ଭୁବନେଶ୍ୱର: କାଳବୈଶାଖୀ ପରେ ରାଜ୍ୟରେ ଆରମ୍ଭ ହୋଇଯାଇଛି ଗ୍ରୀଷ୍ମ ପ୍ରବାହ । ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ପାଇଁ ଲୋକମାନେ ହନ୍ତସନ୍ତ ହେଉଛନ୍ତି । ଦିନକୁ ଦିନ ତାପମାତ୍ରା ଉପରମୁହାଁ ହେବାରେ ଲାଗିଛି । ଆଜି ପାଇଁ ଉପକୂଳ ଓଡ଼ିଶା ସମେତ ନୟାଗଡ଼, ଗଜପତି ଜିଲ୍ଲା ଓ ଆସନ୍ତା ୧୦ ଓ ୧୧ ତାରିଖରେ ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ବୌଦ୍ଧ ଜିଲ୍ଲାର ଅନେକାଂଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରି ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଅଧିକାଂଶ ସ୍ଥାନରେ ତାପମାତ୍ରା ରେକର୍ଡ ଭାଙ୍ଗିବାର ମଧ୍ୟ ସୂଚନା ମିଳିଛି । ସେଥିପାଇଁ ଲୋକମାନଙ୍କୁ ଅତି ଜରୁରୀ କାମ ନ ପଡିଲେ ବାହାରକୁ ବାହାରିବା ପାଇଁ ବାରଣ କରାଯାଇଛି । ସତର୍କତା ଅବଲମ୍ବନ କରି ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଉପକୂଳ ଜିଲ୍ଲାଗୁଡ଼ିକର ଗୋଟିଏ ଦୁଇଟି ସ୍ଥାନରେ ସ୍ବାଭାବିକ ଠାରୁ ଦିନ ଓ ରାତି ତାପମାତ୍ରା ପ୍ରାୟ ୨ ଡିଗ୍ରି ବୃଦ୍ଧି ପାଇବ ।