ଭୁବନେଶ୍ୱର: ଉଚ୍ଚ ଶିକ୍ଷାରେ ନାମ ଲେଖା ପାଇଁ ସାମାଜିକ ଓ ଆର୍ଥିକ ଅନଗ୍ରସର (ଝଋଈଉ) ପାଇଁ ସଂରକ୍ଷଣ ପ୍ରସଙ୍ଗରେ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱକୁ ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଦୂର କରିଛନ୍ତି । ଜାତିଭିତ୍ତିକ ସଂରକ୍ଷଣ ୫୦ ପ୍ରତିଶତରୁ ଆଗକୁ ଟପିବନି ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଥିବା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।
ମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ସୁପ୍ରିମକୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ରହିଛି ଜାତିଭିତ୍ତିକ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହେବ ନାହିଁ । ତେଣୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଆଖି ଆଗରେ ରଖି ଏସଇବିସି ବର୍ଗ (ପଛୁଆ ବର୍ଗ)ଙ୍କ ନାମଲେଖା ନେଇ ୧୧.୨୫% ସଂରକ୍ଷଣ କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ ଏସସି/ଏସଟି ବର୍ଗଙ୍କ ପାଇଁ ୩୮.୭୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି । ଏସଇବିସି ସଂରକ୍ଷଣ ୧୧.୨୫ ପ୍ରତିଶତକୁ ମିଶାଇଲେ ଏହା ୫୦ ପ୍ରତିଶତରେ ସୀମିତ ରହିଛି । ସେହିପରି ଦିବ୍ୟାଙ୍ଗଙ୍କ ପାଇଁ ୫ ପ୍ରତିଶତ ଓ ପୂର୍ବତନ ସେନାନୀଙ୍କ ପରିବାରକୁ ୧ ପ୍ରତିଶତ ସଂରକ୍ଷଣ ସମ୍ପୂର୍ଣ୍ଣ ଅଲଗା ରହିଛି । କାରଣ ଏମାନଙ୍କୁ ଦିଆଯାଇଥିବା ସଂରକ୍ଷଣ ଜାତିଭିତ୍ତିକ ନୁହେଁ । ଏହା ସୁପ୍ରିମକୋର୍ଟ ଗାଇଡଲାଇନ ଉଲ୍ଲଙ୍ଘନ କରୁ ନାହିଁ ବୋଲି ଶିକ୍ଷା ମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ।
ମନ୍ତ୍ରୀ କହିଛନ୍ତି ଯେ ୨୦୦୯ରେ ତତ୍କାଳୀନ ରାଜ୍ୟ ସରକାର ଏକ ଆଇନ ଆଣି ଏସଇବିସିରେ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଥିଲେ । ଯାହାକି ଏକ ଲୋକ ଦେଖାଣିଆ ନିଷ୍ପତ୍ତି ଥିଲା । କାରଣ ଏହାକୁ ମିଶାଇଲେ ଜାତିଭିତ୍ତିକ ସଂରକ୍ଷଣ ୫୦ ପ୍ରତିଶତ ଟପି ଯାଉଛି । ସେମାନେ ଜାଣିଥିଲେ ସୁପ୍ରିମକୋର୍ଟ ଏହାକୁ ଖାରଜ କରିବେ ଏବଂ ପରେ ଏହା ଖାରଜ ମଧ୍ୟ ହୋଇଥିଲା । ବିଗତ ଦିନରେ କେନ୍ଦ୍ର ସରକାର ଜାତି ଭିତ୍ତିକ ଜନଗଣନାକୁ ମଞ୍ଜୁର ପ୍ରଦାନ କରିଛନ୍ତି । ଓଡ଼ିଶା ସରକାର ଏ ପ୍ରସଙ୍ଗରେ ଆଉ ପାଦେ ଆଗକୁ ଯାଇ ଉଚ୍ଚ ଶିକ୍ଷାରେ ସଂରକ୍ଷଣ ବ୍ୟବସ୍ଥାକୁ ଲାଗୁ କରିଛନ୍ତି । ସମାଜର ଅନ୍ତର୍ଭୁକ୍ତିକରଣକୁ ଆଗକୁ ନେବ ମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତକାଲି ରାଜ୍ୟ କ୍ୟାବିନେଟରେ ସାମାଜିକ ଓ ଆର୍ଥିକ ଅନଗ୍ରସର (SEBC) ପାଇଁ ସଂରକ୍ଷଣ ପ୍ରସ୍ତାବକୁ ଅନୁମୋଦନ ମିଳିଥିଲା । ଚଳିତ ଶିକ୍ଷା ବର୍ଷଠାରୁ ଏହାକୁ ଲାଗୁ କରାଯିବ । କେବଳ ସରକାରୀ ବିଶ୍ୱ ବିଦ୍ୟାଳୟ, ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ଏହି ନିୟମ ଲାଗୁ ହେବ ।