ଯାଇଥିଲେ ସ୍କୁଲ ଆଉ ଫେରିଲେ ମଶାଣୀକୁ . . ଦୁର୍ଘଟଣା ସାଜିଲା ଯମ ଦଉଡି । ଚାଲିଗଲା ୩ ନିଷ୍ପାପ ପିଲାଙ୍କ ଜୀବନ । ଏବେ ନିରବି ଯାଇଛି ପୁରା ଗାଁ । କାନ୍ଦୁଛନ୍ତି ପରିବାର, ଝୁରି ହେଉଛନ୍ତି ଆତ୍ମୀୟ ସ୍ୱଜନ ଓ ସାଙ୍ଗସାଥି । ଗାଁ ଦାଣ୍ଡରେ ଯିଏ ବି ଛିଡା ହେଇଛି ତା ମୁହଁରେ ଭାଷା ନାହିଁ । କରୁଣ ଚିତ୍କାରରେ ଫାଟି ପଡୁଛି ଘର । ଏବେ ଏଭଳି କିଛି ସ୍ଥିତି ରହିଛି ସୁବର୍ଣ୍ଣପୁର ଜିଲ୍ଲାର ସରଧାପାଲିରେ ।
ଏକୋଇର ବେଳା ବିସିକେଶନ ସୁବ୍ରତକୁ ହରାଇ ଘର ଭିତରେ ଛାଟିପିଟି ହୋଇ କାନ୍ଦୁଛନ୍ତି ତାର ମା । କେବଳ ସୁବ୍ରତର ମା କି ପରିବାର ନୁହେଁ ଗାଁ ର ତିନିଜଣ ନିଷ୍ପାପ ପିଲାଙ୍କ ଆକସ୍ମିକ ମୃତ୍ୟୁ ପରେ ଏବେ ପୁରା ଗାଁ କାନ୍ଦୁଛି । କାଲିଠାରୁ ଗାଁରେ କାହାଘରେ ଚୁଲି ଜଳିନି ।
ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ସରଧାପାଲି ଛକରେ ସଡକ ଦୁର୍ଘଟଣାରେ ତିନିଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଗାଁ ସ୍କୁଲରୁ ପରୀକ୍ଷା ଦେଇ ବାହାରିବା ସମୟରେ ସ୍କୁଲ ଫାଟକ ସାମନାରେ ସେମାନଙ୍କୁ ଏକ ଗାଡି ଧକ୍କା ଦେଇଥିଲା । ଯେଉଁଥିରେ ତିନି ସାଙ୍ଗ ସାଥିହୋଇ ଅରପାରିକୁ ଚାଲିଯାଇଥିବାବେଳେ ଅନ୍ୟ ଜଣେ ଛାତ୍ର ମୃତ୍ୟ ମୁଖରୁ ଅଳ୍ପକେ ବଂଚିଯାଇଛି ।
ସରଧାପାଲି ଛକରେ ଏଭଳି ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଦୀର୍ଘ ସମୟଧରି ଉତ୍ତେଜନା ଲାଗି ରହିଥିଲା । ମୃତକଙ୍କ ପରିବାର ବର୍ଗଙ୍କୁ କ୍ଷତିପୁରଣ ଦାବିରେ ଘଟଣାସ୍ଥଳରେ ମୃତକଙ୍କ ଶବରଖି ୬ ଘଂଟାଧରି ରାସ୍ତା ଅବରୋଧ କରିଥିଲେ ଗ୍ରାମବାସୀ । ପରେ ପୋଲିସ ଓ ପ୍ରଶାସନ ଆସି ଆନ୍ଦୋଳନକାରୀଙ୍କ ସହ ଆଲୋଚନା ଓ ସହାୟତାର ପ୍ରତିଶୃତି ପରେ ରାସ୍ତାରୋକ ହଟିଥିଲା ।
ହେଲେ ତା’ପରର ଦୃଶ୍ୟ ସତରେ ଖୁବ୍ ହୃଦୟବିଦାରକ । ରାତିରେ ଗାଁ ନଦୀ ପଠାରେ ଶବଶତ୍କାର ପାଇଁ ସବୁ ପ୍ରସ୍ତୁତି ପରେ ସୁବ୍ରତର ବାପା ପୁଅର ଶବରେ ଅଗ୍ନି ସଂଯୋଗ କରିଛନ୍ତି । ଦୁଇ ଝିଅ ପରେ ବହୁ ପୂଜାପାଠ କରି ପାଇଥିଲେ ଏହିପୁଅକୁ । ଭାବିଥିଲେ ମୃତ୍ୟୁବେଳେ ପୁଅ ତାଙ୍କ ମୁହଁରେ ନିଆଁ ଦେବ। ହେଲେ ବିଧିର ବିଧାନ କିଛି ଅଲଗା ଥିଲା । ପୁଅ ବଦଳରେ ଏବେ ବାପା, ପୁଅ ମୁହଁରେ ନିଆଁଦେଇଛି ।
ସେପଟେ ତିନି ନିଷ୍ପାପ ଶିଶୁଙ୍କ ଶବସତ୍କାର ସରିଛି । ଏଭଳି ଏକ ଦୁର୍ଘଟଣାକୁ ଗାଁଲୋକେ ସହଜରେ ନେଇ ପାରୁନଥିବାବେଳେ ଦୋଷୀ ଗାଡି ଡ୍ରାଇଭର ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ସରଧାପାଲି ଛକରେ ଟ୍ରାଫିକ ବ୍ୟବସ୍ଥା ସୁଧାରିବାକୁ ଦାବୀ କରିଛନ୍ତି ।