ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ନେଇ ଭୁବନେଶ୍ୱର କୁ ରେଡ୍ ଆଲର୍ଟ ଜାରିକଲା ପାଣିପାଗ ବିଭାଗ। ଆଗାମୀ ୪ ଦିନ ପାଇଁ ରେଡ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତାପମାତ୍ରା ଆହୁରି ବଢିବା ଆଶଙ୍କାରେ ୧୩ ଜିଲ୍ଲାକୁ ରେଡ ଆଲର୍ଟ ଓ ୧୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଓ ଦୁଇ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ପଶ୍ଚିମା ଓ ଉତ୍ତର-ପଶ୍ଚିମା ଶୁଷ୍କ ବାୟୁ ପ୍ରବାହ ଯୋଗୁ ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଶନିବାର ୪୪.୭ ଡିଗ୍ରୀ ସେଲ୍ସିୟସ୍ ସହ ଅନୁଗୋଳ ରାଜ୍ୟର ସର୍ବାଧିକ ଏବଂ ବିଶ୍ୱର ୧୧ତମ ଉତ୍ତପ୍ତ ସହର ପାଲଟିଛି। ସେହିପରି ୪୪.୬ ଡିଗ୍ରୀ ସହିତ ଭୁବନେଶ୍ୱର ରାଜ୍ୟର ଦ୍ୱିତୀୟ ତଥା ବିଶ୍ୱର ୧୩ତମ ଉତ୍ତପ୍ତ ସହର ରହିଥିଲା। ୪୪.୨ ଡିଗ୍ରୀ ସହିତ ବାରିପଦା ତୃତୀୟ ଉତ୍ତପ୍ତ ସହର ରହିଥିଲା। ୩୩ ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲ୍ସିୟସ୍ କିମ୍ବା ଅଧିକ ରେକର୍ଡ କରାଯାଇଥିବା ବେଳେ ୧୪ ସହରରେ ୪୩ ଡିଗ୍ରୀ କିମ୍ବା ଅଧିକ ତାପମାତ୍ରା ରେକର୍ଡ କରାଯାଇଛି।
ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଅସହ୍ୟ ତାତି ପାଇଁ ଆଗାମୀ ୨୪ ଘଣ୍ଟା ପାଇଁ ମୟୂରଭଞ୍ଜ, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, ବଲାଙ୍ଗୀର, ସମ୍ବଲପୁର, ନୂଆପଡ଼ା, ଅନୁଗୁଳ, ଯାଜପୁର ଓ ଖୋର୍ଦ୍ଧା ଜିଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି କଟକ, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ସୋନପୁର, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, ନୟାଗଡ଼, ନବରଙ୍ଗପୁର, ଦେବଗଡ଼, ବରଗଡ଼ ଓ ରାୟଗଡ଼ା ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏହା ସହ କୋରାପୁଟ ଓ ପୁରୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଗକୁ କୌଣସି ବଡ଼ ବର୍ଷାର ସମ୍ଭାବନା ନଥିବା ବେଳେ ମେ ମାସ ଦ୍ଵିତୀୟ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିବ। ଆବଶ୍ୟକ ନଥିଲେ ଦିନ ୧୧ଟାରୁ ୩ଟା ମଧ୍ୟରେ ଘରୁ ବାହାରିବାକୁ ପାଣିପାଗ ବିଭାଗ ପକ୍ଷରୁ ବାରଣ କରାଯାଇଛି। ଆବଶ୍ୟକ ସ୍ଥଳେ ଘରୁ ବାହାରିବା ବେଳେ ପ୍ରଚୁର ପାଣି ପିଅନ୍ତୁ ଆଉ ମୁଣ୍ତରେ ଓଦା ଗାମୁଛା ଗୁଡେଇ ବାହାରକୁ ଯାଆନ୍ତୁ।
ଅଧିକ ପଢନ୍ତୁ : ଜଳ ସଙ୍କଟରେ ଦକ୍ଷିଣ ଭାରତ