ନୂଆଦିଲ୍ଲୀ: ବାରଣାସୀର ବାସିନ୍ଦା ଆଇଏଫଏସ ଅଧିକାରୀ ନିଧି ତିୱାରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ କରାଯାଇଛି । ଡିପାର୍ଟମେଣ୍ଟ ଅଫ ପର୍ସନାଲ ଆଣ୍ଡ ଟ୍ରେନିଂ ଏହି ନିଯୁକ୍ତି ସଂପର୍କରେ ସୋମବାର ସୂଚନା ଦେଇଛି । ନିଧି ତିୱାରୀ ୨୦୧୪ ବ୍ୟାଚର ବିଦେଶ ସେବାର ଅଧିକାରୀ । ଏହା ପୂର୍ବରୁ ସେ ପିଏମଓରେ ଡେପୁଟୀ ସେକ୍ରେଟାରୀ ପଦରେ କାର୍ଯ୍ୟରତ ଥିଲେ । ମାର୍ଚ୍ଚ ୨୯ରେ ତାଙ୍କୁ ପିଏମ ମୋଦୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ କରିବାକୁ ଆଦେଶ ଦିଆଯାଇଥିଲା ।
ଆଦେଶରେ କୁହାଯାଇଛି ଯେ, କ୍ୟାବିନେଟର ନିଯୁକ୍ତି କମିଟି ଆଇଏଫଏସ ଅଫିସର ନିଧି ତିୱାରୀଙ୍କୁ ପିଏମ ମୋଦୀଙ୍କ ବ୍ୟକ୍ତିଗତ ଭାବେ ସଚିବ ପଦରେ ନିଯୁକ୍ତିକୁ ମଞ୍ଜୁରୀ ଦେଇଛି । ନିଧି ପୂର୍ବରୁ ପିଏମଓରେ ଉପ ସଚିବ ଭାବେ କାର୍ଯ୍ୟରତ ଥିଲେ । ଏହା ପୂର୍ବରୁ ସେ ବୈଦେଶିକ ମନ୍ତ୍ରଣାଳୟରେ ଅନ୍ତର୍ଜାତୀୟ ସୁରକ୍ଷା ମାମଲାରେ କାମ କରିଥିଲେ ।
ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଧିଙ୍କ କାର୍ଯ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ସେ ପିଏମ ମୋଦୀଙ୍କ କାର୍ଯ୍ୟକ୍ରମର ସମନ୍ୱୟ, ବୈଠକର ଆୟୋଜନ ଓ ସରକାରୀ ବିଭାଗ ସହିତ ଯୋଗାଯୋଗ ସଂପର୍କିତ କାର୍ଯ୍ୟ ତଦାରଖ କରିବେ । ଉଲ୍ଲେଖନୀୟ ପିଏମଓ ପୂର୍ବରୁ ମଧ୍ୟ ଅନେକ ମହିଳା ଅଧିକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛି । ନିଧିଙ୍କୁ ପିଏମଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ଦିଆଯିବା ସରକାରଙ୍କ ମହିଳା ସଶକ୍ତୀକରଣକୁ ନେଇ ମଧ୍ୟ ସନ୍ଦେଶ ଦେଉଛି ।