ମୁମ୍ବାଇ: ଅଭିନେତ୍ରୀ ଶେଫାଳୀ ଜରିୱାଲାଙ୍କ ଅକାଳ ବିୟୋଗ ସମସ୍ତଙ୍କୁ ହତବାକ କରିଦେଇଛି । ଏତେ ସୁସ୍ଥ ଦେଖାଯାଉଥିବା ଶେଫାଳୀଙ୍କର ପୁଣି ହୃଦଘାତରେ ମୃତ୍ୟୁ ହୋଇଛି, ଏହାକୁ କେହି ସହଜରେ ଗ୍ରହଣ କରିପାରୁନାହାଁନ୍ତି । ସେ ନିଜକୁ ଫିଟ୍ ରଖିବାକୁ ନିୟମିତ ବ୍ୟାୟାମ କରିବା ସହିତ ଯୋଗ ଅଭ୍ୟାସ ମଧ୍ୟ କରୁଥିଲେ । ଏହା ସହିତ ସନ୍ତୁଳିତ ଖାଦ୍ୟ ମଧ୍ୟ ଗ୍ରହମ କରୁଥିଲେ । ତେଣୁ ତାଙ୍କର ହୃଦଘାତରେ କିପରି ମୃତ୍ୟୁ ହେଲା ତାହା ସମସ୍ତଙ୍କ ମନରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୋଲିସ ତଦନ୍ତ ସମୟରେ ଏକ ବଡ଼ କାରଣ ସାମ୍ନାକୁ ଆସିଛି । ତରୁଣୀ ଦେଖାଯିବାକୁ ଏବଂ ଚେହେରାରେ ବୟସର ଚାପ କେମିତି କମ୍ ଦିଶିବ ସେଥିପାଇଁ ସେ ମାତ୍ରାଧିକ ଆଣ୍ଟି ଏଜିଂ ମେଡିସିନ୍ ଖାଉଥିଲେ ବୋଲି ଜଣାପଡ଼ିଛି ।
ପୋଲିସକୁ ତାଙ୍କ ବାସଭବନ ଯାଞ୍ଚବେଳେ ଏକ ଔଷଧ ବାକ୍ସ ମିଳିଛି । ଯେଉଁଥିରେ ଆଣ୍ଟି ଏଜିଂ ଔଷଧ ରହିଥିଲା । ଶେଫାଳୀ ଡାକ୍ତରଙ୍କ ପରାମର୍ଶ କ୍ରମେ ଦୀର୍ଘ ୭-୮ ବର୍ଷ ହେବ ଏହି ମେଡ଼ିସିନ୍ ଖାଇ ଆସୁଛନ୍ତି । ଏହା ସହିତ ପ୍ରତିମାସରେ ଏକ ଇଞ୍ଜେକସନ୍ ମଧ୍ୟ ନେଇ ଥାଆନ୍ତି । ଏହାକୁ ଖାଲି ପେଟରେ ନଖାଇବାକୁ ଡାକ୍ତର ପରାମର୍ଶ ମଧ୍ୟ ଦେଇଥାଆନ୍ତି । ଯେଉଁଦିନ ତାଙ୍କର ମୃତ୍ୟୁ ହେଲା ଅର୍ଥାତ ୨୭ ଜୁନରେ ସେ ଉପବାସ କରିଥିଲେ । ସେହିଦିନ ଅପରାହ୍ନରେ ଏକ ଇଞ୍ଜେକ୍ସନ ନେଇଥିଲେ । ଯାହାଦ୍ୱାରା ତାଙ୍କର ରକ୍ତ ଚାପ ହ୍ରାସ ପାଇଥାଇପାରେ ବୋଲି ଡାକ୍ତରମାନେ ଅନୁମାନ କରୁଛନ୍ତି । ତେଣୁ ଏହା ହୃଦଘାତର ପ୍ରମୁଖ କାରଣ ହୋଇଥାଇପାରେ ବୋଲି ପୋଲିସ ମଧ୍ୟ ସନ୍ଦେହ କରୁଛି ।
ଦେଖାଗଲେ ଆଣ୍ଟି ଏଜିଂ ମେଡ଼ିସିନ୍ ସାଧାରଣତଃ ଅନେକ ଅଭିନେତା ଏବଂ ଅଭିନେତ୍ରୀମାନେ ନେଉଛନ୍ତି । ନିଜକୁ ଅଧିକ ତରୁଣ ଦେଖାଇବାକୁ ଯାଇ ଅନେକ ପ୍ରକାର ଅସ୍ତ୍ରୋପଚାର ସହିତ ଇଞ୍ଜେକସନ୍ ମଧ୍ୟ ନେଉଥିବା ଦେଖିବାକୁ ମିଳିଛି ।
ଅନ୍ୟପକ୍ଷରେ ଶେଫାଳୀଙ୍କର ଅନ୍ତେଷ୍ଟି କ୍ରିୟା ଶେଷ ହୋଇଛି । କିନ୍ତୁ କୁପର ମେଡ଼ିକାଲରେ ହୋଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟ ଏ ଯାଏ ଆସି ନାହିଁ । ପୋଷ୍ଟମର୍ଟମ୍ ରିପୋର୍ଟ ଆସିବା ପରେ ଶେଫାଳୀଙ୍କ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।