ଭୁବନେଶ୍ୱର: ଫକୀରମୋହନ ମହାବିଦ୍ୟାଳୟରେ କଲେଜ ଛାତ୍ରୀଙ୍କ ଆତ୍ମହୁତି ଉଦ୍ୟମ ଘଟଣାରେ ପୀଡ଼ିତାଙ୍କୁ ଏମ୍ସରେ ଚିକିତ୍ସା କରାଯାଉଛି । ଏମ୍ସ ଆସି ପୀଡ଼ିତାଙ୍କୁ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୀଡ଼ିତା ଛାତ୍ରୀଙ୍କ ପରିବାର ଲୋକଙ୍କୁ ଭେଟିବା ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ଏନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି ।
ପୀଡ଼ିତାଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ପାଇଁ ଏମ୍ସରେ ପହଞ୍ଚିଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସହ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଛାତ୍ରୀଙ୍କୁ ବଞ୍ଚାଇବାକୁ ସମସ୍ତ ଚେଷ୍ଟା କରାଯାଉଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତିକ୍ରିୟାରେ କହିଛନ୍ତି । ଆଗାମୀ ୨୪ରୁ ୪୮ ଘଣ୍ଟା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ । ସ୍ଥିତିରେ ସୁଧାର ଆଣିବା ପାଇଁ ବିଭିନ୍ନ ବିଭାଗର ଡାକ୍ତର ଚିକିତ୍ସାରେ ଲାଗିଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ସ୍ଥିତିରେ କୌଣସି ସୁଧାର ଆସିନାହିଁ ବୋଲି ଏମ୍ସ ନିର୍ଦ୍ଦେଶକ ଆଶୁତୋଷ ବିଶ୍ବାସ ସୂଚନା ଦେଇଥିଲେ ।
ଏହି ଘଟଣା ପରେ ତୁରନ୍ତ କଲେଜର ଅଧ୍ୟାପକ ଓ ପ୍ରିନ୍ସିପାଲଙ୍କୁ ନିଲମ୍ବନ କରାଯାଇଛି। ଅଭିଯୋଗ ଥିବା ଅଧ୍ୟାପକଙ୍କୁ ଗିରଫ ମଧ୍ୟ କରାଯାଇଛି । ଏକ ୩ ଜଣିଆ ତଦନ୍ତ କମିଟି ଗଠନ ହୋଇଛି । ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଜଣେ ଯୁଗ୍ମ ସଚିବ ରାଙ୍କର ମହିଳା ଅଧିକାରୀ, ଜଣେ ବରିଷ୍ଠ କଲେଜ ଅଧ୍ୟକ୍ଷାଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ଉକ୍ତ କମିଟି ଘଟଣାର ତନାଘନା ଯାଞ୍ଚ କରି ସମସ୍ତ ରିପୋର୍ଟ ପ୍ରଦାନ କରିବେ । ଏହା ପରେ ଘଟଣାର କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।