ପଶ୍ଚିମବଙ୍ଗ ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଛନ୍ତି ରାଜ୍ୟପାଳ ସିଭି ଆନନ୍ଦ ବୋଷ। ରାଜ୍ୟପାଳ ଡାକ୍ତରଖାନାକୁ ଯାଇ ପୀଡ଼ିତା ଓ ତାଙ୍କ ପରିବାର ସହିତ କଥା ହୋଇ ସ୍ଵାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ତେବେ ସେ ପହଞ୍ଚିବା ବେଳେ ହସ୍ପିଟାଲ୍ ପରିସରରେ ଠେଲାପେଲା ସ୍ଥିତି ଉପୁଜିଥିଲା। ଅନ୍ୟପଟେ ଦୁର୍ଗାପୁରରେ ପହଞ୍ଚିଛନ୍ତି ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି। ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାର ଅନୁଧ୍ୟାନ ପାଇଁ ସେ ଦୁର୍ଗାପୁର ଯାଇଛନ୍ତି। ଏହି ଅବସରରେ ସେ ଗଣଦୁଷ୍କର୍ମ ପୀଡ଼ିତା ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଭେଟିଛନ୍ତି।
ସେପଟେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ଜାତୀୟ ମହିଳା କମିଶନର ଅଧ୍ୟକ୍ଷା ବିଜୟା କିଶୋର ରାହତକରଙ୍କ ସହ କଥା ହୋଇଛନ୍ତି। ଜାତୀୟ ମହିଳା କମିଶନ ମଧ୍ୟ ଘଟଣାକୁ ଗୁରୁତର ସହ ନେଇ ଏନେଇ ଏକ ତଥ୍ୟ-ଅନୁସନ୍ଧାନକାରୀ ଦଳ ନିଯୁକ୍ତ କରିଛି। ଘଟଣାର ନିରପେକ୍ଷ ତଦନ୍ତ ଏବଂ ପୀଡିତାଙ୍କ ସୁରକ୍ଷା ଓ ଗୁଣାତ୍ମକ ଚିକିତ୍ସା ସେବା ପାଇଁ ପଶ୍ଚିମବଙ୍ଗ ରାଜ୍ୟ ସରକାରଙ୍କୁ ଦୃଢ଼ ସୁପାରିଶ କରିଛି ମହିଳା କମିଶନ।
ଏହି ମାମଲାରେ ୬ ଜଣ ଅଭିଯୁକ୍ତ ଥିବା ନେଇ ପୀଡ଼ିତାଙ୍କ ବାପା କହିଥିବା ବେଳେ ପୁଲିସ ୫ ଜଣଙ୍କୁ ଗିରଫ କରିଛି। ଅନ୍ୟପଟେ ମମତାଙ୍କ ବୟାନକୁ ନେଇ ବଢୁଛି ବିବାଦ। ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ପାଇଁ ଛାତ୍ରଛାତ୍ରୀଙ୍କୁ ଦୋଷ ଦେଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। ଛାତ୍ରୀଙ୍କୁ ମଧ୍ୟରାତ୍ରରେ କ୍ୟାମ୍ପସ ବାହାରକୁ ନଯିବାକୁ ପରାମର୍ଶ ଦେଇଥିଲେ। ଦୁଷ୍କର୍ମ ପାଇଁ ମମତା କଲେଜର ସୁରକ୍ଷା ବ୍ୟବସ୍ଥା ଏବଂ ଛାତ୍ରୀଙ୍କୁ ବିଳମ୍ବିତ ରାତିରେ ବାହାରକୁ ଯିବାକୁ ଦୋଷ ଦେଇଥିଲେ। ଛାତ୍ରୀଜଣଙ୍କ ରାତି ୧୨.୩୦ ରେ କିପରି ବାହାରକୁ ଆସିଲେ ବୋଲି ପ୍ରଶ୍ନ କରିଥିଲେ। ବିଳମ୍ବିତ ରାତିରେ ବାହାରକୁ ଯିବା ମେଡିକାଲ କଲେଜ ପରମ୍ପରା ହୋଇଗଲାଣି ବୋଲି କହିଥିଲେ ମମତା। ଯାହାକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି। ଅନ୍ୟପଟେ ପୀଡ଼ିତାଙ୍କ ବାପାଙ୍କ ଏଫଆଇଆର ଅନୁଯାୟୀ ରାତି ୮ ଟା ପିଡିତାଙ୍କୁ ଗଣଦୁଷ୍କର୍ମର ଶୀକାର ହୋଇଥିଲେ। ମମତା ଏଭଳି ମନ୍ତବ୍ୟକୁ ନେଇ ବଡ଼ ବିବାଦ ସୃଷ୍ଟି ହୋଇଛି।