ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ରାଜନୀତିରେ ବିଜେଡ଼ିକୁ ଝଟକା ଲାଗିବାର ଆଶଙ୍କା ସୃଷ୍ଟି ହୋଇଛି । ବିଜେଡ଼ି କର୍ପୋରେଟର୍ ଅମରେଶ ଜେନା ବିଜେଡ଼ି ଛାଡ଼ି ବିଜେପି ମୁହାଁ ହେଉଥିବା ଆକଳନ କରାଯାଉଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅମରେଶ ଆଇଓସିଏଲ୍ ଅତିଥି ଭବନରେ ଭେଟିବା ପରେ ଏହି ଚର୍ଚ୍ଚା ଆହୁରି ବଢ଼ି ଯାଇଛି । ସତ କଥା କଣ ମୁହଁ ଖୋଲି କହି ନ ଥିଲେ ମଧ୍ୟ ଏହି ସାକ୍ଷାତକୁ ସୌଜନ୍ୟମୂଳକର ନାମ ଦେଇଛନ୍ତି ।
ଅମରେଶ ଜେନା ଆଜି ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଇଓସିଏଲ୍ ଗେଷ୍ଟ ହାଉସରେ ସାକ୍ଷାତ କରିଛନ୍ତି । ଅମରେଶ ପ୍ରତିକ୍ରିୟାରେ କହିଛନ୍ତି, ଏହା ଏକ ସୌଜନ୍ୟମୂଳକ ସାକ୍ଷାତ । ଧର୍ମେନ୍ଦ୍ର ପ୍ରଧାନ ସମସ୍ତଙ୍କ ସହିତ ବହୁତ ଭଲ ଭାବରେ ମିଶନ୍ତି । ସେ ଦଳରୁ ଉର୍ଦ୍ଧ୍ୱରେ ରହି କାମ କରୁଛନ୍ତି । ଏକ ବୈଠକ ସାରି ଯିବା ସମୟରେ ଖବର ପାଇଥିଲୁ ଧର୍ମେନ୍ଦ୍ର ପ୍ରଧାନ ଗେଷ୍ଟ ହାଉସରେ ଅଛନ୍ତି ସେଥିପାଇଁ ଭେଟିବାକୁ ଆସିଥିଲୁ । ଏହା ସହିତ ଶିକ୍ଷା କ୍ଷେତ୍ରରେ ଏସଇବିସିଙ୍କୁ ସଂରକ୍ଷଣ ଦିଆଯିବା ପ୍ରସଙ୍ଗରେ ମଧ୍ୟ ଧନ୍ୟବାଦ ଜଣାଇଲୁ । କିନ୍ତୁ ଦଳୀୟ ପ୍ରସଙ୍ଗରେ ଆଲୋଚନାକୁ ଅମରେଶ ପ୍ରତ୍ୟାଖ୍ୟାନ କରିଛନ୍ତି ।
ଗତ ସାଧାରଣ ନିର୍ବାଚନଠାରୁ ଅମରେଶ ଓ ବିଜେଡ଼ି ମଧ୍ୟରେ ଫାଟ ସୃଷ୍ଟି ହୋଇଛି । ବିଧାନସଭା ଆସନ ଟିକେଟ୍ ନ ମିଳିବାରୁ ଅମରେଶ ଅସନ୍ତୋଷ ଅଛନ୍ତି । ନିକଟରେ ମଧ୍ୟ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀରୁ କର୍ପୋରେଟର୍ ଅମରେଶ ଜେନାଙ୍କୁ ବାଦ ଦିଆଯିବା ପରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା । ଅମରେଶଙ୍କ ସମର୍ଥକମାନେ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସ ବର୍ମାଙ୍କୁ ଦାୟୀ କରି ଖାରବେଳନଗର ସ୍ଥିତ ତାଙ୍କ ବାସଭବନ ସମ୍ମୁଖରେ ହୋହାଲ୍ଲା କରିଥିଲେ । ଦଳରେ ଯେଉଁମାନେ କାମ କରୁଛନ୍ତି ସେମାନଙ୍କୁ ଅଣାଦେଖା କରାଯାଉଛି । ଯେଉଁ ୪ରୁ ୫ ଜଣଙ୍କୁ ଦାୟିତ୍ୱ ଦିଆଯାଇଛି ସେମାନେ ନିରପେକ୍ଷ ନୁହଁନ୍ତି ବୋଲି ଅମରେଶ ଅଭିଯୋଗ କରିଥିଲେ ।