ଗଞ୍ଜାମ ଜିଲ୍ଲାରେ ପୁଣିଥରେ ଆତଙ୍କ ଦେଖିବାକୁ ମିଳିଛି। ଜଣେ ସୁନା ବ୍ୟବସାୟୀଙ୍କୁ ଗୁଳିଚାଳନା, ଅନ୍ୟପଟେ ବୋମା ବିସ୍ଫୋରଣରେ ଦୁଇ ନାବାଳକ ଆହତ ହୋଇଛନ୍ତି ଯାହା ଜିଲ୍ଲାର ଆଇନଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇଛି।
ପାଟପୁର ଥାନା ଅଞ୍ଚଳର ଡେଙ୍ଗାଓସ୍ତାରେ ଗତକାଲି ରାତିରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା। “ଶ୍ରୀ ଦୁର୍ଗା ଜ୍ୱେଲର୍ସ”ର ମାଲିକ ପବିତ୍ର ବିଷୋୟୀ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ପୂର୍ବରୁ ଛକି ରହିଥିବା ଦୁର୍ବୃତ୍ତମାନେ ତାଙ୍କୁ ଲକ୍ଷ୍ୟ କରି ତିନି ରାଉଣ୍ଡ ଗୁଳି ଚଳାଇଥିଲେ। ଏଥିରୁ ଦୁଇଟି ଗୁଳି ତାଙ୍କ ଦେହରେ ଲାଗିଥିଲା। ଗୁରୁତର ଅବସ୍ଥା ସତ୍ତ୍ୱେ ସେ ଟଙ୍କାଭର୍ତ୍ତି ବ୍ୟାଗ ଛାଡ଼ିନଥିଲେ।
ତେବେ ଗୁଳିର ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଦୌଡ଼ି ଆସିବାରୁ ଦୁର୍ବୃତ୍ତମାନେ ଦୁଇଟି ବାଇକରେ ପାଞ୍ଚ ଜଣ ମିଶି ଘଟଣାସ୍ଥଳରୁ ପଳାଇଥିଲେ। ପାଟପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି, ଏବଂ ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରହିଛି।
ଏଥି ସହିତ ଗଞ୍ଜାମର କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଖଜାପଲ୍ଲୀରେ ମଧ୍ୟ ଗତକାଲି ଆଉ ଏକ ଦୁଃଖଦ ଅଘଟଣ ଘଟିଛି। ବୋମାକୁ ବଲ୍ ଭାବି ଖେଳୁଥିବା ବେଳେ ହଠାତ ଫୁଟିଯାଇଥିଲା। ଏଥିରେ ୧୪ ବର୍ଷର ଓଁ ପ୍ରକାଶ ଭୂୟାଁ ଗୁରୁତର ଆହତ ହୋଇଥିବା ବେଳେ ୮ ବର୍ଷର ଗଣେଶ ଭୂୟାଁ ସାମାନ୍ୟ ଆହତ ହୋଇଛନ୍ତି।
ଗୁରୁତର ଓଁ ପ୍ରକାଶଙ୍କୁ ପ୍ରଥମେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି।
ବୋମା କେଉଁଠୁ ଆସିଲା, କିଏ ରଖିଥିଲା ଏବଂ କାହିଁକି ରଖିଥିଲା, ସେସବୁ ପ୍ରଶ୍ନ ଏବେ ପୁଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି। କବିସୂର୍ଯ୍ୟନଗର ପୁଲିସ ଘଟଣାର ଗଭୀର ତଦନ୍ତ ଆରମ୍ଭ କରିଛି।