ଭୁବନେଶ୍ୱର: ବିଧାନସଭାରେ ଉଠିଲା ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା। ଶୂନ୍ୟକାଳରେ ଏହି କଥା ଉଠାଇ ଫାଇଲ୍ ରିଓପନ କରିବାକୁ ସିମୁଳିଆ ବିଧାୟକ ପଦ୍ମ ଲୋଚନ ପଣ୍ଡା ଦାବି କରିଛନ୍ତି। ଏହି ମାମଲାରେ ତତ୍କାଳୀନ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ସମ୍ପୃକ୍ତ ରହିଛି। ଯାହା ପାଇଁ ପୂର୍ବ ସରକାରରେ ତାଙ୍କୁ ଓ ତାଙ୍କ ସହଯୋଗୀଙ୍କୁ ବନ୍ଧା ଯାଇନାହିଁ। ଯେଉଁଥି ପାଇଁ ଆଜି ବି ନ୍ୟାୟ ଅପେକ୍ଷାରେ ରହିଛନ୍ତି ସୌମ୍ୟରଞ୍ଜନ ମହାପାତ୍ରଙ୍କ ପରିବାର। ହାଇକୋର୍ଟ କହିଥିଲେ ମଧ୍ୟ ଏହାର ତଦନ୍ତ କରାଯାଇ ନାହିଁ। ପୂର୍ବ ସରକାର ଏହାର ତଦନ୍ତ କରିପାରିଲେ ନାହିଁ, ତେଣୁ ଏ ସରକାରରେ ତୁରନ୍ତ ତଦନ୍ତ କରି ତାଙ୍କ ପରିବାରକୁ ନ୍ୟାୟ ଦିଆଯାଉ ବୋଲି ସିମୁଳିଆ ବିଧାୟକ କହିଛନ୍ତି।
ସୂଚନାଯୋଗ୍ୟ ଯେ,ଗତ ୨୦୨୧ ମସିହା ଜୁଲାଇ ୧୧ତାରିଖରେ ପାରଳାଖେମୁଣ୍ଡି ସ୍ଥିତ ସରକାରୀ ବାସଭବନରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର ହୋଇଥିଲେ ଏସିଏଫ ସୌମ୍ୟରଞ୍ଜନ। ପରବର୍ତ୍ତୀ ସମୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ମାମଲାର ତଦନ୍ତଭାର କ୍ରାଇମବ୍ରାଞ୍ଚ ସମ୍ଭାଳିଥିଲା। କିନ୍ତୁ ଅଭିଯୁକ୍ତ ବିଦ୍ୟାଭାରତୀ, ଡିଏଫଓ ସଂଗ୍ରାମ କେଶରୀଙ୍କ ସମେତ ରୋଷେୟା ମନ୍ମଥ କୁଣ୍ଡୁଙ୍କୁ କ୍ଲିନଚିଟ୍ ଦେଇଥିଲା କ୍ରାଇମବ୍ରାଞ୍ଚ। ଯାହାକୁ ଚ୍ୟାଲେଞ୍ଜ କରି ସୌମ୍ୟରଞ୍ଜନଙ୍କ ପରିବାର ପାରଳାଖେମୁଣ୍ଡି ଏସଡିଜେଏମ କୋର୍ଟରେ ମାମଲା ଦାୟର କରିଥିଲେ। ଉକ୍ତ ଆବେଦନର ଶୁଣାଣି କରି ଏସଡିଜେଏମ କୋର୍ଟ ପାରଳାଖେମୁଣ୍ଡି, ଏହି ୩ ଜଣଙ୍କୁ ପକ୍ଷଭୁକ୍ତ କରିଥିଲେ। ସମସ୍ତଙ୍କ ବିରୋଧରେ ଆଇପିସିର ଦଫା ୩୦୨ (ହତ୍ୟା) ଏବଂ ଆଇପିସି ୧୨୦ (ବି) ଅପରାଧିକ ଷଡ଼ଯନ୍ତ୍ର ଅନୁସାରେ ମକଦ୍ଦମା ଚାଲିବ ବୋଲି ନିମ୍ନ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ କାର୍ଯ୍ୟକାରୀ ନହେବାରୁ ୨୦୨୩ ମସିହାରେ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ନନ୍ ବେଲେବୁଲ ୱାରେଣ୍ଟ ମଧ୍ୟ ଜାରି ହୋଇଥିଲା। ଯାହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରି ଅଭିଯୁକ୍ତ ମାନେ ସାମୟିକ ଆଶ୍ବସ୍ତି ପାଇଥିଲେ। କାରଣ ନିମ୍ନ ଅଦାଲତଙ୍କ ରାୟ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ ହାଇକୋର୍ଟ। କିନ୍ତୁ ଚଳିତ ବର୍ଷ ବିଦ୍ୟାଭାରତୀ ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ, ଏସ୍ଡିଜେଏମ୍ ପାରଳାଖେମୁଣ୍ଡିଙ୍କ ପ୍ରଥମ ନିର୍ଦ୍ଦେଶକୁ ରଦ୍ଦ କରିବା ଲାଗି ଆବେଦନ କଲେ। ଯାହାକୁ ହାଇକୋର୍ଟ ଆଗ୍ରହ୍ୟ କରିଦେଇଛନ୍ତି। ତେଣୁ ଆଗକୁ ବିଦ୍ୟାଭାରତୀଙ୍କ ସମେତ ଅନ୍ୟ ଅଭିଯୁକ୍ତ ମାନେ ହତ୍ୟା ଏବଂ ଅପରାଧିକ ଷଡ଼ଯନ୍ତ୍ର ଭଳି ସଙ୍ଗୀନ ଅଭିଯୋଗ ଜନିତ ମାମଲାକୁ ସାମ୍ନା କରିବେ।
ଅଧିକ ପଢନ୍ତୁ: ଏଣିକି ଧାନମଣ୍ଡି ଉପରେ କଡ଼ା ନଜର ରଖିବେ ମନ୍ତ୍ରୀ; ଦୁର୍ନୀତି ରୋକିବାକୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା କାର୍ଯ୍ୟନୁଷ୍ଠାନ