ମରାମତି ହେବ ମହାପ୍ରଭୁଙ୍କ ରତ୍ନ ପଲଙ୍କ । ସିଂହଦ୍ୱାର ରୂପା ଛାଉଣୀ କରିବାକୁ ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଛି । ଉଭୟ କାର୍ଯ୍ୟ ରଥଯାତ୍ରା ଅବଧି ମଧ୍ୟରେ ସାରିବାକୁ ନିଷ୍ପତ୍ତି ହୋଇଛି । ରୁପା ଛାଉଣୀ ପାଇଁ ଆବଶ୍ୟକ ରୂପା ଦାତା ଯୋଗାଇ ଦେବେ । କେତେ ରୂପା ଲାଗିବ ଜଣାଇଲା ପରେ ଦାତା ଦେବେ । ସେ ସମୟରେ ଉତ୍ତର ଦ୍ୱାର ଦେଇ ପ୍ରବେଶ ବ୍ୟବସ୍ଥା ହେବ । ରଥଯାତ୍ରା ସମୟରେ ରୁପା ଦ୍ୱାରା ଆଚ୍ଛାଦିତ ହେବ ସିଂହଦ୍ୱାର । ଅନ୍ୟ ୮ ଟି ଦ୍ୱାର ଓ ଜୟବିଜୟ, ବେହରଣ ଦ୍ୱାର ଭଳି ରୁପା ଛାଉଣି ହେବ ସିଂହଦ୍ୱାର । ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।
ସୂଚନା ଅନୁଯାୟୀ, ମହାପ୍ରଭୁଙ୍କ ଗଜଦନ୍ତ ରତ୍ନ ପଲଙ୍କ ପୁରୁଣା ହେଲାଣି। ପଲଙ୍କର ଗୋଡ଼ ସହ ଅନ୍ୟାନ୍ୟ ସ୍ଥାନ ସବୁ ଭାଙ୍ଗି ଦୋହଲିଲାଣି; ଲାଗିଥିବା ରୁପା ଛାଡ଼ିଗଲାଣି। ଦୈନିକ ଭଙ୍ଗା ପଲଙ୍କରେ ମହାପ୍ରଭୁ ଶୋଉଛନ୍ତି। ଆଉ ଏହି ଭଙ୍ଗା ପଲଙ୍କରେ ସବୁ ନୀତିକାନ୍ତି ହେଉଛି। ସେପଟେ ଯେଉଁ ଶେଯ ପଡ଼ିଛି, ତାହା ବି ପୁରୁଣା ହୋଇଗଲାଣି ବୋଲି ଅଭିଯୋଗ ଉଠିଥିଲା। ନିକଟ ଅତୀତରେ ଶ୍ରୀମନ୍ଦିରର ବିଭିନ୍ନ ଦ୍ବାର ରୁପା ଚାଦରରେ ଆଚ୍ଛାଦିତ କରାଯାଇଥିବା ବେଳେ ମହାପ୍ରଭୁଙ୍କ ଏହି ଭଙ୍ଗା ଗଜଦନ୍ତ ପଲଙ୍କର ମରାମତି ସହ ନୂଆ ଶେଯ, ତକିଆ ଆଦି ବ୍ୟବସ୍ଥା କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ସେବାୟତମାନେ ଦାବି କରିଥିଲେ। ତେଣୁ ରଥଯାତ୍ରା ଅବଧି ସମୟରେ କାମ ସାରିବାକୁ ନିଷ୍ପତ୍ତି ନିଆଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।