ପୁରୀ: ଆଜି କାର୍ତ୍ତିକ କୃଷ୍ଣ ପକ୍ଷ ନବମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ବିତୀୟ ଭୋଗମଣ୍ତପ ଭୋଗ ଶେଷ ହେବା ପରେ ଆପାତତଃ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଦତ୍ତ ମହାପାତ୍ର ସେବାୟତମାନଙ୍କ ଦ୍ୱାରା ଏହି ନୀତି ଅନୁଷ୍ଠିତ ହେବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଏହି ସମୟରେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେବେ । ରାତି ୧୦ଟା ପରେ ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କ ଦର୍ଶନ କରିପାରିବେ। ଏହି ନୀତି ସମୟରେ ଶ୍ରଦ୍ଧାଳୁମାନେ ପାର୍ଶ୍ଵ ଦେବଦେବୀଙ୍କ ଦର୍ଶନ କରିପାରିବେ । ବନକଲାଗି ନୀତି ପରେ ମହାପ୍ରଭୁଙ୍କ ଶ୍ରୀମୁଖ ଝଲସି ଉଠିଥାଏ ।
ଶ୍ରୀଜୀଉଙ୍କ ବନକଲାଗି ନୀତି ଏକ ଗୁପ୍ତନୀତି । ଦ୍ବିପ୍ରହର ଧୂପ ଶେଷ ହେବା ପରେ ମନ୍ଦିରର ସମସ୍ତ ଦରଜା ବନ୍ଦ କରାଯାଇ ଏହି ନୀତି ସମ୍ପନ୍ନ କରାଯାଏ। ଦତ୍ତମହାପାତ୍ର ସେବକମାନଙ୍କ ଦ୍ୱାରା ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯାଏ । ଉକ୍ତ ସେବକମାନେ ସେଥିପାଇଁ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରିଥାନ୍ତି। ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ପ୍ରାକୃତିକ ରଙ୍ଗରେ ଶ୍ରୀଜୀଉଙ୍କ ଶ୍ରୀମୁଖ ଶୃଙ୍ଗାର କରାଯାଏ । ଏହି ସମୟରେ ଭକ୍ତମାନେ ଅନ୍ୟ ପାର୍ଶ୍ଵ ଦେବାଦେବୀଙ୍କ ଦର୍ଶନ କରିପାରିବେ ।