ନୂଆଦିଲ୍ଲୀ: ଅନେକ ମାସ ହେବ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ଘୁଞ୍ଚି ଚାଲିଛି । ଏହାର ସବୁଠୁ ବଡ କାରଣ ଆରଏସଏସ ସହ ବଜେପିର ଶୀର୍ଷ ନେତୃତ୍ୱଙ୍କ ମଧ୍ୟରେ ମତଭେଦ । ହେଲେ ଗତ କିଛି ମାସ ହେବ ସମ୍ବନ୍ଧ ସ୍ୱାଭାବିକ ପାଇଁ ଉଭୟ ପକ୍ଷରୁ ଉଦ୍ୟମ ଜାରି ରହିଛି । ଆରଏସଏସ ଓ ବିଜେପିର ଶୀର୍ଷ ନେତୃତ୍ୱ ଏହାର ଦାୟିତ୍ୱ ନେଇଛନ୍ତି । ଏବେ ଆଶା କରାଯାଉଛି ଯେ, ବିଜେପିର ନୂଆ ଅଧ୍ୟକ୍ଷଙ୍କ ନାଁ ଶୀଘ୍ର ଘୋଷଣା କରିପାରେ ପାର୍ଟି ।
୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଯେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଆରଏସଏସର ଆବଶ୍ୟକତାକୁ ନେଇ ବୟାନ ଦେଲେ ସଭିଏ ଚକିତ ହୋଇ ପଡିଥିଲେ । ଆରଏସଏସ ଏମିତି ବୟାନକୁ ନାପସନ୍ଦ କରିଥିଲା । ଏହାର ପରିଣାମ ଗେରୁଆ ଦଳକୁ ଲୋକସଭା ନିର୍ବାଚନରେ ଦେଖିବାକୁ ମିଳିଥିଲା । ବିଜେପି ୨୪୦ ସିଟ ତଳକୁ ଖସି ଆସିଥିଲା । ପୂରା ନିର୍ବାଚନରେ ବିଜେପି ୪୦୦ ସିଟର ନାରା ଦେଇଥିଲା । କୁହାଯାଉଛି ଗତ ନିର୍ବାଚନରେ ବିଜେପି ଓ ଆରଏସଏସ ମଧ୍ୟରେ ଉତ୍ତମ ସମନ୍ୱୟ ଦେଖିବାକୁ ମିଳି ନ ଥିଲା । ଉଲ୍ଲେଖନୀୟ ଜେପି ନଡ୍ଡା କହିଥିଲେ, ବିଜେପିକୁ ଏବେ ସଂଘର ଆବଶ୍ୟକତା ନାହିଁ ।
ତେବେ ଅଗଷ୍ଟ ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧିତ କରି ଆରଏସଏସର ପ୍ରଶଂସା କରିବା ସହ ଏହାକୁ ଦୁନିଆର ସବୁଠୁ ବଡ ଏନଜିଓ ବୋଲି ଉଲ୍ଲେଖ କରିଥିଲେ । ଏହା ପରେ ମୋହନ ଭାଗବତ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆରଏସଏସର ଏକ କାର୍ଯ୍ୟକ୍ରମରେ ସ୍ପଷ୍ଟ ଶବ୍ଦରେ କହିଥିଲେ ଯେ, ରାଜନୀତି ହେଉ କି ସମାଜ ସେବା ହେଉ ଏଥିରେ ଅବସର ନେବାର କୌଣସି ବୟସ ନ ଥିଲା । ଏହା ପୂର୍ବରୁ ସଂଘ ପ୍ରମୁଖ କହିଥିଲେ, ୭୫ ବର୍ଷରେ ଲୋକଙ୍କୁ ନିଜ ଆଡୁ ଅବସର ନେଇଯିବା ଉଚିତ୍ ।
ବିଜେପିର ନେତା ଓ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ବୟାନରେ ବିଜେପି ଓ ଆରଏସଏସ ମଧ୍ୟରେ ସଂପର୍କ ସ୍ୱାଭାବିକ ହେବାର ସଙ୍କେତ ମିଳିଛି । ଏବେ ଏହାର ସମ୍ଭାବନା ଅଧିକ ରହିଛି ଯେ, ଦୁହେଁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନାମରେ ଅନ୍ତିମ ମୋହର ମାରି ପାରନ୍ତି । ହେଲେ ସଂଘ ଅନେକ ସମୟରେ କହି ଆସିଛି ଯେ, ସରକାର କିମ୍ବା ବିଜେପିର କାର୍ଯ୍ୟରେ ଆରଏସଏସ ହସ୍ତକ୍ଷେପ କରେ ନାହିଁ ।
ଆରଏସଏସ ଓ ବିଜେପି ମଧ୍ୟରେ ସ୍ୱାଭାବିକ ସଂପର୍କ ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରେ ଅନେକ ନାଁକୁ ନେଇ ଚର୍ଚ୍ଚା ହେଉଛି । ଏଥିରେ ସବୁଠୁ ଆଗରେ ଅଛନ୍ତି କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ । ଅନ୍ୟପଟେ ନୀତିନ ଗଡକରୀଙ୍କ ନାଁରେ ମଧ୍ୟ ଆଲୋଚନା ଚାଲିଛି । ଏହା ବ୍ୟତୀତ କେନ୍ଦ୍ର ମନ୍ତ୍ରୀ ତଥା ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ମଧ୍ୟ ଦୌଡରେ ରହିଛି । ତେବେ ବିଜେପି ସର୍ବଦା ନିଜ ନିଷ୍ପତ୍ତିରେ ରାଜନୈତିକ ବିଷାରଦଙ୍କୁ ଚକିତ କରି ଆସିଛି । ଏବେ ଦେଖିବାକୁ ବାକି ରହିଲା, ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ କିଏ ହେଉଛନ୍ତି ।