ଭାରତୀୟ ଇତିହାସରେ ଯୋଡି ହୋଇଛି ନୂଆ ଅଧ୍ୟାୟ । ନୂଆ ସଂସଦ ଭବନର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପୂଜାର୍ଚ୍ଚନା ସହ ମନ୍ତ୍ର ଉଚ୍ଚାରଣରେ କମ୍ପିଲା ନୂଆ ସଂସଦ ଭବନ । ପ୍ରଧାନମନ୍ତ୍ରୀ ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ନୂଆ ସଂସଦ ଭବନ ପରିସରରେ ପହଞ୍ଚିଥିଲେ। ସେଠାରେ ଆୟୋଜିତ ପୂଜାରେ ପ୍ରଧାନମନ୍ତ୍ରୀ ଓ ବାଚସ୍ପତି ଓମ୍ ବିର୍ଲା ବସିଥିଲେ। ପୂଜା ପରେ ପ୍ରଧାନମନ୍ତ୍ରୀଙ୍କୁ ‘ସେଙ୍ଗୋଲ ’ ହସ୍ତାନ୍ତର କରାଯାଇଥିଲା। ପ୍ରଧାନମନ୍ତ୍ରୀ ‘ସେଙ୍ଗୋଲ’କୁ ଧରି ଉପସ୍ଥିତ ପୂଜକ ଓ ସାଧୁସନ୍ଥଙ୍କ ଆଶୀର୍ବାଦ ନେଇଥିଲେ। ପରେ ସେ ‘ସେଙ୍ଗୋଲ’କୁ ନେଇ ଲୋକସଭା ବାଚସ୍ପତିଙ୍କ ଚୌକି ପାଖରେ ସ୍ଥାପିତ କରିଥିଲେ। ଏହାପରେ ସର୍ବଧର୍ମ ପ୍ରାର୍ଥନା ସଭାର ଆୟୋଜନ କରାଯାଇଥିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀ ନୂତନ ସଂସଦ ଭବନ ନିର୍ମାଣରେ ଉଲ୍ଲେଖନୀୟ ଅବଦାନ ରଖିଥିବା କର୍ମଚାରୀମାନଙ୍କୁ ପ୍ରଧାନମନ୍ତ୍ରୀ ସମ୍ମାନିତ କରିଥିଲେ । ଓଡ଼ିଶା ଚାନ୍ଦିପୁରର ପୁରଞ୍ଜନ ଦଳାଇଙ୍କୁ ସମ୍ମାନିତ କରିଥିଲେ ମୋଦି । ପୁରଞ୍ଜନ ଦଳାଇ ସଂସଦ ଭବନ ନିର୍ମାଣ ବେଳେ ସମସ୍ତଙ୍କ ପାଇଁ ଚା ଜଳଖିଆ ବ୍ୟବସ୍ଥା କରିଥିଲେ ।
ଆଜି ନୂଆ ସଂସଦ ଭବନରେ ପ୍ରଦର୍ଶିତ ହେବ ପାର୍ଲାମେଣ୍ଟ ସମ୍ପର୍କିତ ଦୁଇଟି ସର୍ଟ ଫିଲ୍ମ । ଏହାପରେ ୭୫ ଟଙ୍କିଆ କଏନ ଓ ଷ୍ଟାମ୍ପକୁ ମଧ୍ୟ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ । ଦେଶର ସ୍ବାଧିନତାକୁ ୭୫ ବର୍ଷ ପୂର୍ତ୍ତି ଅବସରରେ ୭୫ ଟଙ୍କିଆ ମୁଦ୍ରାର ଲୋକାର୍ପଣ କରାଯିବ । ଏହାପରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି।