ଖବର ଓଡିଶା : 18/03/2023
ନିଜର ବେଧଡ଼କ ରିପୋର୍ଟିଂ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ୟୁଟ୍ୟୁବର ମନୀଷ କଶ୍ୟପ ବିହାର ପୁଲିସ୍ ନିକଟରେ ଆତ୍ମସମର୍ପଣ କରିବା ପରେ ଗିରଫ ହୋଇଛନ୍ତି। ଏହାପରେ ଏବେ ତାମିଲନାଡୁ ପୋଲିସର ଏକ ୪ଜଣିଆ ଟିମ୍ ମନୀଷଙ୍କୁ ଗିରଫ କରିବାକୁ ପାଟନାରେ ପହଂଚିଛି । କୁହାଯାଉଛି କି ଗିରଫ କରିବା ପରେ ତାଙ୍କୁ ତାମିଲନାଡୁ ପୋଲିସ ଦୁଇଦିନିଆ ଟ୍ରାନଜିଟ୍ ରିମାଣ୍ଡରେ ନେବ । ଏହାସହ ମନୀଷଙ୍କ ନାମରେ ଦକ୍ଷିଣ ରାଜ୍ୟଗୁଡିକରେ ମଧ୍ୟ ଅଭିଯୋଗ ରହିଛି । ଜାଲ୍ ଭିଡିଓ ପ୍ରସ୍ତୁତି ଅଭିଯୋଗରେ ବିହାର ଓ ତାମିଲନାଡୁ ପୁଲିସ ତାଙ୍କ ନାଁରେ କେତେଗୁଡ଼ିଏ ମାମଲା ରୁଜୁ କରିଥିଲେ। ମନୀଷଙ୍କ ଗିରଫଦାରି ହେଉଛି ଏହି ମାମଲାରେ ତୃତୀୟ ଗିରଫଦାରି। ମନୀଷଙ୍କ ସମ୍ପତ୍ତି ‘ଆଟାଚ୍’ କରିବା ଲାଗି ବିହାର ପୁଲିସ ଓ ତା’ର ଆର୍ଥିକ ଅପରାଧ ୟୁନିଟ୍ ତାଙ୍କ ବାସଭବନରେ ପହଞ୍ଚିବାରୁ ସେ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ତାଙ୍କୁ ପଶ୍ଚିମ ଚମ୍ପାରଣ ଜିଲ୍ଲାର ବେତ୍ତିୟା ଅନ୍ତର୍ଗତ ଜଗଦୀଶପୁର ଥାନାରେ ଗିରଫ କରାଯାଇଛି। ତାମିଲନାଡୁରେ ପ୍ରବାସୀ ବିହାରୀ ଶ୍ରମିକଙ୍କ ଉପରେ କଥିତ ଆକ୍ରମଣର ନକଲି ଭିଡିଓ ସୋସିଆଲ ମିଡିଆରେ ସେୟାର କରିବା ମାମଲାରେ ମନୀଷଙ୍କ ନାମରେ ବିହାର ଓ ତାମିଲନାଡୁ ରାଜ୍ୟରେ ଅଭିଯୋଗ ହୋଇଛି । ଏନେଇ ଯାଂଚକର୍ତ୍ତା ବାରମ୍ବାର ଚେଷ୍ଟା କରିବା ପରେ ମଧ୍ୟ ମନୀଷ ଆର୍ଥିକ ଅପରାଧ ଶାଖାର ଅଧିକାରୀଙ୍କ ନିକଟରେ ହାଜର ହୋଇ ନଥିଲେ । ଏହାପରେ ମନୀଷଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯାଇଥିଲା । ଏହାପରେ ବିିଭାଗ ପକ୍ଷରୁ ମନୀଷଙ୍କର ବିଭିନ୍ନ ଠିକଣାରେ ଚଢାଉ କରାଯାଇଥିଲେ ବି ମନୀଷଙ୍କୁ ଧରିବାରେ ସକ୍ଷମ ହୋଇ ନଥିଲା ବିଭାଗ । ୨୦୧୬ରେ ସିଭିଲ ଇଞ୍ଜିନିୟରିଂ ସାରି ସେ ୟୁଟ୍ୟୁବରେ ବିଭିନ୍ନ ପ୍ରକାରର ରିପୋର୍ଟିଂ କରି ଭିଡିଓ ପୋଷ୍ଟ କରିଥିଲେ। ତାଙ୍କର କିଛି ଭିଡିଓ ମଧ୍ୟ ସୋଶାଲ ମିଡିଆରେ ଅନେକ ସମୟରେ ଭାଇରାଲ ହୋଇଥାଏ।