ମୁମ୍ବାଇ: କଂଗ୍ରେସ ଦଳ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ପାୱାରଙ୍କୁ କଟାକ୍ଷ କରିଛି । ସୁନେତ୍ରାଙ୍କୁ କଂଗ୍ରେସ ମୁକ କଣ୍ଢେଇ ବୋଲି କହିବା ପରେ ରାଜନୀତି ସରଗରମ ହୋଇଛି । ଏକନାଥ ସିନ୍ଦେ ଓ ଏନସିପି ମୁଖପାତ୍ର ଏହାକୁ ନେଇ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି ।
ସିନ୍ଦେ କହିଛନ୍ତି ଯେ ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ କଂଗ୍ରେସକୁ ଏହାର ମନ୍ତବ୍ୟ ପାଇଁ ଲଜ୍ଜିତ ହେବା ଉଚିତ । ରାଜ୍ୟର ମହିଳାଙ୍କ ପ୍ରତି ଅପମାନ ବୋଲି କହି କଂଗ୍ରେସ ଉପରେ ବର୍ଷିଛନ୍ତି । ସେହିପରି ଏନସିପି ମୁଖପାତ୍ର ଉମେଶ ପାଟିଲ ପଚାରିଛନ୍ତି ଯେ କଂଗ୍ରେସ ପରୋକ୍ଷରେ ସ୍ୱୀକାର କରୁଛି କି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବିରୁଦ୍ଧରେ କରାଯାଇଥିବା ସମାଲୋଚନା ଯଥାର୍ଥ ଅଟେ । ସେ କହିଛନ୍ତି ଯେ କଂଗ୍ରେସ ନିଜ ରାଜନୈତିକ ଐତିହ୍ୟ ବିରୁଦ୍ଧରେ କାର୍ଯ୍ୟ କରୁଥିବା ପରି ମନେ ହେଉଛି।
ଜଣେ ସାମ୍ବାଦିକ ସୁନେତ୍ରା ପାୱାରଙ୍କୁ ବୀଡ ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ବିଷୟରେ ପ୍ରଶ୍ନ ପଚାରିଥିଲେ । ଏନସିପି ନେତା ଧନଞ୍ଜୟ ମୁଣ୍ଡେ ଏଥିରେ ହସ୍ତକ୍ଷେପ କରିବାରୁ ସୁନେତା ନୀରବ ରହିବା ଉଚିତ ମନେ କରିଥିଲେ । କିନ୍ତୁ କଂଗ୍ରେସ ସୁନେତ୍ରାଙ୍କୁ ଟାର୍ଗେଟ୍ କରିଛି । କଂଗ୍ରେସ ଭିଡ଼ିଓ ସେୟାର କରି ପଚାରିଛି ଯେ ସୁନେତ୍ରା ପାୱାର କେତେ ଦିନ 'ମୁକ କଣ୍ଢେଇ' ହୋଇ ରହିବେ ।