ସୋସିଆଲ ମିଡିଆରେ ଗାଳି ଦେଲେ ଜେଲରେ କଟିବ ଦିନ। କାରଣ ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ଓ ଅପଶବ୍ଦ ବ୍ୟବହାରକୁ ନେଇ ଏବେ ସରକାର କଠୋର ମନୋଭାବ ନେଇଛନ୍ତି। ଆଗାମୀ ଦିନରେ ଏପରି କାର୍ଯ୍ୟ କରିଲେ କେବଳ ସତର୍କତା ନୁହେଁ, ସିଧାସଳଖ ଆଇନଗତ କାର୍ଯ୍ୟାନୁଷ୍ଠାନ ସାମ୍ନା କରିବାକୁ ପଡିପାରେ। ଏପରି ଏକ କଠୋର ଆଇନ ଆଣିବାକୁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି।
ରାଜ୍ୟର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସ୍ପଷ୍ଟ କରିଛନ୍ତି ଯେ, ସୋସିଆଲ ମିଡିଆରେ ଦିନକୁ ଦିନ ଅସଭ୍ୟତା ବଢ଼ୁଛି। ଅନେକ ଲୋକ ନିଜ ସୀମା ଉଲ୍ଲଂଘନ କରି ଅପଶବ୍ଦ ବ୍ୟବହାର କରୁଛନ୍ତି, ଯାହା ସମାଜରେ ଖରାପ ପ୍ରଭାବ ପକାଉଛି। ମନ୍ତ୍ରୀ କହିଛନ୍ତି, ସୋସିଆଲ ମିଡ଼ିଆ କୁତ୍ସିତ ହେବାକୁ ଆରମ୍ଭ ହେଲାଣି। କିଛି ଲୋକ ଅଭଦ୍ର ମାନସିକତା ଦେଖାଉଛନ୍ତି। ଏହାର ପ୍ରକୃତ ଚିକିତ୍ସା ହେବା ଦରକାର। ଏହାକୁ ରୋକିବା ପାଇଁ “Prevention of Hate Speech and Hate Crime Act” ଆଣିବାକୁ ପ୍ରସ୍ତାବ ରହିଛି।
ଏହି ଆଇନ ଲାଗୁ ହେଲେ, କେବଳ ସୋସିଆଲ ମିଡିଆ ନୁହେଁ, ସର୍ବସାଧାରଣ ସ୍ଥାନରେ ମଧ୍ୟ ଅପଶବ୍ଦ ବ୍ୟବହାର କଲେ ଲୋକମାନେ ଆଇନର ଜାଳରେ ପଡିପାରିବେ। ଆଇନ କମିଶନ ମଧ୍ୟ ଏହି ଦିଗରେ ଏକ ବିସ୍ତୃତ ପ୍ରସ୍ତାବ ଦେଇଛି, ଯାହା ଆଧାରରେ ଶୀଘ୍ର ନୂତନ ନିୟମ ଆସିପାରେ।
ବିଶେଷକରି ଯୁବପିଢ଼ି ମଧ୍ୟରେ ସୋସିଆଲ ମିଡିଆର ବ୍ୟବହାର ବଢ଼ିଥିବା ବେଳେ, ଭାଷାର ଅନିୟନ୍ତ୍ରିତ ବ୍ୟବହାର ନେଇ ଚିନ୍ତା ବଢ଼ିଛି। ମନ୍ତ୍ରୀଙ୍କ କହିବା ଅନୁସାରେ, ଏହା କେବଳ ଆଇନର ପ୍ରଶ୍ନ ନୁହେଁ, ସମାଜିକ ଶିଷ୍ଟାଚାରର ମଧ୍ୟ ଅଂଶ।
ସରକାରଙ୍କ ଏହି ପଦକ୍ଷେପକୁ କେହି ସ୍ୱାଗତ କରୁଥିବା ବେଳେ, କେହି ଏହାକୁ ମତ ପ୍ରକାଶର ସ୍ୱାଧୀନତା ଉପରେ ପ୍ରଭାବ ପକାଇପାରେ ବୋଲି ମତ ଦେଉଛନ୍ତି। ତଥାପି ଏହା ସ୍ପଷ୍ଟ ଯେ ଆଗାମୀ ଦିନରେ ସୋସିଆଲ ମିଡିଆରେ ଅଶ୍ଳୀଳ ଏବଂ ଅପଶବ୍ଦ ବ୍ୟବହାର କଲେ, ତାହାର ମୂଲ୍ୟ ଦେବାକୁ ପଡିବ।
ଅଧିକ ପଢନ୍ତୁ: ରାଜ୍ୟରେ ୧୩୬୩ ଜୁନିଅର ରେଭେନ୍ୟୁ ଆସିଷ୍ଟାଣ୍ଟ ନିଯୁକ୍ତିକୁ ମଞ୍ଜୁରୀ; ୩୦ ଜିଲ୍ଲାରେ ଚାକିରି ସୁଯୋଗ, ଶୀଘ୍ର ଆରମ୍ଭ ଆବେଦନ