ଋଣ ଭାରରେ ବୁଡ଼ି ରହିଥିବା ପାକିସ୍ତାନର ଅବସ୍ଥା ଏବେ ଶୋଚନୀୟ। ମାନସିକ ସନ୍ତୁଳନ ଏଭଳି ବିଗିଡ଼ି ଯାଇଛି ଯେ, ନିଜର ଟଙ୍କା ଫେରସ୍ତ ମାଗୁଥିବା ଦେଶକୁ ମଧ୍ୟ କଟାକ୍ଷ କରିବାକୁ ପାକିସ୍ତାନୀ ନେତା ପଛାଉ ନାହାନ୍ତି। କିଛି ଏଭଳି ଘଟଣା ୟୁଏଇ (UAE) ବା ସଂଯୁକ୍ତ ଆରବ ଏମିରେଟ୍ସ ସହ ଘଟିଛି। ଟଙ୍କା ଫେରସ୍ତ କରିବା କଥା ଚିନ୍ତା କରିବା ପରିବର୍ତ୍ତେ ପାକିସ୍ତାନୀ ନେତାମାନେ ୟୁଏଇକୁ ‘ଅଖଣ୍ଡ ଭାରତ’ର ଅଂଶ ହୋଇଯିବା କଥା କହି ଡରାଇବାରେ ଲାଗିଛନ୍ତି। ଏବେ ପ୍ରଶ୍ନ ଉଠୁଛି ଯେ, ‘ଅଖଣ୍ଡ ଭାରତ’ ପ୍ରକୃତରେ କେଉଁ ପରିଚୟର ନାମ?
ଭାରତର ଇତିହାସ ଅତ୍ୟନ୍ତ ଗୌରବଶାଳୀ। ଇତିହାସ ବହିର ପୃଷ୍ଠା ଓଲଟାଇଲେ ଗୋଟିଏ ଶବ୍ଦ ବାରମ୍ବାର ଶୁଣାଯାଏ- ଅଖଣ୍ଡ ଭାରତ। ଏହା କେବଳ ଏକ ରାଜନୈତିକ ବିଚାର ନୁହେଁ, ବରଂ ଏକ ସାଂସ୍କୃତିକ ଏବଂ ଭୌଗୋଳିକ ପରିଚୟ, ଯାହା ଶତାବ୍ଦୀ ଧରି ଦକ୍ଷିଣ ଏସିଆକୁ ଏକ ସୂତ୍ରରେ ବାନ୍ଧି ରଖିଥିଲା। ଏହି ଲେଖାରେ ଆମେ ଅବିଭାଜିତ ଭାରତର ସେହି ଗୌରବମୟ ଯାତ୍ରା ବିଷୟରେ ଜାଣିବା, ଯେତେବେଳେ ଦେଶର ସୀମା ଇରାନଠାରୁ ଇଣ୍ଡୋନେସିଆ ଏବଂ ତିବ୍ଦତଠାରୁ ଶ୍ରୀଲଙ୍କା ପର୍ଯ୍ୟନ୍ତ ବ୍ୟାପିଥିଲା। ଏହାକୁ ଆର୍ଯ୍ୟାବର୍ତ୍ତ ଏବଂ ଜମ୍ବୁଦ୍ୱୀପ ମଧ୍ୟ କୁହାଯାଏ।
‘ଜମ୍ବୁଦ୍ୱୀପ’ ଏବଂ ସମ୍ରାଟ ଭରତଙ୍କ ଉତ୍ତରାଧିକାର
ଅଖଣ୍ଡ ଭାରତର ଅବଧାରଣାର ସବୁଠାରୁ ପ୍ରାଚୀନ ଉତ୍ସ ହେଉଛି ଆମର ପୌରାଣିକ ଗ୍ରନ୍ଥ ଏବଂ ବେଦ। ବିଷ୍ଣୁ ପୁରାଣର ଏକ ଶ୍ଲୋକ ଅଛି-
‘ଉତ୍ତରଂ ଯତ୍ସମୁଦ୍ରସ୍ୟ ହିମାଦ୍ରେଶ୍ଚୈବ ଦକ୍ଷିଣମ୍। ବର୍ଷଂ ତଦ୍ ଭାରତଂ ନାମ ଭାରତୀ ଯତ୍ର ସନ୍ତତିଃ॥’
ଏହାର ଅର୍ଥ ହେଉଛି- ଯେଉଁ ଭୂଭାଗ ସମୁଦ୍ରର ଉତ୍ତରରେ ଏବଂ ହିମାଳୟର ଦକ୍ଷିଣରେ ଅବସ୍ଥିତ, ତାହା ହିଁ ଭାରତ ଏବଂ ସେଠାରେ ବାସ କରୁଥିବା ସନ୍ତାନମାନେ ହେଉଛନ୍ତି ଭାରତୀୟ। ପ୍ରାଚୀନ କାଳରେ ଏହାକୁ ‘ଜମ୍ବୁଦ୍ୱୀପ’ କୁହାଯାଉଥିଲା। ଚକ୍ରବର୍ତ୍ତୀ ସମ୍ରାଟ ଭରତଙ୍କ ନାମ ଅନୁସାରେ ଏହି ସମଗ୍ର ଭୂଖଣ୍ଡର ନାମ ଭାରତବର୍ଷ ପଡ଼ିଥିଲା। ସେହି ସମୟରେ ଆଫଗାନିସ୍ତାନ (ଗାନ୍ଧାର), ପାକିସ୍ତାନ, ବାଂଲାଦେଶ, ନେପାଳ, ଭୁଟାନ, ମ୍ୟାନ୍ମାର ଏବଂ ଶ୍ରୀଲଙ୍କା ଭୌଗୋଳିକ ତଥା ସାଂସ୍କୃତିକ ଦୃଷ୍ଟିରୁ ଏକକ ଥିଲେ।
ବିଭିନ୍ନ ଅଞ୍ଚଳର ପ୍ରାଚୀନ ନାମ:
ଆଫଗାନିସ୍ତାନ - ଉପଗଣସ୍ଥାନ
ମିଆଁମାର - ବ୍ରହ୍ମଦେଶ
ଥାଇଲ୍ୟାଣ୍ଡ - ସ୍ୱର୍ଣ୍ଣଭୂମି ବା ଶ୍ୟାମଦେଶ
ଇଣ୍ଡୋନେସିଆ - ଯବଦ୍ୱୀପ
ତିବ୍ଦତ - ତ୍ରିବିଷ୍ଟପ
ଅଖଣ୍ଡ ଭାରତର ପ୍ରଥମ ସ୍ୱର୍ଣ୍ଣ ଯୁଗ
ଐତିହାସିକ ଭାବେ ‘ଅଖଣ୍ଡ ଭାରତ’କୁ ବାସ୍ତବ ରୂପ ଦେବାର ଶ୍ରେୟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଏବଂ ତାଙ୍କର ରଣନୀତିକାର ଆଚାର୍ଯ୍ୟ ଚାଣକ୍ୟଙ୍କୁ ଯାଏ। ଚାଣକ୍ୟଙ୍କ ମାର୍ଗଦର୍ଶନରେ ଚନ୍ଦ୍ରଗୁପ୍ତ ଗ୍ରୀକ୍ ଆକ୍ରମଣକାରୀ ସେଲ୍ୟୁକସ୍ ନିକେଟରଙ୍କୁ ପରାଜିତ କରି ହେରାତ୍, କାନ୍ଧାହାର ଏବଂ କାବୁଲକୁ ଭାରତର ଅଂଶ ବନାଇଥିଲେ। ସମ୍ରାଟ ଅଶୋକଙ୍କ ସମୟରେ ଏହି ସାମ୍ରାଜ୍ୟ ନିଜର ଚରମ ସୀମାରେ ପହଞ୍ଚିଥିଲା।
ପତନର କାଳ: ଖଣ୍ଡ-ଖଣ୍ଡ ହେଉଥିବା ଭାରତ
ବିଦେଶୀ ଆକ୍ରମଣ ଏବଂ ଆଭ୍ୟନ୍ତରୀଣ କଳହ ଯୋଗୁଁ ଅଖଣ୍ଡ ଭାରତର ସ୍ୱରୂପ ଧୀରେ ଧୀରେ ସଙ୍କୁଚିତ ହେବାକୁ ଲାଗିଲା।
୧୮୭୬: ଆଫଗାନିସ୍ତାନ ଅଲଗା ହେଲା।
୧୯୦୪: ନେପାଳକୁ ଏକ ସ୍ୱତନ୍ତ୍ର ରାଷ୍ଟ୍ରର ମାନ୍ୟତା ମିଳିଲା।
୧୯୦୬: ଭୁଟାନ ଏକ ସ୍ୱତନ୍ତ୍ର ୟୁନିଟ୍ ଭାବେ ଉଭା ହେଲା।
୧୯୩୫: ଶ୍ରୀଲଙ୍କାକୁ ଅଲଗା କରାଗଲା।
୧୯୩୭: ବ୍ରହ୍ମଦେଶ ଅଲଗା ହେଲା।
୧୯୪୭: ଧର୍ମ ଆଧାରରେ ପାକିସ୍ତାନର ଗଠନ
୧୯୭୧: ବାଂଲାଦେଶ ଏକ ନୂଆ ଦେଶ ଭାବେ ଜନ୍ମ ନେଲା।
ବିଭାଜନ ପୂର୍ବରୁ ଅଖଣ୍ଡ ଭାରତର କ୍ଷେତ୍ରଫଳ ପ୍ରାୟ ୭.୧୩ ମିଲିୟନ ବର୍ଗ କିଲୋମିଟର ଥିଲା, ଯାହା ବର୍ତ୍ତମାନର ଭାରତ (୩.୨୯ ମିଲିୟନ ବର୍ଗ କିଲୋମିଟର) ତୁଳନାରେ ଦୁଇଗୁଣରୁ ଅଧିକ।
ପାକିସ୍ତାନୀ ନେତାଙ୍କ ଅଖଣ୍ଡ ଭାରତ କଟାକ୍ଷ କଣ?
ଇରାନ-ଆମେରିକା ଯୁଦ୍ଧ ମଧ୍ୟରେ ୟୁଏଇ ପାକିସ୍ତାନକୁ ଦେଇଥିବା ୩.୫ ବିଲିୟନ ଡଲାରର ଋଣ ୩୦ ଏପ୍ରିଲ ସୁଦ୍ଧା ଫେରସ୍ତ କରିବାକୁ କହିଛି। ଏଥିରେ ପାକିସ୍ତାନ ସାଂସଦ ମୁଶାହିଦ ହୁସେନ ୟୁଏଇକୁ ଡରାଇବାକୁ ଯାଇ କହିଛନ୍ତି, ‘ୟୁଏଇର ଲୋକମାନେ ଏବେଠାରୁ ସତର୍କ ହୋଇଯାଅ। ତୁମର ମୋଟ ଜନସଂଖ୍ୟା ଏକ କୋଟି, ସେଥିମଧ୍ୟରୁ ପ୍ରାୟ ଅଧା ଭାରତୀୟ। ସତର୍କ ହୁଅ ନଚେତ୍ ଅଖଣ୍ଡ ଭାରତର ଅଂଶ ହୋଇଯିବ।’