ମୁମ୍ବାଇ, ଜୁନ୍ ୨୩ (ଖବର ଓଡ଼ିଶା): ମହାରାଷ୍ଟ୍ରରେ ଆରମ୍ଭ ହୋଇଥିବା ରାଜନୈତିକ ନାଟକ ବୁଧବାର ମଧ୍ୟ ଜାରି ରହିଛି । ଉଦ୍ଧବ ଠାକରେଙ୍କ ସରକାରୀ ନିବାସରେ ବିଭିନ୍ନ ପର୍ଯ୍ୟାୟରେ ବୈଠକ ହୋଇଛି । ଏହା ପରେ ଉଦ୍ଧବ ଠାକରେ ଫେସ୍ବୁକରେ ଲାଇଭ୍ ହୋଇ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ଭାବୁକ ହୋଇ ସେ କହିଛନ୍ତି ଯେ, ଶିବସେନାର କୌଣସି ବିଧାୟକ ମୋତେ କହିଦେଲେ, ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେବି । କିନ୍ତୁ ମୋ ସହିତ କେହି ଧୋକା ନକରନ୍ତୁ । ଯଦି କୌଣସି ଶିବସୈନିକ ମୁଖ୍ୟମନ୍ତ୍ରୀ ହେବାର ଅଛି, ତା’ହେଲେ ମୁଁ ଖୁସି ହେବି ।
ଉଦ୍ଧବ ଠାକରେ ବୁଧବାର ରାତିରେ ମୁଖ୍ୟମନ୍ତ୍ରୀ ନିବାସ ଛାଡ଼ିଦେଇଛନ୍ତି । ସେ ନିଜ ପତ୍ନୀ ଓ ପୁଅଙ୍କୁ ନେଇ ମାତୋଶ୍ରୀ ପହଞ୍ଚିଥିଲେ । ଅନ୍ୟପଟରେ ମାତୋଶ୍ରୀ ସାମ୍ନାରେ ଛିଡ଼ା ହୋଇ ସମର୍ଥକମାନେ ଉଦ୍ଧବଙ୍କ ପାଇଁ ଶ୍ଲୋଗାନ ଲଗାଇଥିଲେ । ଆଦିତ୍ୟ ଠାକରେ ବିଜୟ ସଂକେତ ଦେଖା ସମର୍ଥକଙ୍କୁ ଉତ୍ସାହିତ କରିଥିଲେ ।
ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଫେସବୁକ ଲାଇଭ୍ ସମୟରେ କହିଥିଲେ ଯେ, ଶିବସେନା ହିନ୍ଦୁତ୍ୱ ଛାଡ଼ିନାହିଁ । ହିନ୍ଦୁତ୍ୱ ଆମ୍ବାର ପ୍ରଶ୍ୱାସ । ଏହା ଏବେ କହିବାକୁ ସମୟ ନାହିଁ, କିଏ ହିନ୍ଦୁତ୍ୱ ପାଇଁ କ’ଣ କରିଛି । ମୁଁ ବାଲାସାହେବ ହିନ୍ଦୁତ୍ୱକୁ ଆଗକୁ ନେବା ପାଇଁ ଉଦ୍ୟମ କରୁଛି । ଯେଉଁ ବିଧାୟକମାନେ ଅମଙ୍ଗ ଅଛନ୍ତି, ସେମାନେ ମୋପାଖକୁ ଆସନ୍ତୁ ଓ କଥାବାର୍ତ୍ତ କରନ୍ତୁ । ମୁଁ ମୁଖ୍ୟମନ୍ତ୍ରୀ ପଦ କେବଳ କାହିଁକି, ବରଂ ଶିବସେନା ଅଧ୍ୟକ୍ଷ ପଦ ମଧ୍ୟ ଛାଡ଼ିବାକୁ ପ୍ରସ୍ତୁତ ଅଛି ।