନକ୍ସଲ ନିହତ ହୋଇଥିଲେ, ଯେଉଁଥିରେ ନକ୍ସଲ ସିସି ସଦସ୍ୟ ମନୋଜ ଓରଫ ବାଲକୃଷ୍ଣ ଥିଲା । ଯାହାର ମୁଣ୍ଡରେ ୧ କୋଟି ଟଙ୍କା ପୁରସ୍କାର ଥିଲା। ଗାରିଆବନ୍ଦରେ ନିହତ ସମସ୍ତ ୧୦ ନକ୍ସଲଙ୍କ ପାଇଁ ୨.୪୦ କୋଟି ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା । ଗୋଟିଏ ଦିନ ପୂର୍ବରୁ ସୁରକ୍ଷାବାହିନୀ ବିଜାପୁର ଜିଲ୍ଲାରେ ଦୁଇ ଜଣ ନକ୍ସଲଙ୍କୁ ହତ୍ୟା କରିଥିଲେ । ସେମାନେ ହେଲେ ହିଡମା ପୋଡିୟମ ଏବଂ ମୁନ୍ନା ମାଡକାମ । ଉଭୟଙ୍କ ପାଇଁ ୮ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା । ଏନକାଉଣ୍ଟର ସ୍ଥଳରୁ ନିଷିଦ୍ଧ ନକ୍ସଲ ସଂଗଠନର ଏକ ୩୦୩ ରାଇଫଲ୍, ଗୋଟିଏ ୧୨ ବୋର ବନ୍ଧୁକ, ବିସ୍ଫୋରକ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।