କଟକ : ବାରବାଟୀ ଟି ଟ୍ବେଣ୍ଟି ମ୍ୟାଚ ପାଇଁ ଅଫଲାଇନ୍ ଟିକେଟ ବିକ୍ରି ପୂର୍ବରୁ ଡିସିପି ସମୀକ୍ଷା କରିଛନ୍ତି। ୫ ତାରିଖରେ ସାଧାରଣ ଦର୍ଶକ ମାନଙ୍କ ପାଇଁ ହେବାକୁ ଥିବା କାଉଣ୍ଟର ଟିକେଟ ବିକ୍ରି ପାଇଁ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ଭିଡ ନିୟନ୍ତ୍ରଣ କରିବା ପାଇଁ ଜିଗଜାଗ୍ ବ୍ୟାରିକେଡ ତିଆରି କରାଯାଇଛି । ଓସିଏର ଏକାଡେମୀ ପଡ଼ିଆରେ ପାଖାପାଖି ୧୦ ହଜାର ଲୋକ ରହିବା ଭଳି ବ୍ୟାରିକେଡ୍ କରାଯାଇଛି।
ସେହିଭଳି ଏକ କିଲୋମିଟର ଲମ୍ବା ବ୍ୟାରିକେଡ କରାଯାଇଛି। ଲୁହାରେ ନିର୍ମିତ ଏହି ବ୍ୟାରିକେଡର ନିର୍ମାଣ କାର୍ଯ୍ୟର ତଦାରଖ କଟକ ଡି ସି ପି ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ମାନେ କରିଛନ୍ତି। କ୍ରିକେଟ ଏକାଡେମୀ ପଟୁ ପ୍ରବେଶ, ପ୍ରସ୍ଥାନ ଗେଟ୍ ଅଲଗା ରହିବ। କିଭଳି ଭାବେ ଶୃଙ୍ଖଳିତ ଭାବେ ଧାଡ଼ିରେ ରହି ଟିକେଟ କିଣିବେ ସେଥିପାଇଁ ଅନୁଧ୍ୟାନ କରାଯାଉଛି। ୫ ତାରିଖ ଦିନ ସକାଳ ୯ଟାରେ ଟିକେଟ ବିକ୍ରି ଆରମ୍ଭ ହେବ । ତେଣୁ ସକାଳ ୬ଟାରୁ ଧାଡ଼ିରେ ରହିବାକୁ ଅନୁମତି ମିଳିବ । ଆଗୁଆ ଟିକେଟ କିଣିବା ପାଇଁ କେହି ପୂର୍ବ ରାତିରୁ ଧାଡ଼ିରେ ରହି ପାରିବେନି। କଳାବଜାରୀ ଉପରେ ସ୍ବତନ୍ତ୍ର ନଜର ରଖାଯିବ। ସାଦା ପୋଷାକରେ ପୋଲିସ ରହିବେ ବୋଲି କଟକ ଡିସିପି କହିଛନ୍ତି। ସିସିଟିଭି ସର୍ଭେଲାନ୍ସରେ ରହିବ ଟିକେଟ ବିକ୍ରି ପ୍ରକ୍ରିୟା।ସେହିଭଳି ଓସିଏ ଅଫିସିଆଲ୍ ମଧ୍ୟ ଏହି ବ୍ୟାରିକେଟ୍ ତିଆରିର ଯାଞ୍ଚ କରିଛନ୍ତି।