ନୂଆଦିଲ୍ଲୀ: କେନ୍ଦ୍ର ସରକାର ମେଟା ପ୍ରତି କଠୋର ହୋଇଛନ୍ତି । ଭାରତ ସରକାର ମେଟା କମ୍ପାନୀର ବିଶ୍ୱସ୍ତରୀୟ ଦଳକୁ ସମନ ଜାରି କରି ଦିଲ୍ଲୀ ଡାକିଛନ୍ତି । ଆସନ୍ତା ୫-୬ ତାରିଖରେ ମେଟାର ଏକ ଦଳ ସରକାରଙ୍କୁ ଭେଟିବା ନେଇ ସୂଚନା ଦେଇଛନ୍ତି ଆଇଟି ସଚିବ ଏସ. କ୍ରିଷ୍ଣନ ।
ପିଟିଆଇର ଏକ ରିପୋର୍ଟ ଅନୁଯାୟୀ, ଆଇଟି ସଚିବ ଏସ. କ୍ରିଷ୍ଣନ ମଙ୍ଗଳବାର ଦିନ କହିଛନ୍ତି ଯେ ସରକାର ମେଟାର ବିଶ୍ୱସ୍ତରୀୟ ଦଳ ସହିତ ଶିଶୁ ଯୌନ ନିର୍ଯାତନା କଣ୍ଟେଣ୍ଟ୍ ସମ୍ବନ୍ଧୀୟ ମାମଲା ପରିଚାଳନା ଠାରୁ ଆରମ୍ଭ କରି ପ୍ରମୁଖ ଆକାଉଣ୍ଟଗୁଡ଼ିକ ବିରୁଦ୍ଧରେ ନିଆଯାଇଥିବା ତ୍ରୁଟିପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ପର୍ଯ୍ୟନ୍ତ ଅନେକ ପ୍ରସଙ୍ଗରେ ଆଲୋଚନା କରିବେ ।
ନିକଟରେ ମେଟା ଦ୍ୱାରା ପରିଚାଳିତ ଇନଷ୍ଟାଗ୍ରାମରେ ଶିଶୁ ଯୌନ ନିର୍ଯ୍ୟାତନା ସହିତ ଜଡ଼ିତ ବିଜ୍ଞାପନ ପ୍ରସାରିତ ହୋଇଥିଲା । ଯେଉଁଥିପାଇଁ କମ୍ପାନୀ ବିବାଦକୁ ଆସିଥିଲା । ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଭିଡିଓକୁ କମ୍ପାନି ହଟାଇବା ଯୋଗୁଁ ବିବାଦକୁ ଆସିଥିଲା । ଦିଲ୍ଲୀର ଜନ୍ତର-ମନ୍ତରରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ ସମୟରେ ପ୍ରଧାନମନ୍ତ୍ରୀ ସେଲ୍ଫି ମୋଡରେ ଏକ ଭିଡିଓ ରେକର୍ଡିଂ କରି ଯୁବପିଢ଼ିଙ୍କୁ ସମ୍ବୋଧିତ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ମେଟା ତାହାକୁ ହଟାଇ ଦେଇଥିଲେ । ଯେଉଁଥିପାଇଁ ମେଟାକୁ କ୍ଷମା ମାଗିବାକୁ ପଡ଼ିଥିଲା ।