ନୂଆଦିଲ୍ଲୀ: ଅଭିନେତ୍ରୀ ତ୍ରିଷାଙ୍କ ବିରୋଧରେ ଦ୍ୱିଅର୍ଥ ବୋଧକ ମନ୍ତବ୍ୟ ମାମଲାରେ ତାମିଲନାଡୁ ବିରୋଧି ଦଳ ନେତା ଉଦୟନିଧି ଷ୍ଟାଲିନଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି । ଷ୍ଟାଲିନଙ୍କୁ ମୁକ୍ତ କରିବାକୁ ମାଡ୍ରାସ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପଚରାଉଚରା ପରେ ଷ୍ଟାଲିନଙ୍କୁ ଆଜି ଥାନାରୁ ଜାମିନରେ ମୁକ୍ତ କରାଯିବ। ତାମିଲନାଡୁ ସରକାର ହାଇକୋର୍ଟଙ୍କୁ ଅବଗତ କରାଇଥିଲେ ଯେ ଷ୍ଟାଲିନଙ୍କୁ ରିମାଣ୍ଡ ନେବାର କୌଣସି ଉଦ୍ଦେଶ୍ୟ ନାହିଁ । କେବଳ ପଚରାଉଚରା ପରେ ତାଙ୍କୁ ମୁକ୍ତ କରାଯିବ ।
ଅଭିନେତ୍ରୀ ତ୍ରିଷାଙ୍କ ବିରୋଧରେ ଦିଆଯାଇଥିବା ଦ୍ୱିପାକ୍ଷିକ ମନ୍ତବ୍ୟ ସମ୍ପର୍କରେ ଭାରତୀୟ ନ୍ୟାୟ ସଂହିତା (BNS), ସୂଚନା ପ୍ରଯୁକ୍ତିବିଦ୍ୟା ଆଇନ ଏବଂ ତାମିଲନାଡୁ ମହିଳା ନିର୍ଯାତନା ନିଷେଧ ଆଇନର ବିଭିନ୍ନ ଧାରା ଅନୁଯାୟୀ ଉଦୟନିଧି ଷ୍ଟାଲିନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଟିଭିକେ ମହିଳା ଶାଖା ଉଦୟନିଧି ଷ୍ଟାଲିନଙ୍କ ବିରୋଧରେ ତାଞ୍ଜାଭୁର ପୂର୍ବ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲା । ଯାହା ଆଧାରରେ ପୋଲିସ ଆଜି ତାଙ୍କୁ ଚେନ୍ନାଇସ୍ଥିତ ତାଙ୍କ ବାସଭବନରୁ ଗିରଫ କରିଛି ।
ଗତକାଲି କାବେରୀ ଜଳ ବିବାଦକୁ ନେଇ ମୁଖ୍ୟମନ୍ତ୍ରୀ ବିଜୟ ଥଲାପଥୀଙ୍କୁ ଟାର୍ଗେଟ କରିବା ସମୟରେ ଉଦୟନିଧି ଷ୍ଟାଲିନ ଅଭିନେତ୍ରୀ ତ୍ରିଶାଙ୍କ ବିଷୟରେ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଶୋଭାଯାତ୍ରା ସମୟରେ ଭିଡ଼ର ଜଣେ ସଦସ୍ୟ "ତ୍ରିଷା, ତ୍ରିଷା" ସ୍ଲୋଗାନ ଦେବାରୁ ବିବାଦ ଆରମ୍ଭ ହୋଇଥିଲା। ଉଦୟନିଧି ତାଙ୍କ ଭାଷଣ ବନ୍ଦ କରି ହସିଥିଲେ ଏବଂ ତ୍ରିଷାଙ୍କୁ ନେଇ ଅଶ୍ଳୀଳ ମନ୍ତବ୍ୟ ଦେଇଥିଲେ । ଷ୍ଟାଲିନ୍ କହିଥିଲେ, “ପାଣି କେଉଁଠି ପହଞ୍ଚୁ କି ନ ପହଞ୍ଚୁ ଇଏ କିନ୍ତୁ ସବୁଆଡ଼େ ପହଁଚି ଯାଉଛି”। ତାଙ୍କର ଏହି ଉକ୍ତିରୁ ରାଜନୈତିକ ମହଲରେ ତୀବ୍ର ସମାଲୋଚନା ଆରମ୍ଭ ହୋଇଥିଲା । ଏହା ତ୍ରିଷାଙ୍କୁ ଇଙ୍ଗିତ କରି କୁହାଯାଇଥିବା ଟିଭିକେ ଅଭିଯୋଗ କରିଥିଲା ।