ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ର ନିଜର ପ୍ରଥମ ଦୁଇଟି ମ୍ୟାଚରେ ରାଜସ୍ଥାନ ରୟାଲ୍ସର ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଖୁବ ମହଙ୍ଗା ସାବ୍ୟସ୍ତ ହୋଇ ୧୦୯ ରନ ଦେଇଥିଲେ । ପ୍ରଥମ ମ୍ୟାଚରେ ୭୬ ରନ ଓ ଦ୍ୱିତୀୟ ମ୍ୟାଚରେ ୩୩ ରନ ଦେଇଥିଲେ । କୁହାଯାଉଥିଲା ଖରାପ ଫର୍ମ କାରଣରୁ ଜୋଫ୍ରା ଆର୍ଚରଙ୍କୁ ବେଞ୍ଚରେ ବସାଇ ରାଜସ୍ଥାନ ଅନ୍ୟ ଖେଳାଳିଙ୍କୁ ସୁଯୋଗ ଦେବ । କାରଣ ଦଳରେ ଫଜଲହକ ଫାରୁକି ଓ କ୍ୱେନା ମଫାକା ପରି ଦ୍ରୁତ ବୋଲର ରହିଛନ୍ତି । କିନ୍ତୁ ରାଜସ୍ଥାନ ନିଜର ଏହି ପ୍ରମୁଖ ଦ୍ରୁତ ବୋଲରଙ୍କୁ ସମର୍ଥନ ଦେଇ ତୃତୀୟ ମ୍ୟାଚ୍ ଖେଳିବାକୁ ସୁଯୋଗ ଦେଲା । ଆଉ ଜୋଫ୍ରା ନିଜର ଏହି ଫ୍ରାଞ୍ଚାଇଜର ଭରସାକୁ ଭାଙ୍ଗିବାକୁ ଦେଇ ନ ଥିଲେ । ଆଉ ଏକ କମାଲ ରେକର୍ଡ ନିଜ ନାଁରେ କରିଛନ୍ତି ।
ଆର୍ଚର ଆଇପିଏଲ ୨୦୨୫ର ପ୍ରଥମ ଦୁଇଟି ମ୍ୟାଚରେ ୧୦୯ ରନ ଦେଇଥିଲେ । ଆଉ ସେହି ଆର୍ଚର ଆଇପିଏଲ ସିଜିନ ୧୮ରେ ପ୍ରଥମ ମେଡେନ ଓଭର ଦେଇଛନ୍ତି । ଆର୍ଚର ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଗୌହାଟୀ ମଇଦାନରେ ଦ୍ୱିତୀୟ ଇନିଂସର ପ୍ରଥମ ଓଭର ବୋଲିଂ କରିଥିଲେ । ଏହି ଓଭରରେ ସେ ରଚିନ ରବୀନ୍ଦ୍ରଙ୍କୁ ଆଉଟ୍ କରି କୌଣସି ରନ ଦେଇ ନ ଥିଲେ । ତେଣୁ କୁହାଯାଇ ପାରିବ ଯେ, ସେ ଏହି ସିଜିନରେ ଯେମିତି ଖରାପ ଆରମ୍ଭ କରିଥିଲେ, ଠିକ୍ ସେହିପରି ଦମଦାର ପ୍ରତ୍ୟାବର୍ତ୍ତନ ମଧ୍ୟ କରିଛନ୍ତି । ସେ ଚେନ୍ନାଇ ବିପକ୍ଷ ମ୍ୟାଚରେ ୩ ଓଭରରେ ମାତ୍ର ୧୩ ରନ ଦେଇଥିଲେ ।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ପ୍ରଥମ ମ୍ୟାଚରେ ହାଇଦ୍ରାବାଦ ବିପକ୍ଷରେ ଜୋଫ୍ରା ଆର୍ଚର ୪ ଓଭରରେ ୭୬ ରନ ଦେଇଥିଲେ । ଏହା ପରେ କୋଲକାତା ବିପକ୍ଷରେ ୨.୩ ଓଭରରେ ୩୩ ରନ ଦେଇ ପୁଣି ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ଏହି ପରି ସେ ୬.୩ ଓଭରରେ ୧୦୯ ଦେଇଥିଲେ । ଆଉ ସେହି ବୋଲର ପରବର୍ତ୍ତୀ ମ୍ୟାଚରେ ଆଇପିଏଲ୍ ୨୦୧୮ର ପ୍ରଥମ ମେଡେନ ଓଭର ଫିଙ୍ଗିବା ସହ ୩ ଓଭରରେ ମାତ୍ର ୧୩ ରନ ଦେଇଛନ୍ତି । ଯଦି ଚେନ୍ନାଇ ବିପକ୍ଷ ମ୍ୟାଚରେ ଖରାପ ପ୍ରଦର୍ଶନ ଦୋହରାଇଥାନ୍ତେ ତେବେ ତାଙ୍କୁ ଚୂଡାନ୍ତ ଏକାଦଶରୁ ବାଦ୍ ଦିଆଯିବା ସ୍ପଷ୍ଟ ଲାଗୁଥିଲା ।